ଉତ୍କୃଷ୍ଟ ଓଡିଶା
ଉତ୍କୃଷ୍ଟ ଓଡିଶା


ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର,
ରତ୍ନଗଭା ରାଇଜ ଏ ତିରିଶି ଜିଲ୍ଲାର ସମାହାର ।
ଆସନ୍ତି କେତେ ଯାଆନ୍ତି କେତେ ସୁନ୍ଦରତାର ବାସ୍ନା ବାରିବାକୁ,
ପୁଣି ପଛକୁ ଫେରି ଦେଖନ୍ତି ଏ ଓଡ଼ିଶାର ରୂପରେଖକୁ ।
ବୁଝିବାକୁ ହୁଏ କଷ୍ଟ ତାଙ୍କୁ ଏଇ ରାଇଜର ଭୂଗୋଳକୁ,
ଉତ୍ତରରେ ନୁହେଁ କି ଦକ୍ଷିଣରେ ନୁହେଁ
ଓଡିଶା ରହିଛି ପୂରୁବକୁ ||
ଇତିହାସରେ ନାଁ ଅଛି ଏଇ ରାଇଜର,
ତଥାପି ଅବହେଳିତ ଏ ରାଜ୍ୟ ଏବଂ ଗରିମା ଏହାର ।
ହୁଅନ୍ତୁ ସେ ଗୋପବନ୍ଧୁ କି ମଧୁ ବାରିଷ୍ଟର ,
ଉତ୍କଳ ଭୂମି ଏ ମାଟି ବୀରଙ୍କର ।
ଆଦିବାସୀ ରାଇଜ ବୋଲି ହୁଡ଼ି ପକାଉଛୁ କାହିଁ ,
ଆଦିମରୁ ଜାତ ତୁ ଆଦିବାସୀରୁ ତହିଁ ।
ଯାନିଯାତ ପରବ ଗୌରବ ସବୁକୁ ଆଦରି
ଓଡ଼ିଆଣୀ ପାଳେ କେତେ ଯାନିଯାତ
ପରଶେ ଖିରି ଆଉ ପୁରି।|
କଟକର ବାଲିଯାତରା କି ସମ୍ବଲପୁର ଶୀତଳଷଷ୍ଠୀ,
ସଭିଏଁ ଭାଇ ଭାଇ ମିଳିମିଶି ପାଳନ୍ତି ଏକାଠି ।
ଚିଲିକାର ଦୃଶ୍ୟ ଅଟେ ଅତି ମନୋହର ,
ପୁରୀରୁ କୋଣାର୍କର ରାସ୍ତା ଯୋଗାଏ ଖୁସିର ଆହାର ।
ଧାମରା ବନ୍ଦର ହେଉ କି ହେଉ ଚାନ୍ଦବାଲି ,
ସାଳନ୍ଦୀ , ବୈତରଣୀ ହସେ ଖିଲିଖିଲି ।
ଯାଜପୁର ଜିଲ୍ଲା ମା' ବିରଜାଙ୍କ କ୍ଷେତ୍ର ,
ମା' ର ଦର୍ଶନରେ ଭରିଯାଏ ନେତ୍ର ।
କୁସୁମା ପୋଖରୀ ଡାକେ ହାତକୁ ଯେ ଠାରି ,
ଶୋଭା ସେ ବଢାଏ ଲଳିତଗିରି , ରତ୍ନଗିରି ଓ ଉଦୟଗିରି ।
ତାଳଚେର ଗଣେଶ ପୂଜା
ଦେବଗଡର ପୁଷପୁନି ପର୍ବ ,
ଅନୁଗୁଳ ସାତକୋଶିଆ ଆମ ଓଡ଼ିଶାର ଗର୍ବ ।
କଳା ହୀରାର ସହର ଆମ ତାଳଚେର,
ଆମ ଦେବଗଡ ଅଟେ ପ୍ରକୃତିର ଗନ୍ତାଘର ।
ଝରଣାର ସହର ଜିଲ୍ଲା ଦେବଗଡ ,
ପ୍ରଧାନପାଟ , ଦେଓଝରନ ଏଠି ଝରେ ଝର ଝର ।
ଢେଙ୍କାନାଳ ଲକ୍ଷ୍ମୀପୂଜା
ଘଟଗାଁ ମା' ତାରିଣୀ,
ସଭିଙ୍କ ଦୁଃଖ କରେ ଦୂର
ମା' ସେ ଦୁଃଖ ହାରିଣୀ ।
ସୌନ୍ଦର୍ଯ୍ୟର ଗନ୍ତାଘର ଆମ କେନ୍ଦୁଝର ,
ସାନଘାଗରା ,ବଡଘାଗରା ମନକୁ ଡାକେ ବାରମ୍ବାର ।
ଚାନ୍ଦିପୁର କୂଳ ଖେଳେ ଲୁଚକାଳି
ଯେତେ ଖାଇଲେ ବୁଝେନି ଏ ମନ
ବାଲେଶ୍ୱର ଛେନାଗଜା ଓ କେନ୍ଦ୍ରାପଡା ରସାବଳି ।
ମା' ସାରଳାର ଦର୍ଶନକୁ ଝୁରୁଥାଏ ଏ ଆଖି ,
ଖୋର୍ଦ୍ଧାର କୋରା ଖଇ ପାଖେ ମନ ଯାଏ ଲାଖି ।
ଇସ୍ପାତନଗରୀ ରାଉରକେଲା ବେଦବ୍ୟାସ
କୋଇଲିଘୁଘର ଜଳରାଶି
ପୁଣି ବିକ୍ରମଖୋଲ କହେ ଇତିହାସ ।
ହକିର ପାନ୍ଥଶାଳା ଆମ ସୁନ୍ଦରଗଡ
କୋଇଲାଖଣିର କେନ୍ଦ୍ର ସେ ବେଲପାହାଡ ।
ଓଡ଼ିଶାର ଭାତ ହାଣ୍ଡି ଆମ ବରଗଡ଼,
ପୁଣି ମନକୁ ଯେ ଟାଣେ ନୟାଗଡ ଛେନାପୋଡ଼ ।
ବରଗଡ଼ ଧନୁଯାତ୍ରା ଦୁନିଆରେ ନାଁ କଲା ,
ଗନ୍ଧମାର୍ଦ୍ଧନ ପର୍ବତ ଶୋଭା ବଢ଼ାଇଲା ।
ବାରିପଦା ମୁଢି ମାଂସ ,ବଲାଙ୍ଗୀର ଚାଉଳ ବରା ,
ଘରେ ଘରେ ଜମେ ପଖାଳର ଆସର ଆସିଗଲେ ଖରା ।
ଶୀତଦିନେ ନାଲି ଅଦା ଚା' ସଙ୍ଗେ ମୁଢି -ବାରମଜା,
ପଖାଳ ଭାତରେ ପିଆଜ ସାଙ୍ଗକୁ ଥାଏ ମାଛଭଜା ।
ସୋନପୁର ବୋମକାଇ ଶାଢ଼ୀର ଚମକ,
ପୁଣି ଟେରାକୋଟା ହସ୍ତଶିଳ୍ପର ମହକ ।
ଚାରିଶମ୍ଭୁ ମନ୍ଦିର ବଢାଏ ଯେ ଶୋଭା .,
ପ୍ରକୃତିର ଅପୂର୍ବ କଳା ପଦ୍ମତୋଳା ଅତି ମନଲୋଭା ।
ଗଞ୍ଜାମର ଗର୍ବ କୃଷ୍ଣସାର ମୃଗ ,
ଦାରିଙ୍ଗିବାଡ଼ି କହେ କଥା ଆମ ଓଡ଼ିଶାର ସ୍ୱର୍ଗ ।
ଗଜପତି ଜିଲ୍ଲା ବଢାଏ ଓଡ଼ିଶାର ଶୋଭା ,
ଚନ୍ଦ୍ରଗିରି ଜିରାଙ୍ଗ ଆହାଃ କି ମନଲୋଭା ।
ପାରଳାଖେମୁଣ୍ଡିର ରାଜରାଜୁଡା ନୀତି ଇତିହାସ କହେ ,
ବୃନ୍ଦାବନ ମହଲ ସେ ମନକୁ ଯେ ମୋହେ ।
ଘୁମୁରା ଘୁମୁରା ନୃତ୍ୟ କଳାହାଣ୍ଡିର ଗୋୖରବ
ହବାସପୁରି ଶାଢ଼ୀ ପାଇଁ ଓଡିଶା କରେ ଆଜି ଗର୍ବ ।
ଦେବଗିରି ପର୍ବତ କହେ ସମ୍ପୂର୍ଣ୍ଣ କାହାଣୀ,
ଚେକାଗୁଡା ଝୁଲା ପୋଲ କହେ ଅସୁମାରୀ ବାଣୀ ।
ମଣ୍ଡେଇ ଯାତ୍ରାର ଖୁସିରେ ନବରଙ୍ଗପୁର ନାଚିଲା,
ସେଇ ମାଟିରେ ପୁଣି ମକା ଯେ ଚମକିଲା ।
ସୁନାବେଡା ଅଭୟାରଣ୍ୟ ନୂଆପଡାରେ ଚମକିଲା
ଓଡ଼ିଶାର ଇତିହାସ ଏଇ ମାଟି ଯେ କହିଲା ।
ଦେଓମାଳି ଶୃଙ୍ଗ ଓଡ଼ିଶାର ଗର୍ବ ,
ଲୋକେ ପାଳନ୍ତି ଖୁସି ହେଇ ଚୈତ୍ର ପର୍ବ ।
ମାଲକାନଗିରି କହେ ବାଲିମେଳା ଡ୍ୟାମର କାହାଣୀ ,
କୋରାପୁଟର ସୌନ୍ଦର୍ଯ୍ୟ ଦିଏ ଖୁସିର ଲହରୀକୁ ଆଣି |
ସୁନ୍ଦର ରାଇଜ ମୋର ସୁନ୍ଦର ଏ ମାଟି,
ସୁନ୍ଦରତାରେ ଭରା ମୋ ଦେଶ ଓ ଗାଁଆଟି |
ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର,
ସୌନ୍ଦର୍ଯ୍ୟରେ ଭରା ତିରିଶି ଜିଲ୍ଲାର ଏ ସମାହାର ।|