ଅଗସ୍ତି ଋଷି
ଅଗସ୍ତି ଋଷି


ଆମ ଦେବଭୂମି ଭାରତ ଦିଶଇ
ଆକୃତିରେ ଋଷିପ୍ରତିମ ସମ
କୋଳେ ଧରି ଅଗଣିତ ମୁନିଋଷି
ପରିଚିତି ଏକ ପୁଣ୍ୟର ଧାମ ।
ତା' ବୁକୁରେ ଜନ୍ମି ସାଧନା ବଳରେ
ଆକାଶେ ସପ୍ତର୍ଷିମଣ୍ଡଳେ ସ୍ଥାନ
ତୃତୀୟେ ଅଛନ୍ତି ପୁଲସ୍ତ୍ୟ ମହର୍ଷି
ତାଙ୍କ ପୁତ୍ର ଅଗସ୍ତି ଋଷି ଜାଣ ।
ଜନମ ବୃତ୍ତାନ୍ତ କି ଚମତ୍କାର
ପୁରାଣ କରିଛି ବର୍ଣ୍ଣନା ଯା'ର
ଯଜ୍ଞକୁମ୍ଭେ ରେତ ମିତ୍ର ବରୁଣଙ୍କ
ପଡ଼ିବାରୁ ଜନ୍ମ ହୁଏ ତାଙ୍କର ।
ଦେଖି ନୃତ୍ୟରତା ରୂପସୀ ଉର୍ବଶୀ
ଆଦିତ୍ୟଙ୍କ ଯଜ୍ଞ ସ୍ଥଳରେ ଋଷି
କାମବଶେ ରେତ ହେବାରୁ ସ୍ଖଳିତ
ହୋଇଲା ପତିତ ଯଜ୍ଞକଳସୀ ।
ବ୍ରହ୍ମତେଜ ବଳେ ଭାଙ୍ଗିଲା କଳସୀ
ଜନମ ହୋଇଲେ ଋଷି ଅଗସ୍ତି
ସେହି ଦିନୁ ବହି କୁମ୍ଭଜ ନାମକୁ
ବଢାଇଲେ ନିଜର ପରିଚିତି ।
ଏକଦା ସ୍ବର୍ଗକୁ ଗମନ କାଳରେ
ଦେଖିଲେ ଓଲଟା ଝୁଲନ୍ତା ନର
ବୋଇଲେ ସଭିଏଁ ଅଗସ୍ତି ପୂର୍ବଜ
ଅନ୍ତ ନାହିଁ ଦୁଃଖ ଦୁର୍ଦ୍ଦଶାର ।
ଥିବା ହେତୁ ଅବିବାହିତ ଅଗସ୍ତି
ପାଣି ଦେଇ କିଏ କରିବ ମୁକ୍ତ
ଅନୁତାପ କରି ସେହି ଦିନଠାରୁ
ଖୋଜିଲେ କନ୍ୟା ବିବାହ ନିମିତ୍ତ ।
ବାଙ୍ଗରା ଥି
ବାରୁ କନ୍ୟା ମିଳିଲାନି
ଲୋପାମୁଦ୍ରାଙ୍କୁ ସେ ମନ୍ତ୍ରେ ଭିଆଇ
ବିଦର୍ଭ ରାଜନେ କରି ସମର୍ପଣ
ବିବାହ କରିଲେ ତାହାଙ୍କୁ ଯାଇ ।
ଧିର୍ଦ୍ୟାସୁ ନାମରେ ଜନ୍ମି ଏକ ପୁତ୍ର
ପୂର୍ବଜମାନଙ୍କୁ ଦେଲା ସେ ମୋକ୍ଷ
ସ୍ବର୍ଗକୁ ଗମନ ତାଙ୍କ ପିତୃଗଣ
ପାଳନ ସେଦିନୁ ପିତୃପକ୍ଷ ।
ଗର୍ବେ ରୋଧ କରିବାରୁ ତପନଙ୍କ
ଗତିପଥ ଶିଷ୍ୟ ବିନ୍ଧ୍ୟାଞ୍ଚଳ
ପାଦେ ଚାପି ତାକୁ ଚୂର୍ଣ୍ଣ ଅହଂକାର
କେବଳ ନିଜର ତପସ୍ୟା ବଳ ।
ଚଳୁକେ କ୍ଷେପି ସେ ସାତ ସିନ୍ଧୁ ଜଳ
ଅସୁର ନିଧନେ ଦେବଙ୍କ ବଳ
ସବୁଜିମାମୟ କରିଲେ ଧରଣୀ
ଭରି କମଣ୍ଡଳୁ କାବେରୀ ଜଳ ।
ରାକ୍ଷସ ଜନ୍ମରୁ କରିଲେ ଉଦ୍ଧାର
ଆତାପି, ବାତାପି ଦୁଇଟି ଭାଇ
ତାଙ୍କ ଯୋଗୁଁ ବିଷ୍ଣୁ ଶିବ ଦରଶନ
ହରିଶଙ୍କର ରୂପେ ମର୍ତ୍ତ୍ୟ ଭୂଇଁ ।
ଋକ୍ ବେଦର ସେ ରଚୟିତା ପୁଣି
ଅଗସ୍ତି ସଂହିତା ତାଙ୍କର କୀର୍ତ୍ତି
ତେଜସ୍ବୀ ବିଜ୍ଞାନୀ ସେ ଅଗସ୍ତି ଋଷି
ମରତ ଜାଳଇ ଅଖଣ୍ଡ ଜ୍ୟୋତି ।
ଋଷି ନାମେ ଶ୍ରେଷ୍ଠ ନାମକୁ ଧାରଣ
କରି ରହିଥିବେ ଭୂବମଣ୍ଡଳେ
ଅନନ୍ତ ଅନନ୍ତକୋଟି ପ୍ରଣିପାତ
ଜଣାଏ ଋଷିଙ୍କ ପଦ ଯୁଗଳେ ।