ଅଭିମାନୀ ବର୍ଷା
ଅଭିମାନୀ ବର୍ଷା
ଆଗୋ ଅଭିମାନୀ ସୁନ୍ଦରୀ ତରୁଣୀ
ମାନ ଭଙ୍ଗ କର ବାରେ,
କିଏ ଦେଲା କୁହ ଗଭୀର ଆଘାତ
ତୁମର ସେ ହୃଦୟରେ ।
କାହିଁକି ବସିଛ ପର୍ବତ ଉହାଡ଼େ
ମରୁତର ହାତ ଛାଡ଼ି,
ଧରଣୀ ଜଳୁଛି ଗଗନ କମ୍ପୁଛି
ଶୁଣି ଜଳଚର ରଡ଼ି ।
ଡହଡହ ତାତି ଜଳାଏ ଶରୀର
ବନ ପୁଣି ଉପବନ,
ଦେଖିଯାଅ ଥରେ ଗ୍ରୀଷ୍ମ ଦେଇଥିବା
ଆଘାତର ସେଇ ଚିହ୍ନ ।
ତୁମେ ତ ଦରଦୀ ହୃଦୟ ଧାରିଣୀ
ସୁକୁମାରୀ ପ୍ରିୟତମା ,
ଦେଖି ଦେଲା ପରେ ଆତ୍ମୀୟମାନଙ୍କୁ
ସହି ପାରିବନି ଜମା ।
ଜାଣିଛି ତମ ସେ ସୁଢଳ ନୟନୁ
ଅଶ୍ରୁ ତ ପଡିବ ଝରି,
ତୁମ ସେ ଲୋତକ ମନ୍ଦାକିନୀ ପଡ଼ି
ଜୀବନ ଉଠିବ ପୁରି ।
ଶାନ୍ତ ବିବର୍ଣ୍ଣ ଜୀର୍ଣ୍ଣ ଶୀର୍ଣ୍ଣ ପିଣ୍ଡେ
ପ୍ରାଣ ଯେ ସଞ୍ଚରି ଜୀବ,
ଆଶା ହାରିଥିବା ତରୁଲତିକାଙ୍କୁ
ନୂଆ ଆଶା ମିଳିଯିବ ।
ଗଗନ ବକ୍ଷକୁ ଦିବା ନିଶି ଚାହିଁ
ନୟନ ଗଲାଣି ଥକି,
କେତେ ଅବା ଆଉ ଯନ୍ତ୍ରଣା ଲେପିବ
ଅଳ୍ପ କିଛି ରଖବାକି ।
ଆସ ଆସ ମୋର ମନର ମାନସୀ
ଶ୍ୟାମଳୀ ସୁନ୍ଦରୀ ସଖୀ,
ସଭିଙ୍କ ପାଇଁ ମୁଁ ଅଳି କରେ ଆଜି
ସଭିଙ୍କ ଦୁଃଖକୁ ହେଜି ।