ରାଜ୍ୟ
ରାଜ୍ୟ


ପୂର୍ବେ ଥିଲା ରାଜ୍ୟ ରହିଥିଲେ ରାଜା
ରାଜ୍ୟର ଶାସକ ହୋଇ।
ଏବେ ଅଛି ରାଜ୍ୟ ନାହାନ୍ତି ରାଜନ
ଗଣତନ୍ତ୍ର ବିରାଜଇ ॥
ପୃଥିବୀରେ ଆମ ସାତ ମହାଦେଶ
ତା ମଧ୍ଯରେ କେତେ ଦେଶ ।
ଦେଶ ମଧ୍ଯେ ରାଜ୍ୟ ରହିଛି ଅନେକ
ଜିଲ୍ଲା ବିଭାଗ ବିଶେଷ ॥
ମହାଦେଶ ଆମ ଏସିଆ ବୋଲାଏ
ଦେଶ ଭାରତ ଆମର ।
ଭାରତ ବର୍ଷରେ ଓଡ଼ିଶା ରହିଛି
ଓଡ଼ିଶା ରାଜ୍ୟ ଆମର ॥
ରାଜ୍ୟ ସରକାର ରାଜ୍ୟର ଶାସନ
ଚଳାନ୍ତି ଶାସକ ସାଜି ।
ରାଜ୍ୟପାଳ ଜଣେ ରାଜ୍ୟର ମୁଖିଆ
ଶାସନ କରନ୍ତି ଆଜି ॥
ସଙ୍ଘୀୟ ଶାସନ ବ୍ୟବସ୍ଥା ଆମର
ଭାରତୀୟ ଗଣତନ୍ତ୍ର ।
ରାଷ୍ଟ୍ରପତି ରାଜ୍ୟପାଳଙ୍କୁ ନିଯୁକ୍ତି
ପ୍ରଦାନ କରନ୍ତି ସେ ତ ॥
ରାଜ୍ୟ ସରକାର ରାଜ୍ୟକୁ ଚଳାନ୍ତି
ମୁଖ୍ୟମନ୍ତ୍ରୀ ତାର ମୁଖ୍ୟ ।
ମନ୍ତ୍ରିମଣ୍ଡଳର ଗଠନ କରନ୍ତି
ଜନସେବା ଆଭିମୁଖ୍ଯ ॥
ରାଜ୍ୟର ସୁପରିଚାଳନାର ଲକ୍ଷ୍ଯ
ଘେନି ରାଜ୍ୟ ସରକାର।
ହୁଅଇ ଗଠନ ସମ୍ବିଧାନ ବଳେ
ମିଳିଥାଏ ଅଧିକାର ॥
> ବିଧାନ ସଭା ଅଛି ଆମ ରାଜ୍ୟରେ
ବିଧାୟକ ନିର୍ବାଚିତ ।
ହେବା ପରେ ଯାଇ ସେ ନେତାଙ୍କୁ
ନେଇ ମନ୍ତ୍ରୀମଣ୍ଡଳ ଗଠିତ ॥
କେନ୍ଦ୍ର ଅନୁଦାନ ପ୍ରାପ୍ତ ହୁଏ ରାଜ୍ଯ
ସ୍ବରାଜସ୍ୱ ଯୁକ୍ତ କରି ।
ବିକାଶ ପଥରେ ଆଗେଇ ଚାଲନ୍ତି
ଜନାଦେଶ ଲାଭ କରି ॥
ଅଚଳ ଯେକାଳେ ରାଜ୍ଯର ଶାସନ
ସମ୍ବିଧାନ ଅନୁଯାୟୀ ।
ହୁଅଇ ଜରୁରୀ ପରିସ୍ଥିତି ରାଜ୍ଯେ
କେନ୍ଦ୍ର ଆରୋପ କରଇ ॥
ରାଷ୍ଟ୍ରପତିଙ୍କର ଶାସନ ଅଧୀନେ
ରାଜ୍ୟପାଳ ଏ ରାଜ୍ୟର ।
ଶାସନ ଚଳାନ୍ତି ଜରୁରୀକାଳୀନ
ପରିସ୍ଥିତିଟି ଗମ୍ଭୀର ॥
ରାଜ୍ୟର ସୁପରିଚାଳନାର ପାଇଁ
ରାଜସ୍ବ ଜିଲ୍ଲା ଗଠନ ।
ହୋଇଥାଏ ତାକୁ ବିଭାଜନ କରି
ହୁଏ ସବଡ଼ିଭିଜନ ॥
ତାକୁ ଭାଗ କରି ହୁଏ ତହସିଲ
ରାଜ୍ୟ ଚଳେ ସୁରୁଖୁରୁ ।
ସ୍ବାୟତ୍ତ ଶାସନ ବ୍ୟବସ୍ଥା ରହିଛି
ରାଜ୍ୟର ହିତ ଦୃଷ୍ଟିରୁ ॥
ମ୍ୟୁନିସିପାଲ କର୍ପୋରେସନ ପୁଣି
ମ୍ୟୁନିସିପାଲିଟି କାହିଁ ।
ଏନ୍. ଏ. ସି .ବ୍ଳକ୍ ପଞ୍ଚାୟତ ରହିଛି
ଗ୍ରାମ ଉନ୍ନୟନ ପାଇଁ ॥