ଶିଶିର ଭିଜା ଶୀତ ସକାଳ
ଶିଶିର ଭିଜା ଶୀତ ସକାଳ


ଶିହରିତ କରେ ସିନା ଦେହ ମନ
ଶିଶିର ଭିଜା ଶିତୁଆ ସକାଳ,
ମାତ୍ର ସେ ଶୀତକୁ ଖାତର ନକରି
ସଭିଏଁ ହୁଅନ୍ତି ଚଳଚଞ୍ଚଳ,
ପଶୁପକ୍ଷୀଠୁ ମାନବ ପର୍ଯ୍ୟନ୍ତ,
ସରବେ ନିଜ ନିଜର ଉପାୟରେ
ଖାଦ୍ୟାନୁସରଣେ ରହନ୍ତି ରତ ।
ଧରଣୀର ବୁକୁ କୁଜ୍ଝଟିକାମୟ
ସୂରୁଜ ଥାଆନ୍ତି ମୁହଁ ଲୁଚାଇ,
କୁହୁଡ଼ି କାକର ଘାସ ପତରରେ
ଧବଳ ଚାଦର ଦିଏ ବିଛାଇ,
ଆଗ ବାଟଘଟ ଦିଶଇ ନାହିଁ,
ତଥାପି ପ୍ରଭାତ ଭ୍ରମଣେ ମାତନ୍ତି
ଜନେ ଶରୀରର ସୁରକ୍ଷା ପାଇଁ ।
କହୁଡ଼ି ଆଡ଼େଇ ଝିଲିମିଲି ଖରା
ଯେବେ ଦାଣ୍ଡ ଅଗଣାରେ ପଡ଼ଇ,
ପିଲାଠାରୁ ବୃଦ୍ଧ ସଭିଏଁ ବିଭୋର
କଅଁଳ ଖରାରେ ଭିଜିବା ପାଇଁ,
ଏସ୍ଥାନ ସେ ସ୍ଥାନ ମନଟି ଧାଏଁ
ବିଜ୍ଞାନ କହଇ କଅଁଳ ଖରାରୁ
ଭିଟାମିନ 'ଡ଼ି' ସଂଗ୍ରହ ହୁଏ ।
ଶୀତୁଆ କାଲୁଆ ବାଆ ବହିଆସି
ଜାବୁଡ଼ି ଧରେ ସର୍ବାଙ୍ଗ ଶରୀର,
ସେଥିରୁ ମୁକତି ପାଇବା ପାଇଁକି
ଲୋଡ଼ା ହୁଏ ନାନା ଉଷୁମ ବସ୍ତ୍ର
,
ଗାଆଁ ଦାଣ୍ଡେ ଅଳିଆକୁଟା ଜାଳି,
ବୁଢ଼ାବୁଢ଼ୀ ପିଲାଛୁଆ ବସିଯା'ନ୍ତି
ଚଉପାରୁଶରୁ ତାହାକୁ ଘେରି ।
ବଗିଚାରେ ଗେଣ୍ଡୁ ଜିନିଆ ହସଇ
କ୍ଷେତେ ହଳଦିଆ ସୋରିଷ ଫୁଲ,
ଗୁଣୁଗୁଣୁ କରି ମଧୁକୀଟମାନେ
ଘୂରି ବୁଲନ୍ତି ଏ ଫୁଲୁ ସେ ଫୁଲ,
ଶୀତୁଆ ବାଆରେ ଦୋଳି ଖେଳନ୍ତି,
ଶିଶୁଙ୍କର ମନ ଆକର୍ଷି ନିଅଇ
ରଙ୍ଗବେରଙ୍ଗର ପରଜାପତି ।
ଘରଠୁ ଅଗଣା ଖଳା ଶୁକ୍ଳବର୍ଣ୍ଣ
ଲକ୍ଷ୍ମୀ ମାତା ଚିତାପଦ୍ମ ଉପରେ
ସତେ ବିରାଜିତ ଭକ୍ତି ଘେନି ଚିତ୍ତ
ଲାଗେ ଗୃହାଙ୍ଗନା ଆରାଧନାରେ
ପାବନମୟ କି ସରବ ପୁରୀ
ସୁନାର କଳେଇ ଭାରରେ ବୁହଇ
ଚଷାପୁଅ କେତେ ହରଷ ଭରି !
ଉଷୁମ ଘୋଡ଼ଣି ତଳୁ ଆସିବାକୁ
ସିନା ଜମା କାହା ମନ ହୁଏନି,
ବିଚରଣ କଲେ ଆସି ପ୍ରକୃତିରେ
ଛାଡ଼ି ଯିବାକୁ ବି ମନ କହେନି,
ସବୁ ତ ଆମ ପ୍ରକୃତି ବିଚାର,
ଖାପଖୁଆଇ ଚଳନ୍ତି ସରବେ
ରୋଧି ବାକୁ ସାଧ୍ୟ ନାହିଁ କାହାର ।