ମୁଁ କଂସ
ମୁଁ କଂସ
କୃଷ୍ଣ ଚେତନାରେ
କୃଷ୍ଣ ଚେତାବନୀରେ ବନ୍ଦି
ମୁଁ କଂସ।
ରାଜରାଜେଶ୍ଵର ହୋଇ
କେବେ ମୁକୁଳି ପାରିନି ବନ୍ଦିଶାଳାରୁ
ଯେଉଁଠି ହାତ ପାଦରେ ବେଢ଼ି ପକାଇ
ମୋ ମୃତ୍ୟୁ ପାଇଁ ଯଜ୍ଞ କରୁଥିଲେ
ଦେବକୀ ଓ ତା'ର ପତି ।
କେଉଁଟା ଆରମ୍ଭ କେଉଁଟା ବା ଶେଷ
ଏ ଗୋଲକ ଧନ୍ଦାରୁ ମୁକୁଳି ନପାରି
ପ୍ରଥମରୁ ଅଷ୍ଟମ ଯାଏ ଦେଖୁଥିଲି କୃଷ୍ଣ
ଛେଚୁଥିଲି ଜୀବନ ବିକଳେ
ପାଉଥିଲି କଷ୍ଟ
ମୁଁ କଂସ ।
ଜୀବନ ହାତରୁ ଖସିଯାଇ ମୃତ୍ୟୁ ଭେଦ ଶୁଣାଇବାର
ବିଡ଼ମ୍ବିତ ମୂହୁର୍ତ୍ତ
ଏକା କଂସ ହିଁ ତା'ର ଅସ୍ଥି ମଜ୍ଜାରେ
ବିନା କମ୍ପନରେ ହଜମ କରିପାରେ ।
ମୁଁ ତ ଜାଣିଶୁଣି ନିମନ୍ତ୍ରଣ କରିଥିଲି ମୋ ମୃତ୍ୟୁକୁ
କୃଷ୍ଣକୁ , ତା'ର ନୀଳ ନୀଳ ହଳାହଳକୂ ।
କେତେବାର ଆମନ୍ତ୍ରଣ ରଖିଛି
ବକା ଅର୍ଘ୍ଯା ଶକଟା ପୁତନା ରୂପରେ
ପ୍ରତିଥର ପାଇଛି ସବୁଜ ଇସ୍ତାହାର
ନହେଲେ କ'ଣ
କରିହୁଏ ଏଡେ ଆୟୋଜନ
ସଜା ଯାଇପାରେ ମଞ୍ଚ
ଚାରିଆଡେ ଥାଟବାଟ ମହା ଆଡ଼ମ୍ବର
ଶେଷ ଯାତ୍ରା ଧନୁଯାତ୍ରା
ସ୍ୱ ପରିକଳ୍ପିତ ।
ମୁଁ ଶ୍ରେଷ୍ଠ ମୁଁ ନିର୍ବୋଧ
ମୁଁ ମାନୀ ମୁଁ ଚରଣ କିଙ୍କର
ହଁ ହଁ ମୁଁ କଂସ ।