STORYMIRROR

Pranati Panda

Classics

5  

Pranati Panda

Classics

ପଦୁଆଁ ଭାଇ

ପଦୁଆଁ ଭାଇ

1 min
441


ଶାଶୁଘର ଗାଆଁ ଚୁଡ଼ିବାଲା ସିଏ

ନାମଟି ପଦୁଆଁ ଭାଇ,

ଭୁଆସୁଣୀ ଠାରୁ ବୁଢ଼ୀ ପରିଯନ୍ତ

ତା' ହାତୁ ଚୁଡ଼ି ପିନ୍ଧଇ ।


ରଙ୍ଗ ବେରଙ୍ଗର ଚୁଡ଼ିକୁ ସଜେଇ 

ପାଛିଆ ମଥାରେ ବୋହି,

ଗାଆଁ ଗାଆଁ ବୁଲି ଚୁଡ଼ି ବିକିଥାଏ

କେତେ ସରାଗରେ ସେହି।


ପର୍ବ ପର୍ବାଣୀରେ ବଡ଼ ଆନନ୍ଦରେ

ଭଳି ଭଳି ଚୁଡ଼ି ନେଇ ,

ବାରଣ୍ଡାରେ ବସି କଥା କହେ ହସି

ଚୁଡ଼ିକୁ ପିନ୍ଧେଇ ଦେଇ।


ନୂଆ ବୋହୂ ଟିଏ କା' ଘରେ ଆସିଲେ

ସକାଳ ହେଉ କି ସଞ୍ଜେ ,

ଆଗ ଡାକ ଦେଇ ସେ' ଘର ଆଗରେ 

ପଦୁଆଁ ଭାଇ ପହଞ୍ଚେ ।


ତା' ପୁଣ୍ୟ ହାତରେ ଆଶୀର୍ବାଦ ଝରେ

ସୁହାଗ ଶଙ୍ଖାକୁ ନେଇ,

ବଡ଼ ଯତନରେ ବୋହୂଙ୍କ ହାତରେ

ଚୁଡ଼ିକୁ ଦିଏ ପିନ୍ଧେଇ।


ଶସ୍ତା, ମହରଗ ତା' ପାଶେ ସମାନ

ଶ୍ରଦ୍ଧା ପଣେ ସେ, ଆଗରେ ,

ହସ ହସ ମୁଖେ ଶଙ୍ଖା ଚୁଡ଼ି ଦିଏ 

ଗାଁ ବୋହୂଙ୍କୁ ସେ,ବାକିରେ ।

 

ପିନ୍ଧେଇଲା ବେଳେ ହସି ହସି କୁହେ

ପିନ୍ଧିଥାଅ ବୋହୂରାଣୀ ,

କିଏସେ କହିବ ଚୁଡ଼ି ବୋଝ ନେଇ

ଫେରିବିକି ନାହିଁ ପୁଣି।


ଚୁଡ଼ି ପିନ୍ଧିଛି ମୁଁ , ପଦୁଆଁ ଭାଇଠୁଁ 

ଓଢ଼ଣାକୁ ଟାଣି ଦେଇ,

ମଫସଲ ସେଇ ଗାଆଁ ଶାଶୁ ଘରେ 

ନୂଆ ନୂଆ ବାହା ହୋଇ ।


ଓଢ଼ଣାର ତଳୁ ପଦୁଆଁ ଭାଇର

ଖିଲି ଖିଲି ହସ ଦେଖି ,

ତା'ର ଆଶୀର୍ବାଦ ମଧୁର ବଚନେ

ଭିଜି ଯାଏ ମୋର ଆଖି।


ଭାଇ ପଣେ ସେହି ଆପଣା ପଣରେ

ଶାଶୁଘରେ ଅଳି କରେ,

ଖାଇବାକୁ ଦେବ ବୋହୂ ସାଆନ୍ତାଣୀ

ଯିବିନି ଏହି ଖରାରେ।


ସହରେ ସିନା ମୁଁ ବଡ଼ ହୋଇଥିଲି

ଚୁଡ଼ି କିଣେ ବଜାରରୁ,

ଗାଆଁ ଗହଳିରେ ସେ ଆଦର ସ୍ନେହ

ପାଇନାହିଁ ସହରରୁ।


ଶାଶୁଘର ଏବେ ଯେବେ ଯାଏ ମୁହିଁ

ଭାଇକୁ ଖୋଜଇ ଆଖି,

ଏବେ ସେ , ଆଦର ନାହିଁ କାଚରାର

ଗାଆଁ ତ, ସହର ମୁଖି ।


ଶାଶୁମା କୁହନ୍ତି ବହୁତ ଦିନରୁ

ପଦୁଆଁର ନାହିଁ ଦେଖା,

ବଞ୍ଚିଛି କି ଅବା ମରି ସେ ଗଲାଣି

ଜାଣିଥିବେ ପ୍ରଭୁ ଏକା।


ଗାଆଁ ଭୁଆସୁଣୀ ବଜାର ଯାଇକି

ଚୁଡ଼ି କିଣି ପନ୍ଧୁଛନ୍ତି,

ଗାଆଁ ଗହଳିରେ ଆଗ ପରି ଆଉ 

କାଚରା ଦେଖା ନାହାନ୍ତି ।


ସଭ୍ୟ ସମାଜରେ ବିଲୁପ୍ତ ହେଲାଣି

ଶଙ୍ଖା ପିନ୍ଧିବା ଚଳଣି ,

ନାଲି, ଧଳା ଶଙ୍ଖା ରୁଣୁଝୁଣୁ ଶବ୍ଦ

ନାରୀ ପାଶୋରି ଗଲେଣି ।


ବୁଢ଼ା ଶଙ୍ଖାରି ଓ ପଦୁଆଁ ଭାଇ ବି

ଦୁନିଆରୁ ଲୁଚିଲେଣି ,

କୂଳ ଭୁଆସୁଣୀ ଗାଆଁ ନୂଆବୋହୂ 

ସବୁ ବଦଳି ଗଲେଣି।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics