ଆଉ ଟିକିଏ ସହଜ ହେଲେ ହୁଅନ୍ତାନି
ଆଉ ଟିକିଏ ସହଜ ହେଲେ ହୁଅନ୍ତାନି
ତୁମେ ଆଉ ଟିକିଏ
ସହଜ ହେଲେ ହୁଅନ୍ତାନି
ଏତେ ଉପମା ଅଳଙ୍କାର କାରୁକାର୍ଯ୍ୟ
ଜମ୍ମାରୁ ଭଲ ଲାଗୁନାହିଁ
ଥରେ ଦୁଇ ଥର ପଢିଲେ
ବୁଝି ହେଉ ନାହିଁ।
ଶ୍ରୀରାଧାଙ୍କ ପରି ପ୍ରେମମୟୀ
ଯମୁନା ପରି ଛଳଛଳ
କଦମ୍ବ ପରି ମହମହ
ହେଲେ ହୁଅନ୍ତାନି।
ତରଙ୍ଗାୟିତ ପାଣିର
ଖଣ୍ଡ ବିଖଣ୍ଡିତ ପ୍ରତିବିମ୍ବ ଯୋଡ଼ି
ତୁମକୁ ଚିହ୍ନିବା କେତେ କଷ୍ଟ
ତୁମେ ବୁଝି ପାରିବନି
ଆକାଶକୁ କୁହ
ତୋଫା ଜହ୍ନ ରାତି ଟିଏ ଖଞ୍ଜି ଦେଉ
ତୁମ ଅନ୍ଧାରୀ ମୂଲକେ
ଫର୍ଚ୍ଚା ଦିଶୁ ଯୋଜନ ଦୂର ଯାଏ
ଗଢ଼ା ଅଧାଗଢ଼ା
ତୁମ କୋଣାର୍କର ପ୍ରତି ଅବୟବ।
ତୁମେ ହୁଏତ ଦେଖି ନଥିବ
ଗାଧୁଆ ତୁଠରୁ ଫେରୁଥିବା
ସଦ୍ୟସ୍ନାତା ସେ ଗ୍ରାମ୍ୟ ଲଳନା
ତା ଓଦା ନାଲି ପାଦ ଚିହ୍ନ
କେମିତି ଛାତିରେ ଛାପିଦିଏ
ଧାଡ଼ି ଧାଡ଼ି ପ୍ରେମର କବିତା ।
ଗଙ୍ଗାଧରଙ୍କ ମନସ୍ଵିନୀ ପରି
ତୁମେ ଟିକିଏ ବହିଗଲେ ହୁଅନ୍ତାନି
ବହମାନ ନଦୀଟିଏ ହୋଇ।।