ଯୁଦ୍ଧ
ଯୁଦ୍ଧ
ମୁଁ ମୋର ଆଉ ତୁ ତୋର ଏଇ
ମିଥ୍ୟା ଅହଙ୍କାର ନେଇ ।
ମଣିଷ ଜୀବନ ବିତାଉଛି ଯିଏ
ମିଥ୍ୟା ଅହଙ୍କାରୀ ସେଇ ॥
ଶାନ୍ତିରେ ବଞ୍ଚିବା କଳା ନଶିଖିଲା
ଯୁଦ୍ଧେ ବଳାଇଲା ମନ ।
ଅପରର ଧନ ଦରବ ପ୍ରଭୁତ୍ବ
ହରିବ ହେଲା ଉଚ୍ଛନ୍ନ ॥
ରାଜ୍ୟ ଜୟ ଲାଗି ପୂର୍ବେ ରାଜାମାନେ
ଯୁଦ୍ଧକ୍ଷେତ୍ରେ ଅବତୀର୍ଣ୍ଣ ।
ହୋଇ ରାଜ୍ୟ ଜୟ କରୁଥିଲେ ଧନ
ଦ୍ରବ୍ଯାଦି ପ୍ରଜା ଲୁଣ୍ଠନ ॥
ଆଜି ବି ଲାଗିଛି ଦେଶ ଦେଶ ମଧ୍ଯେ
ସତ୍ତା ପାଇଁ ଦେଖ ଯୁଦ୍ଧ ।
ଯୁଦ୍ଧେ ରକ୍ତପାତ ହୁଅଇ ନିଶ୍ଚିତ
ଦେଶକୁ ଡାକେ ବିପଦ ॥
ଶାନ୍ତି ପରାହତ ହୁଅଇ ଯୁଦ୍ଧରେ
ବଳଶାଳୀ ହୁଏ ଜୟୀ ।
ବିଜୟର ଧ୍ବଜା ଉଡାଏ ସେ ସିନା
ଅନ୍ତର୍ଦାହେ ଜଳୁଥାଇ ॥
କଳିଙ୍ଗ ଯୁଦ୍ଧର ବିଜୟୀ ଅଶୋକ
ଚଣ୍ଡାଶୋକୁ ଧର୍ମାଶୋକ ।
ହୋଇଲେ ଯୁଦ୍ଧର ଦେଖି ବିଭୀଷିକା
ଏକଥା ଜାଣନ୍ତି ଲୋକ ॥
ଯୁଦ୍ଧ ମନ କେବେ ନପାରଇ ଜିଣି
ଶାନ୍ତି ସିନା ଜିଣେ ମନ ।
ଯୁଦ୍ଧ ବଦଳରେ ଶାନ୍ତି ଆଶ୍ରା କର
ବଞ୍ଚିବ ଧନ ଜୀବନ ॥