ହଡ଼ା ବଳଦ
ହଡ଼ା ବଳଦ
ହଡ଼ା ବଳଦ ମୁଁ ହଡ଼ା ବଳଦ ମୁଁ
ମୋର କଥା ପଦେ ଶୁଣ,
ଆଜିର ମନୁଷ୍ୟ କେଡେ ସ୍ଵାର୍ଥପର
ବଖାଣିବି ତାର ଗୁଣ ।
ଯେବେ ଥିଲା ମୋର ଯୌବନର ବେଳ
ରଖିଥିଲା ମୋତେ ଆଣି ,
ପେଟ ଭରି ଖାଦ୍ୟ ଦଉଥିଲା ଢ଼ାଳି
ବିଲେ ନେଉଥିଲା ଟାଣି ।
ଖଟାଉଥିଲା ସେ ଶଗଡ଼ ଗାଡ଼ିରେ
ଥକୁ ଥିଲି ଚାଲି ଚାଲି,
ଗୋଡ଼ ସଳଖିଲା ବେଳକୁ ପାହାର
ପିଠିରେ ପଡ଼ିଲା ଛାଲି ।
କେତେ ଖରା ଶୀତ ବର୍ଷା ଘଡ଼ ଘଡ଼ି
ତା ପାଇଁ ମୁଁ ଖଟୁ ଥିଲି,
ମୁହଁ ତୁନି କରି ବେତ ପାହାରକୁ
ନୀରବରେ ସହୁଥିଲି ।
ମୋ ଆଖିର ଲୁହ ମାଟି ପିଉଥିଲା
ଡହ ଡହ ଖରାବେଳେ,
ଛାତିର କୋହ ମୋ ଲୁଚି ଯାଉଥିଲା
ନୃଶଂସ ସ୍ୱଭାବ ତଳେ ।
ବୟସ ଗଡିଲା ଧିରେ ଧିରେ ମୋର
ବଳଦ ରୁ ହଡ଼ା ହେଲି,
ଅଧା ପେଟ ଏବେ ମିଳୁଛି ଖାଇବା
କାମ ମୁଁ କରୁନି ବୋଲି ।
କହିଲାଣି ଏବେ କଂସେଇକୁ ଦବ
ଅଳପ ଟଙ୍କାରେ ଟେକି,
ମୋ ଖାଦ୍ୟ ପଇସା ବଞ୍ଚେଇବ ଏବେ
ହାଡ଼ ଦି ଖଣ୍ଡକୁ ବିକି ।
ଦୁଃଖ କରନାହିଁ ପାଠକ ବନ୍ଧୁ ହେ
ମୋ ପାଇଁ ଝରାନା ଲୁହ,
ଯଥେଷ୍ଟ ପୂର୍ବରୁ ପିତାମାତାଙ୍କଠୁ
ତୁଟାଇଛି ସିଏ ମୋହ ।
କଥା କହିବାର ଶକ୍ତି ନାହିଁ ମୋର
ହେଲେ ଅଛି ଦେହ ମନ ,
ରକ୍ତ ମାଂସେ ଗଢ଼ା ଶରୀର ମୋହର
ମୋର ବି ରହିଛି ପ୍ରାଣ ।
ନିରିହ ପଶୁଙ୍କ ଉପରକୁ ଏବେ
ଦିଅ ହେ ଥରୁଟେ ଧ୍ୟାନ,
ନିଜ ସ୍ୱାର୍ଥ ତ୍ୟାଗୀ ତୁମ କାମ କୁ ଯେ
କରୁଛନ୍ତି ରାତି ଦିନ ।