ଜେଜେ ତୁମେ ଫେର ଆଉଥରେ
ଜେଜେ ତୁମେ ଫେର ଆଉଥରେ
ଆଉଥରେ ଜେଜେ ଆସନ୍ତକି ତୁମେ
ଏଇ ପୃଥିବୀକୁ ଫେରି,
ମନେ ପଡ଼ ତୁମେ ସବୁ ସମୟରେ
କେଣେ ଗଲ ପର କରି ।
କହିବାକୁ ଥିଲା କେତେ କଥା ମୋର
ସବୁ ରହିଗଲା ଅଧା,
ଜାଣିବାକୁ ଥିଲା କେତେ କଥା ଜେଜେ
ସମୟ ତ ଦେଲା ବାଧା ।
ମନେ ପଡେ ମୋର ଆମ୍ବଗଛ ଡାଳେ
ମୋ ଲାଗି ବାନ୍ଧିଛ ଡୋଳି,
ମିଠା ମିଠା ପୁଣି ପାଚିଲା ଆମ୍ବକୁ
ଦେଉଥିଲ ତୁମେ ତୋଳି ।
ତଳେ ପଡ଼ି କାଳେ ଫାଟିଯିବ ବୋଲି
ଜାଲ ବାନ୍ଧି ତୋଳୁ ଥିଲ,
ଗଡ଼ିଆରେ ପଡ଼ି ଭାସିଯିବ ବୋଲି
କେତେ ଧ୍ୟାନ ଦେଉଥିଲ ।
ତୁମେ ଗଲା ପରେ ପାଟିରେ ବାଜିନି
ସୁଆଦିଆ ଜାମୁ ଫଳ,
ମାଙ୍କଡ଼ ଦାଉରୁ ଜଗି ବସୁଥିଲ
କେତେ କେତେ ଖରାବେଳ ।
ମ
ହୁମାଛି ତାର ବସା ଭାଙ୍ଗି ଦେଲା
ଜେଜେ ତୁମେ ଗଲାପରେ,
ଚକୁଳି ସାଥିରେ କିଏ ଦବ ଆଉ
ମହୁ ଟିକେ ଥାଳିଆରେ ।
ଶ୍ରୀପଞ୍ଚମୀ ଦିନ ଫୁଲକୋବି ଆଳୁ
ପଲଉ କରି ଖୁଆଅ,
ଡାଲି ପୁରୀ ସାଥେ ଆଳୁକସା ପୁଣି
ସିଙ୍ଗଡ଼ା ଯେ କରୁଥାଅ ।
ତୁମରେ ସେ ହାତେ ଥିଲା କେଉଁ ଯାଦୁ
ସୁସ୍ଵାଦୁ ବ୍ୟଞ୍ଜନ କର,
ଯେତେ ଖାଇଲେବି ମନ ବୁଝେ ନାହିଁ
ଇଚ୍ଛା ହୁଏ ବାର ବାର ।
ପାଉ ନାହିଁ ଜେଜେ ସେ ଭଲପାଇବା
ସେଭଳି ଆପଣା ପଣ,
ଦୂରରେ ଥିଲେ ବି ଏଇ ମନକଥା
ତୁମେ ପରା ଜେଜେ ଜାଣ ।
ତୁମ ଦୁନିଆରୁ ଛୁଟି ନେଇ କେବେ
ଆସ କିଛି କ୍ଷଣ ପାଇଁ,
ଦେଖିଯାଅ ତୁମ ଅନୁପସ୍ଥିତି ରେ
କେମିତି ରହିଛି ମୁହିଁ ।