ଲୋ ରେଵି ଲୋ ନିଆଁ ଲୋ ଚୁଲି
ଲୋ ରେଵି ଲୋ ନିଆଁ ଲୋ ଚୁଲି
ନିଷ୍ପଲକ ନିଷ୍ପ୍ରଭ ,
ଆକାଶରୁ ଲିଭି ଆସୁଥିବା
ପାହାନ୍ତା ଜ୍ୟୋତିର୍ମୟ ନକ୍ଷତ୍ର,
ତା ଭିତରେ
ଶେଷରେ ବିଲିନ ହୋଇଯାଏ ରେବତୀ !
ମହା ମଡ଼କ ବ୍ୟାଧିରେ ।
କକ୍ଷ ଚ୍ୟୁତ , ବୃନ୍ତ ଚ୍ଯୁତ , ସ୍ଵପ୍ନ ଚ୍ୟୁତ
ହୋଇଯାଏ ନିରିମାଖି,
ନୂଆ ରୂପରେ ନାରୀସଂହାର କରୁଥିବା
ଅଧୁନା ଏ ବ୍ୟାଧିର ଜ୍ଵାଳାରେ ,
ସ୍ଥିର ହୋଇଯାଏ ରେବତୀ
ଆଞ୍ଜୁଳାଏ ପାଉଁଶ ଭିତରେ, ମଶାଣି ଜୁଇରେ।
ରେବତୀର ଟିକି ମନ, ରଙ୍ଗୀନ ହୃଦୟ
ସ୍ଵପ୍ନରେ ବତୁରିବା କ'ଣ ପାପ ଥିଲା ?
ବାପାଙ୍କ ନିର୍ଭୟ ହାତର ଆଶ୍ରୟ
ମାଆଙ୍କ ନିବୁଜ ଆଖିର ମମତା
ବାସୁ ସାରଙ୍କ ଅକୁହା ପ୍ରେମର ପ୍ରେରଣା
କ'ଣ ପାପ ଥିଲା ?
ପାଠ ପଢିବି ବୋଲି ପିଠିରେ ବସ୍ତାନି ଧରି
ଧାଉଁଥିବା ସାତ ବର୍ଷର ରେବତୀ
ଦୁଷ୍କର୍ମ ରୂପକ , ଏ ଅଧୁନା
ମହା ମଡ଼କ ବ୍ଯାଧିରେ ଆଖି ବୁଜି ଦିଏ ।
ପାଠ ପଢିବି ବୋଲି
ରାଜଧାନୀ ରାଜରାସ୍ତାର ଚଳନ୍ତା ବସ୍ ଭିତରେ
ରେବତୀ ମହା ମଡକର ଶିକାର ହୁଏ ।
ରେବତୀ ମାନଙ୍କ ପାଇଁ ପାଠପଢ଼ା ସ୍ବପ୍ନ କ'ଣ
ଶେଷରେ ପାପ ହୋଇଗଲା ?
ପାଠ ପଢି ଶିକ୍ଷକ ହେଉ କି ଡାକ୍ତର
ରେବତୀ ଆଖି ବୁଜି ଦିଏ ଅଦିନରେ
ସ୍ଵପ୍ନ ଯାଏ ଚୁଲିକୁ
ସେ ନିଜେ ହୋଇଯାଏ ପାଉଁଶ ।
ତେବେ କ'ଣ ସତ ଥିଲା, ସତ ଥିଲା
ବେଦନା ଜର୍ଜରିତ ଜେଜି ବୁଢ଼ୀର
ପାକୁଆ ପାଟିରୁ ଉଚ୍ଚରିତ ହେଉଥିବା
ସେହି ମନ୍ତ୍ର
ଲୋ ରେବି ଲୋ ନିଆଁ ଲୋ ଚୁଲି ।।