STORYMIRROR

Shakti Prasad Das

Inspirational

3  

Shakti Prasad Das

Inspirational

ବିଜୁ ପଟ୍ଟନାୟକ

ବିଜୁ ପଟ୍ଟନାୟକ

1 min
113


ନୁହେଁ ବନ୍ଧୁ, ନୁହେଁ ବିଜୁ ମୃତ

          ଅର୍ବାଚୀନ କଳିଂଗର ପ୍ରଗତିର

                          ଯେହୁ ଅଗ୍ରଦୂତ ।

ତେବେ ଏହି ଶ୍ରାଦ୍ଧ କାହା ପାଇଁ?

          ଶ୍ରାଦ୍ଧ ନୁହେଁ ଶ୍ରଦ୍ଧା ବୋଧେ ଏହା,

                     କଳିଂଗର ମହାରଥୀ ପାଇଁ ।


ଶାଳପ୍ରାଂଶୁ ବ୍ୟକ୍ତିତ୍ବ କି କେବେ

           ମୃତ୍ୟୁ ଦ୍ବାରା ହୁଏ କବଳିତ?

ପୁଷ୍ପମାଳା ଆଘାତରେ କିରେ

           ଧରାଶାୟୀ ହୁଏ ଐରାବତ?



ଝଡର ଇଗଲ୍ କି କେବେ

               ଝଡ ଠାରୁ ଲଭେ ପରାଭବ?

ନନ୍ଦିଘୋଷ ଜାତିର ଯେ ବାହେ

               ତା’ର କେବେ ହୁଏ କି ବିୟୋଗ?



ବିଶ୍ରମିଛି ବୀର ବାରେ

           ଅବିଶ୍ରାନ୍ତ ଘନ ଘଟା ପରେ

ସଂଗ୍ରାମର, ଉଠିବ ସେ

           ଚକ୍ଷୁ ମଳି କିଛି କ୍ଷଣ ପରେ ।



ଉଠି ପାରେ ନିଦ୍ରା ତେଜି ସେହି

           ନିଜ ସୁଖେ ନୂତନ ରୂପରେ,

ମରଣ କି ଅଛି କେବେ ମୃତ୍ୟୁଜୟୀ

               ପୁରୁଷର କପାଳ ଲେଖରେ?



ବୀରପ୍ରସୂ ଉତ୍କଳ ଜନନୀ

           ପ୍ରସବିଲା ଯେ ବୀର ସନ୍ତାନ,

ଦେହ ତାଙ୍କ ମିଶିଛି ମାଟିରେ

           ଯଶୋଦେହେ ସର୍ବେ ଆୟୁଷ୍ମାନ ।



ବୀର ରକ୍ତେ ଉର୍ବର ଏ ମାଟି

           ଉପୁଜାଏ ନୂତନ ଫସଲ,

ସେହି ବୀରେ ଜନମନ୍ତି ପୁଣି

           ଘଟ ପରିବର୍ତ୍ତନ କେବଳ ।



ସେହି ନ୍ୟାୟେ ହୋଇ ପାରେ ବିଜୁ

           ମହାରାଜ ଖାରବେଳ ଐର,

ଅବା ସେହି ବକ୍ସି ଜଗବନ୍ଧୁ

           କିବା ପୁଣି ଜୟୀ ରାଜଗୁର;



ଅବା ପୁଣି ହୋଇପାରେ ସିଏ

           କାଂଚିଜୟୀ ପୁରୁଷ-ଉତ୍ତମ,

କିବା ପୁଣି ବାମଣ୍ଡାର ରାଜା

           ବାସୁଦେବ ସୁଢଳ ତା ନାମ ।



ତେବେ ଏହି ଯଶସ୍ବୀ ପୁରୁଷ

           ମୃତ୍ୟୁ ମୁଖେ ପଡି ପାରେ କିରେ?

ମୃତ୍ୟୁର ବା ଏତେ ଶକ୍ତି କାହିଁ

           ପୋଛିବାକୁ ଅଲିଭା ସ୍ବାକ୍ଷରେ?



ଶ୍ରାଦ୍ଧ ସିନା କରନ୍ତି ମାନବେ

ସାଧାରଣ ମଣିଷର ପାଇଁ 

ମୃତ୍ୟୁପରେ ରଖିବାକୁ ମନେ,

           ସ୍ମୃତି ତା’ର ନ ଦେଇ ହଜାଇ ।



ଶାଳପ୍ରାଂଶୁ ଉତ୍ତୁଂଗ ବ୍ୟକ୍ତିତ୍ବ

           ଭିଡ ମଧ୍ୟେ ପାରେ କିରେ ହଜି,

ହଜି ପାରେ ମହାଦୃମ କିରେ

           ତୃଣ ଭୂମି ମଧ୍ୟେ ଯଦି ଖୋଜି?



ମୃତ୍ତିକାର ମୂର୍ତ୍ତିକାର ଯିଏ

           ମାଟି ତାକୁ କରେ କିରେ କ୍ଷୟ?

ମୁକୁଳିତ ମୃତ୍ୟୁହୀନ ପ୍ରାଣ

           କାଳ ଗର୍ଭେ ହୁଏ କି ବିଲୟ?



ଧରଣୀର କୃଷ୍ଣସାର ମୃଗ

           ଧରଣୀରେ ଲଭିଛି ବିଶ୍ରାମ,

କଳିଂଗର ମହାରଥୀ ବାରେ

           ଯୁଦ୍ଧପରେ ନେଉଛି ବିରାମ ।


ଆଜିର ଏ ଶ୍ରାଦ୍ଧ ବାର୍ଷିକୀରେ

           ଏହା ଅଟେ ଅନୁରୋଧ ଆମ,

ପୁନର୍ବାର ଜାଗିଉଠ ହେ ତୁଂଗପୁରୁଷ,

           ସାରିବାକୁ ଅଧାଗଢା କାମ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational