ପାହାଡ଼
ପାହାଡ଼
ଅପୂର୍ବ ସୌନ୍ଦର୍ଯ୍ୟେ ଭରା ଏ ଜଗତ
ଅବର୍ଣ୍ଣନୀୟ ଯେ ଶୋଭା
ନଦୀ ନାଳ ଗିରି ସାତ ରତ୍ନାକର
ଢାଳୁଛନ୍ତି କେତେ ପ୍ରଭା ।
ଉତ୍ତରେ ହୀମାଦ୍ରୀ ପଶ୍ଚିମରେ ଘାଟ
ଦକ୍ଷିଣେ ପର୍ବତ ଶ୍ରେଣୀ
ତାହାରି ଶିଖରୁ ଝରି ପଡୁ ଥାଏ
ଜୀବନ କାହାଣୀ ମୁଣି ।
ଅଚାନକ ଆସେ ଭୂଭାଗେ ଝଟକା
ଧକ୍କା ପାଏ ଭୂ ଖଣ୍ଡ
କିଏ ଉଠି ଯାଏ ଗରବରେ ଉଚ୍ଚେ
କିଏ ଜଳ ରାଶି ଗଣ୍ଡ ।
ଉଚ୍ଚ ଭୂ ଖଣ୍ଡ ପାଲଟେ ପର୍ବତ
ଅବନୀରେ ପାଦ ଥାପି
ଅଟଳ ପରାଣେ ଭୁଜକୁ ପ୍ରସାରୀ
ରହି ଥାଏ କ୍ରୋଶ ବ୍ୟାପି ।
କେତେ ସଂଜୀବନୀ ଉତ୍ ଫୁଲ୍ଲିତ ମନେ
ତାହାରି କୋଳରେ ଜନ୍ମ
ଗୁମ୍ଫାର ଗହ୍ୱରେ ତପ ସାଧନରେ
ମୁନିଏଁ ଅର୍ଜନ୍ତି ପୁଣ୍ୟ ।
ଦେବ ବାସସ୍ଥଳୀ ପର୍ବତ ଶିଖରେ
ପୁଣି କେତେ ଦେବୀ ପିଠ
ଆକର୍ଷଣେ ପଡ଼ି ବହୁ ଦୂର ଶୁଭେ
ଭକ୍ତ ମୁଖୁ ମନ୍ତ୍ର ପାଠ ।
ସବୁଜ ବନାନୀ ସୃଷ୍ଟି କରୁଥାଏ
ତାକୁ ଭିଡି ବନ୍ଧ ବାଡ
ଦିନେ ସାତ ସିନ୍ଧୁ ମନ୍ଥନ ହୋଇଲା
ମହେନ୍ଦ୍ର ଗିରି ଯେ ଦୃଢ଼ ।
ଦେଶ ସୀମାରକ୍ଷୀ ପହରୀ ସାଜି ସେ
ଜାଗ୍ରତ ଯେ ଦିବା ରାତ
ମନୁଷ୍ୟ ହେଉ ବା ଦେବ ଦୁଲ୍ଲଭରେ
ସର୍ବଦା ପର୍ବତ ମିତ ।