ଆଈ
ଆଈ
ଜନନୀକୁ ମୋର ଯିଏ ଦୁନିଆକୁ ଆଣିଥାଏ
ଦଶମାସ ଦଶଦିନ ଗରଭେ ବୋହି
ଦେଇତା' ବକ୍ଷରୁ କ୍ଷୀର ଗଢ଼ିଛି ପିଲାଙ୍କୁ ତା'ର
ଜୀବନେ କେତେଯେ ଦୁଃଖ ଯନ୍ତ୍ରଣା ସହି
ମା' ପରି ଯେ ମମତାମୟୀ
ନୁହଁଇ ସେ ଆଉ କେହି ଅଟେ ମୋ ଆଈ ।
ମୋ ଯିବା ଖବର ଶୁଣି ଅଧା ବାଟେ ଥାଏ ଚାହିଁ
ପହଞ୍ଚିଲେ ନିଏ ମୋତେ ପାଛୋଟି ଆଈ
ହାତେ ରାନ୍ଧି ରଖିଥାଏ ସ୍ଵାଦିଷ୍ଟ ଦରବ ସିଏ
ପାଖେ ବସି ଆଦରରେ ଦିଏ ଖୁଆଇ
ତା' କୋଳେ ମୋ ମସ୍ତକ ଥୋଇ
ନାନାବାୟା ଗୀତ ଗାଇ ପକାଏ ଶୋଇ ।
ହୋଇ ଶୀତେ ଥୁରୁଥୁରୁ କମ୍ବଳ କାଢ଼ି ଦେହରୁ
ନାତି ନାତୁଣୀଙ୍କ ଦେହେ ଢ଼ାଙ୍କି ଦିଅଇ
ମୋ ଦେହ ଅସୁସ୍ଥ ହେଲେ ପାଖେ ଥାଏ ସବୁବେଳେ
ତା' ସେବାରେ ଶୀଘ୍ର ସୁସ୍ଥ ହୁଅଇ ମୁହିଁ
ସେ ନିତି ଦିଅଁକୁ ଡାକଇ
ଆମ୍ଭେମାନେ ସଦାସୁଖୀ ରହିବା ପାଇଁ ।
ପର୍ବପର୍ବାଣୀରେ ସିଏ ମାମୁଁଙ୍କୁ ବ୍ୟସ୍ତ କରାଏ
ଝିଅଘର ତା'ର ବୁଲି ଆସିବା ପାଇଁ
ନଦେଖିଲେ ବହୁଦିନ ଉଚ୍ଛନ୍ନ ହୁଏ ତା' ମନ
ଦେଖିବାକୁ ଆମକୁ ସେ ଆସଇ ଧାଇଁ
ମୋ ବାଟକୁ ଥାଏ ଅନେଇ
ଆଗ ଖୋଇ ମୋତେ ପରେ ନିଜେ ଖାଅଇ ।
ମାମୁଁ ଘର ଯେବେ ଯାଏ ଆଗ ପଚାରଇ ସିଏ
କିପରି ଅଛନ୍ତି ଝିଅ ଜ୍ଵାଇଁ ତାହାରି
ମୁଁ ଯେବେ ଅବୁଝା ହୁଏ ଯାହା ମାଗେ ଆଣିଦିଏ
ଅବୁଝା ମନକୁ ମୋର ଦିଏ ବୁଝେଇ
ତା'ବିନା ଶ୍ରୀହୀନ ଲାଗଇ
ସତେ ଅବା ମାମୁଁ ଘରେ ନଥିଲେ ସେଇ ।
ମୁଁ ଯେବେ ଫେରେ ଘରକୁ ଦେଇଥାଏ ଖଞ୍ଜିସବୁ
କିଛି ବାଟ ସାଥେ ଆସି ଦିଏ ବଳେଇ
ତାହାର ଆଦର ସ୍ନେହ ମନେ ପଡ଼େ ଅହରହ
ରହିଥିବ ଚିରଦିନ ଅଭୁଲା ହୋଇ
ସେ ଅଟେ ମୋ ସେନେହୀ ଆଈ
ପାଦେ ତା'ର ନମସ୍କାର ଜଣାଏ ମୁହିଁ ।
