STORYMIRROR

Shakti Prasad Das

Inspirational Children

5  

Shakti Prasad Das

Inspirational Children

ଶତାବ୍ଦୀର ସୂର୍ଯ୍ୟ - ମଧୁସୂଦନ

ଶତାବ୍ଦୀର ସୂର୍ଯ୍ୟ - ମଧୁସୂଦନ

2 mins
480

ଏ ଜାତିର ଜୀବନ କୋଣାର୍କ

     ଦିନେ ବାଲୁକାର ସ୍ତୁପ ତଳେ,

ଦୁନିଆର ସ୍ମୃତିରୁ ଭୁଲାଇ

      ପଡିଥିଲା ଶୋଇ ଅନ୍ତରାଳେ ।।

     

ପାଇକର ବୀର ରକ୍ତ ଦିନେ

     ପାଣି ଫାଟି ଗଲା ଥଣ୍ଡା ହୋଇ;

ବହୁ ଥିଲା ଯେ ଶୋଣିତ ଦିନେ

     ଉନ୍ମାଦନା କେତେ ଯେ ଜଗାଇ ।।


ଘନ ଘନ ଶତ୍ରୁ ଆକ୍ରମଣ

     ଅନ୍ତର୍ଘାତୀ କାର୍ଯ୍ୟ ବାର ବାର,

ଅବଶେଷେ କଲା ଏ ଜାତିକୁ

     ଅବଶ ଓ ଶୂନ୍ୟ ଅନ୍ତଃସାର ।।


ଉତ୍କଳର ଅବୟବ ହେଲା

     କାଳ କ୍ରମେ ଖଣ୍ଡ ବିଖଣ୍ଡିତ;

ଯଶ ଆଉ ଗାରିମା ହୋଇଲା

     ଅବଲୀଳା କ୍ରମେ ଭୂଲୁଣ୍ଥିତ ।।


ପରାକ୍ରମୀ ଉତ୍କଳର ବାସୀ

     ହୋଇ ଗଲେ ଦରିଦ୍ର ଓ ଦୀନ,

ଭୁଲିଗଲେ କଳା ଆଉ ଶୌର୍ଯ୍ୟ

     ମୁଖ ତାଙ୍କ ହେଲା ଶୋକେ ମ୍ଲାନ ।।


କୁଳାଂଗାର ବଂଶଜ କର୍ମରୁ

     ଦଗ୍ଧ ହେଉଥିଲେ ନିରନ୍ତର;

ଆକୁଳରେ ରହିଥିଲେ ଚାହିଁ

     କେବେ ପୁଣି ଲଭିବେ ଉଦ୍ଧାର !


କେବେ ପୁଣି ଭଗୀରଥ ଜଣେ

     ନେବ ଜନ୍ମ ଏ ଜାତିର କୋଳେ !

ଆଣିବ ସେ ଗଂଗାଙ୍କୁ ସ୍ବର୍ଗରୁ   

     ଉଦ୍ଧରିବା ପାଇଁ ତାଙ୍କୁ ହେଳେ ।।


କେବେ ପୁଣି ତାମିସ୍ର ରଜନୀ

     ପାହି ହେବ ନବ ଉଷୋଦୟ !

କେବେ ପୁଣି ଭାଗ୍ୟ ନବରବି

     ଭାଗ୍ୟାକାଶେ ହୋଇବେ ଉଦୟ !


ଏହିପରି ଘଡି ସନ୍ଧି କ୍ଷଣେ

     ଜନ୍ମ ନେଲେ ଉତ୍କଳ ଗୌରବ,

କଟକର ସତ୍ୟଭାମାପୁରେ

     ଏଂତୁଡିରେ କରି କୁଆଁ ରାବ ।।                            


ଚଉଧୁରି ରଘୁନାଥ ପିତା

     ଆଉ ମାତା ପାର୍ବତୀଦେବୀର,

ହୋଇଲେ ସେ ତୃତୀୟ ସନ୍ତାନ

     ଏହି ରୁଦ୍ର ମାସ ବୈଶାଖର ।।


ବୈଶାଖରେ ଜନମ ଲଭିଣ

     ବୈଶାଖର ସୂର୍ଯ୍ୟ ପରି ଜଳି,

ନାଶ କଲେ ଜାତିର ଅଜ୍ଞାନ

     ହୋଇ ସେହୁ ଜ୍ଞାନର ଦୀପାଳି ।।


ଓଡିଶାର ପ୍ରଥମ ସ୍ନାତକ

     ଆଉ ମଧ୍ୟ ସ୍ନାତକ-ଉତ୍ତର,

ଆଉ ପୁଣି ପ୍ରଥମ ଓକିଲ

     ହେଲେ ଏହି ମଧୁ ବାରିଷ୍ଟର ।।    

     

ତଥାପି ଏ ଯଶସ୍ବୀ ପୁରୁଷ

     ପାଇଁ ଟିକେ ନ ଥିଲା ସ୍ବାଗତ,

ଯେଉଁ ଦିନ ଫେରିଲେ ରାଜ୍ୟକୁ

     ଲଭି ଏହି ବିରଳ କୃତିତ୍ବ ।।


ବିବେକର ଆହ୍ବାନରେ ସିନା

     ହେଲେ ନିଜେ ଖ୍ରୀଷ୍ଟିଆନ ସିଏ;

ମଣିଷର ପରିଚୟଟା କି

     ଜାତି, ଧର୍ମବିଶ୍ବାସ ରେ ଥାଏ ?

 

ହିନ୍ଦୁ ଯାହା ନ ପାରିଲେ କରି

     ବଡଠାକୁରଙ୍କ ସେବା ଅର୍ଥେ,

ତାହା କରି ଦେଖାଇଲେ ଲଢି

     ଅଂଗ୍ରେଜଙ୍କ ସାଥେ ଅଦାଲତେ ।।

     

ଉତ୍କଳର ସେବାରେ ନିଜର

     ନିୟୋଜିତ କରି ମନ ପ୍ରାଣ,

ଭାବୁଥିଲେ ଅହର୍ନୀଶ ସେହୁ

     କରିବାକୁ ଉତ୍କଳ ଗଠନ ।।


ଏକତ୍ରିତ କରି ଉତ୍କଳୀୟ

     ଭାଷାବାସୀ ଜନପଦ ମାନ,

ଫେରାଇବା ପାଇଁ ଉତ୍କଳର

     ପୂର୍ବ ଯଶ ପୂର୍ବର ସମ୍ମାନ ।।


ଶିଳ୍ପୋନ୍ନତ କରି ଗଢିବାକୁ

     ଓଡିଶାକୁ ହୋଇ ଆଗଭର,

ବସାଇଲେ ଉତ୍କଳ ଟ୍ୟାନେରି

     ଢାଳି ନିଜ ସ୍ବେଦ ଓ ରୁଧିର ।।


ପୁନର୍ଜନ୍ମ ଦେଲେ କଟକର

     ତାରକସି ଶିଳ୍ପକୁ ଆବର,

ଓଡିଶାରେ ତିଆରି ଗହଣା

     ବିଲାତରେ ଲଭିଲା ଆଦର ।।


ହସ୍ତତନ୍ତ କୁଟୀର ଶିଳ୍ପକୁ

     ଦେଲେ ସେହୁ ନୂଆ ଦିଗ୍-ଦର୍ଶନ,

ଅର୍ଥନୀତି ଜାତିର ସୁଦୃଢ

     କରିବାକୁ ବଳାଇଣ ମନ ।।


ପତିତ ଏ ଦଗ୍ଧ ମୃତ୍ତିକାରେ

     କଲେ ସେହୁ ପ୍ରାଣର ସଂଚାର,

ପ୍ରାଣୁ ନିଜ ସିଂଚି ସ୍ନେହ-ବାରି

     ମାଟିର ଏ ତୁଂଗ ମୂର୍ତ୍ତିକାର ।।


ଜାତି ଅର୍ଥେ ଧନ, ପ୍ରାଣ, ମନ

     ପୂର୍ଣ୍ଣ ଭାବେ କରି ନିୟୋଜିତ,

କାଳ କ୍ରମେ ହେଲେ ଦେବାଳିଆ

     ଉତ୍କଳର ଏହି ବରପୁତ୍ର ।।


ପିତାମହ ଭୀଷ୍ମ ପରି ସେହୁ

     ଥାଇ ଶତ-ଶର-ଶଯ୍ୟା ପରେ,

ଗଢୁଥିଲେ ଜାତିର ଭବିଷ୍ୟ

     ଅନୁକ୍ଷଣ ମାନସ ପଟ୍ଟରେ ।।


କୁଳବୃଦ୍ଧ ନ ପାରିଲେ ଦେଖି

     ନବୋତ୍କଳ ପ୍ରଦେଶ ଗଠନ ।

ଦୁଇ ବର୍ଷ ପୂର୍ବରୁ ଏହାର                                

     ସ୍ବର୍ଗଧାମେ କଲେ ସେ ଗମନ ।।


କିନ୍ତୁ ତାଙ୍କ ତ୍ୟାଗ ଓ ତିତିକ୍ଷା

     ହେଲା ନାହିଁ ବ୍ୟର୍ଥ କେବେ ଜାଣ ।

ଦୁଇ ବର୍ଷ ଉତ୍ତାରୁ ଏହାର                                

     ନୂଆ ରାଜ୍ୟ ହୋଇଲା ଗଠନ ।।


ମାତୃଭାଷା ଓଡିଆ ଭିତ୍ତିରେ

     ହେଲୁ ଆମେ ପ୍ରଥମ ପ୍ରଦେଶ ।

ତ୍ୟାଗପୂତ ମହତ ଜନର

     ବୃଥା କେବେ ଯାଏ କି ରେ କ୍ଲେଶ ?


ସେହି ଭାଷା ଓଡିଆ ଆମର

     ଲଭିଲାଣି ଶାସ୍ତ୍ରୀୟ ସମ୍ମାନ ।

କେତେ ଖୁସି ହେଉ ସେ ନ ଥିବେ

     ସ୍ବର୍ଗଲୋକୁ ଏହା ନିରେଖିଣ ।।


ଆଜି ଏହି ଜନ୍ମ ଦିବସରେ                                

     କରୁଅଛୁ ଏହି ନିବେଦନ,

ଏ ଜାତିର ଭୀଷ୍ମ ପିତାମହ

     କର ତୁମେ ଆମକୁ କଲ୍ୟାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational