STORYMIRROR

Sachidananda Kar

Children

3  

Sachidananda Kar

Children

ଶରତ ଆସିଛି

ଶରତ ଆସିଛି

1 min
205

       ଶରତ ଆସିଛି

          ଗଙ୍ଗଶିଉଳିର ବାସରେ

       ଟିକିତାରା ତୁଲ ଅନାବନା ଫୁଲ

          ଫୁଟିଲେଣି କେତେ ଘାସରେ ।। 


       ଶରତ ଆସିଛି

          ନଈନାଳ ସଫା ପାଣିରେ

       ବନ ଉପବନ କିଣିନିଏ ମନ

          କି ସୁନ୍ଦର ତା'ର ଠାଣିରେ ।। 


       ଶରତ ଆସିଛି

          ଶୁଭ୍ର କାଶତଣ୍ଡି ହାଟରେ

       ନାହିଁ କାଦୁଅର ପଚର ପଚର

          ପାଦ ଖସୁନାହିଁ ବାଟରେ ।। 


       ଶରତ ଆସିଛି

          ନୀଳ ନିରିମଳ ଶୋଭାରେ

       ଧଳା ମେଘଖଣ୍ଡ ହୁଏ ଲଣ୍ଡଭଣ୍ଡ

          ଆହା କେଡ଼େ ମନଲୋଭାରେ ।। 


       ଶରତ ଆସିଛି

          ରଜନୀର ରୁପା ଜହ୍ନରେ

       ଆକାଶରେ ଭରା ଚିକିମିକି ତାରା

          ଖୁସି ଆଣୁଛନ୍ତି ମନରେ ।। 


       ଶରତ ଆସିଛି

          ଦଶହରା ସାଜସଜ୍ଜାରେ

       ପାଉଛନ୍ତି ପୂଜା ଦେବୀ ଦଶଭୂଜା

          ଗାଆଁରେ ସହରେ ବଜାରେ ।। 


       ଶରତ ଆସିଛି

          ଝିଅଙ୍କର ଜହ୍ନିଓଷାରେ

       ସାଙ୍ଗସାଥୀମେଳେ ମୁହଁ ସଞ୍ଜବେଳେ

          ବଉଳବେଣୀର ଘୋଷାରେ ।। 


       ଶରତ ଆସିଛି

          ଧାରା ଶିରାବଣ ଶେଷରେ

       ଗଛଲତା ଭରା ଆମ ସୁନା ଧରା

          ଝଟକୁଛି ନୂଆ ବେଶରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children