ଜନତା ମରନ୍ତୁ, ମାଗିଖିଆ ହୁଅନ୍ତୁ
ଜନତା ମରନ୍ତୁ, ମାଗିଖିଆ ହୁଅନ୍ତୁ


ସରବ ମଣିଷର ଜୀବନ ଦୀପ
ଅଟଇ ପରା ଅମ୍ଳଜାନ,
ଉଦ୍ଭିଦ ଜଗତ ଛାଡଇ ଧରାର
ବାୟୁ ମଣ୍ଡଳକୁ ଅମ୍ଳଜାନ |୧|
ଜାଣିଛ ସମସ୍ତେ, ନଥିଲେ ଏବଂ
ନମିଳିଲେ ଧରାରେ ଅମ୍ଳଜାନ
ଏଇ ଜୀବନ ଜଗତ ହୋଇ ଯିବ
ଅତିଶୟ ଅନ୍ଧକାର ଜାଣ |୨|
ପାହାଡ ପରବତ ଜଂଗଲ ଅଭାବରେ,
ଅମ୍ଳଜାନର ପରିମାଣ
ପୃଥିବୀର ବାୟୁମଣ୍ଡଳରେ ହୋଇଲା
ଅମ୍ଳଜାନ ଅଳ୍ପ ସରବେ ଜାଣ |୩|
ଭବିଷ୍ୟତ କଥାକୁ ମନରେ ନଭାବି,
ନଷ୍ଟ କଲେ ଉଦ୍ଭିଦ ଜଗତ,
ଅମ୍ଳଜାନ ବିନା ମରୁଛନ୍ତି ଦେଖ ସବୁ
ନର ଓ ପ୍ରାଣୀ ଜଗତ |୪|
ଦେଖ ଭଉଣୀ ଭାଇ, ଏବେ ସରବେ
ଗାଆଁ ଠାରୁ ସହର ଯାଏ,
ମନୁଷ୍ୟ ସମାଜ ଆଜି ନିଜ କୃତକର୍ମ
ର ଫଳ ଭୋଗୁଥାଏ |୫|
ଜୀବନ ଯାଉଛି ବହୁ ନୂତନ ନୂତନ
ମହାମାରୀର କାୟାରେ ଆଜି,
ମଣିଷ ସମାଜରୁ ତ୍ୱରାନିତ ଗତିରେ
ଯାଉଛନ୍ତି ହଜି ହଜି |୬|
ପୂଣ୍ୟ କଅଣ ? ପାପ କଅଣ ? ଆହେ
ଅମଣିଷ ଯେତେ
ପ୍ରକୃତି ଉପରେ ପ୍ରତିଦିନ କରିଚାଲି
ଅଛ କେତେ କେତେ |୭|
ପ୍ରକୃତିର ପରିବେଶକୁ ଛାଡି ସରବେ
କୂତ୍ରିମତା ଆଡ଼େ ଧାବ,
ସତରେ ସୁନ୍ଦରତା ଆବୋରିଛ କି ନା?
ଥରେ ମନରେ ଭାବ |୮|
ସ୍ୱାର୍ଥପରତାରେ ସବୁ ମଣିଷ ଧାଇଁଛ,
ହୋଇଛ ପରା ଅନ୍ଧ
ଧ୍ବଂସର କାର୍ପଟଦାର ବନିଛ କି ନା,
ଏହା ଭଲ କି ମନ୍ଦ? |୯|
ପୁଂଜିର ମୋହ, ମାୟା ଓ ନିଶାରେ
ଚାଲ ଅଜ୍ଞାନରେ
ଜାଲେ ପଡୁ, ବିଷ ବଳୟ ସୃଜନ କର
ଚାଲି ଅନ୍ଧାରରେ |୧୦|
ନବୁଝିଣ କିଛି ଗ୍ରାମ ସଭାରେ ନେତାର
ଭାଷଣେ ମାରିଲ ତାଳି,
ମାଗି ଖିଆ ହୋଇ ଗାଁ ସଭାରେ କେତେ
କରିଲ ମେଳି |୧୧|
ଜାତି, ଧରମ ନାମରେ ଭେଦ ଭାବ
ସବୁ ବୁଣି ଚାଲିଲ,
ବର୍ଷ ବର୍ଷ ଧରି ମନ୍ଦିର ଓ ମସଜିଦ
ନିର୍ମାଣରେ ସମ
ୟ କାଟି ଚାଲିଲ |୧୨|
ଅକ୍ସିଜେନ ବିନା ମରୁଛନ୍ତି ରୋଗୀ,
ଚାଲେ ରାଜନୀତି ରାଲି,
ଲାଜ ଲାଗୁନି ନେତାଙ୍କୁ, ଚାଲେ ବଡ
ବଡ ଭାଷଣ ବୋଲି |୧୩|
ଆମର ଦେଶରେ ଆଉ ଅଧିକା
ଡାକ୍ତରଖାନା ଲୋଡ଼ା ନାହିଁ କି?
ଆମ ଦେଶରେ ଅଧିକା ଶିକ୍ଷା
ଅନୁଷ୍ଠାନ ଲୋଡ଼ା ନାହିଁ କି? |୧୪|
କେତେ ସବୁ ଗୁରୁ, ବିଚାରପତି ଓ
ବୁଦ୍ଧିଜିବୀ ଦେଶରେ ଅଛନ୍ତି
ସ୍ୱାର୍ଥରେ ତାଙ୍କର ଖାଲି ଗତି, ଜଂଗଲ
କାଟିବାରେ ମାତନ୍ତି |୧୫|
ଜଂଗଲ କାଟିଲା ବେଳେ, ନଥିଲା
ତାଙ୍କର ପଦୁଟିଏ ସ୍ବର,
କୁହ କାହିଁକି, ନସ୍ପୁରିଲା ଚେତା ଓ
ଚୈତନ କାହାର |୧୬|
ଧର୍ମର ଧ୍ବଜା ଉଡାଉ ଥିବା ଲୋକ
ନକରନ୍ତି ବିରୋଧ ତାର
କେଉଁ ସ୍ବାର୍ଥ ଲୋଭରେ ନସ୍ପୁରେ ଚେତା
ଚୈତନ୍ୟ ତାଙ୍କର |୧୭|
କଳି ଯୁଗର ଶେଷ ହେବା କହି
ସେମାନେ ଦର୍ଶକ ସାଜନ୍ତି,
ଗାଡ଼ି ତ ଗଡୁଛି ଈଶ୍ୱର ଇଛାରେ
କହନ୍ତି, ପ୍ରଚାର କରନ୍ତି |୧୮|
ପୁଂଜିପତି ଯେତେ ରଖିଛନ୍ତି ଜଗତକୁ
ନିଜ ଆୟତ୍ତରେ ,
ଧରିଛନ୍ତି ଧରିତ୍ରୀର ଶାସନ ଡୋରୀକୁ
ନିଜ ଅଧୀନରେ |୧୯|
ସମସ୍ତଙ୍କୁ ଧନର ବଳରେ ବଶ କରି
କଳ କାରଖାନା ବନାନ୍ତି
ଜଙ୍ଗଲ ପୋଡି, ସମ୍ପଦ ସବୁ ଉଜାଡ଼ି,
ପରିବେଶକୁ ନଷ୍ଟ କରିଥାନ୍ତି |୨୦|
ଶ୍ରମିକ ଦାଦନ ଖଟୁଚି, ଶିକ୍ଷିତ ରହେ
ବେକାରୀର ପୀଡାରେ,
ମିଥ୍ୟା ପ୍ରତିଶୃତି ସବୁ ଦେଇ ଶାସନକୁ
ଯାଆନ୍ତି ଅତି ସହଜରେ |୨୧|
ଶାସନରେ ବସି କହନ୍ତି ରୋଜଗାର
କର ପକୁଡି ବିକି ରେ
ଧନ୍ୟ ତମ ଦେଶ ପ୍ରୀତି, ହୋଲି ରଂଗ
ଖେଳୁଛ ମଣିଷ ରକ୍ତରେ |୨୨|
ଧନ୍ୟ ଦେଶ ପ୍ରୀତି, ଜନତା ମରନ୍ତୁ
ଏଠି, ମାଗିଖିଆ ହୋଇ
ମଦ ବ୍ୟବସାୟରେ ରାଜସ୍ୱ, ଆମ
ଗାଦି ସୁରକ୍ଷିତ ଅଛି ରହି |୨୩|