ବିଶ୍ୱାସ ବଡ଼ ନା ରକତ ବଡ଼
ବିଶ୍ୱାସ ବଡ଼ ନା ରକତ ବଡ଼
ମୋତେ ଯଦି କେହି କେବେ ପଚାରଇ
ବିଶ୍ବାସ ବଡ଼ ନା ରକତ ବଡ଼
ଉତ୍ତର କେବଳ ତାହାକୁ ମିଳିବ
ବିଶ୍ବାସ ଜିତଇ ହୃଦୟଗଡ଼ ।
ରକତ ଦିନେ ବି ଠକି ଦେଇପାରେ
ନିଜର ସ୍ବାର୍ଥକୁ ଆଗରେ ରଖି
ମାତ୍ର ଏ ବିଶ୍ବାସ ମନ ପରିଧିକୁ
ରଖଇ ସର୍ବଦା ଚନ୍ଦନ ମାଖି ।
ରକ୍ତ ପାଇଁ ରକ୍ତ ଜନମୁ ମରଣ
ମିଛ ମରୀଚିକା ପଛରେ ଧାଏଁ
ମାତ୍ର ବିଶ୍ବାସଟା ସତ୍ୟ ଚିରନ୍ତନ
ସୁଧାଝର ହୋଇ ହୃଦୟ ଛୁଏଁ ।
ହୃଦୟ-ପ୍ରାଚୀର କରି ଧୂଳିସାତ୍
ରକତ ଖେଳାଏ ଚକାଭଉଁରୀ
ମାତର ବିଶ୍ବାସ ଦେଇ ପାରିଥାଏ
ସମ୍ପର୍କର ରାଜମହଲ ତୋଳି ।
ପର କଲେ ରକ୍ତ ମନ ସିନା କାନ୍ଦେ
ଆଶିଷର ଝର ହୁଅଇ ଶୁଷ୍କ
ବିଶ୍ବାସ ସାଥିରେ ସଦା ହସିଖେଳି
ଲଭିଥାଏ ଆତ୍ମା ଅତି ସନ୍ତୋଷ ।
ରକତ ଛିଣ୍ଡାଇ ବିଶ୍ବାସର ଗଣ୍ଠି
ଲହୁ ସମ ଲୁହ ଥାଏ ଝରାଇ
ମାତ୍ର କା' ବିଶ୍ବାସ ବିଶ୍ବାସୀ ପାଖରେ
ସରବଦା ମଜଭୂତ ରହଇ ।
ରକତ ହରାଇ ମଣିଷପଣିଆ
ସମାଜ ଚକ୍ଷୁରେ ହୀନ ଗଣନ
କୋଳେଇ ନିଃସ୍ଵାର୍ଥ ପ୍ରେମରେ ବିଶ୍ବାସ
ରକତଠୁ ବଡ଼ ଚିହ୍ନଟ ଜାଣ ।
