ଜନନୀ
ଜନନୀ
ଜନନୀ ଗୋ ତୁମ ପୁଣ୍ୟ ଜରାୟୁରେ
ଦଶମାସ ଥିଲ ଧରି
କେତେ ଭାବ କେତେ ଅନୁଭବ ପରା
ଦେଇଥିଲ ଯେ ଅଜାଡ଼ି ।
ଜନନୀ ଗୋ ତୁମେ ମମତା ସ୍ରୋତଟେ
କଳ କଳ ନାଦେ ଵହ
ସେଇ ମମତାରେ ଭିଜି ଏ ଜୀବନ
ହୁଏ ଯେ ଆନନ୍ଦମୟ ।
ଜନନୀ ଗୋ ତୁମେ ସ୍ନେହ ସେତୁଟିଏ
ପ୍ରତି ମନ ଯୋଡ଼ୁଥାଅ
ସ୍ନେହ ଶରଧାର ଅପୂର୍ବ ସ୍ପର୍ଶରେ
ମନୁ ଦୁଃଖ ଧୋଇଦିଅ ।
ଜନନୀ ଗୋ ତୁମେ ଧୈର୍ଯ୍ୟ ଶୀଳା ଟିଏ
ଶିଖାଅ ଧୈର୍ଯ୍ୟର ମନ୍ତ୍ର
ସବୁ ବିପଦକୁ ପଛରେ ପକାଇ
ମୁହଁରେ ହସ ଫୁଟାଅ ।
ଜନନୀ ତୁମେ ଆକାଶଠୁ ବଡ
ସାଗର ଠାରୁ ଗଭୀର
ଯେତେ ଝଡ଼ଝଞ୍ଜା ଜୀବନରେ ଆସେ
ତୁମେ ଯେ ଆଶ୍ୱାସ ଦିଅ ।
ଜନନୀ ଗୋ ତୁମେ ସପନ ସୁନ୍ଦରୀ
ସପନେ ମନ ସଜାଅ
ସେ ସପନେ ତୁମେ ନିଜେ ତ ନ ଥାଅ
ସନ୍ତାନର କଥା ଭାବ ।
ଜନନୀ ତୁମେ ପ୍ରଜ୍ଞା ପ୍ରଦାୟିନୀ
ଅଟ ଯେ ପ୍ରଥମ ଗୁରୁ
ଅଲେଖା ଶଦ୍ଦରେ ଶିଖାଉ ଯେ ଥାଅ
ମନେ ଆଙ୍କ ଚିତ୍ର ଚାରୁ ।
ଜନନୀ ଗୋ ତୁମେ ଅଭୟ ଦାୟିନୀ
ତୁମ ପଣତର ଛାଇ
ବିପଦେ ଆପଦେ ନିର୍ଭୟତା ଦିଏ
କାହାକୁ ବି ନ ଡରଇ ।
ଜନନୀ ଗୋ ତୁମେ ଶୀତଳ ନିର୍ଝର
ମୋ ମନ ମରୁ ଉଦ୍ଯାନେ
ଅମା ଅନ୍ଧକାରେ ଆଲୋକ ବର୍ତ୍ତିକା
ଦେଖାଉ ଥାଅ ନିମଗ୍ନେ ।
ଜନନୀ ଗୋ ତୁମେ ଶୀତଳ ଚନ୍ଦନ
ଉତ୍ପୀଡନ ଇଲାକାରେ
ତୁମରି ପ୍ରେମର ପବିତ୍ର ପରଶେ
ଶାନ୍ତି ବିରାଜେ ଅନ୍ତରେ ।
ଜନନୀ ଗୋ ତୁମେ ଶ୍ରେଷ୍ଠ ଢ଼ାଲ ଟିଏ
ସନ୍ତାନ ବିପଦ ପାଇଁ
ଦୁଃଖ ଯାତନାର ଥିଲେ ପଛେ ଥାଅ
ଲଢ଼ିବା କେବେ ଭୁଲନି ।
ଜନନୀ ଗୋ ତୁମେ କରୁଣା ଉତ୍ସ ଟେ
କାରୁଣ୍ୟେ ହୃଦୟ ଭରା
ପ୍ରତିଟି ପାଦରେ କାନେ କାନେ ଭର
ବିଶ୍ୱାସ ମନ୍ତ୍ରର ଧାରା ।
ଜନନୀ ଗୋ ତୁମେ ଅମା ଆକାଶରେ
ଜ୍ୟୋତିର୍ମୟ ଧ୍ରୁବତାରା
ଦିଗ ହଜାଇଲେ ଦିଗ ବତାଅ ଗୋ
ତୁମେ ପ୍ରୀତିର ପସରା ।
ଜନନୀ ଗୋ ତୁମ କଥା ଯେ ଅସରା
କହିଲେ ସରିବ ନାହିଁ
ଶତ ଧନ୍ୟବାଦ ଜଣାଏ ଜନନୀ
ସୃଷ୍ଟିକୁ ଆଣିବା ପାଇଁ ।
ଜନନୀ ଗୋ ତୁମ ଋଣ ସୁଝିବାର
ଶକ୍ତି କା' ପାଖରେ ନାହିଁ
ଶତ ପ୍ରଣିପାତ କରୁଛି ଜନନୀ
ଅସରା ଆଶିଷ ପାଇଁ ।