ମାଆ
ମାଆ
ମାଆ ତ ଅକୁହା କଥା ପେଡିଟିଏ
ଶୂନ୍ୟମନା ନିର୍ଝରିଣୀ
ପାଠ ନପଢି ବି ମନସ୍ତତ୍ତ୍ୱ ବୁଝେ
ତା ସ୍ପର୍ଶ ଯେ ସଂଜୀବନୀ ।
ବେଦନା ପୀଠର ଦେବୀଟିଏ ସିଏ
ବେଦନା ହରଣ କରେ
ତ୍ୟାଗ ମନ୍ଦିରର ଅପୂର୍ବ ମହକ
ସଭିଙ୍କର ମନ ଭରେ ।
ମମତା ନଦୀର ଶାନ୍ତ ସ୍ରୋତସ୍ବିନୀ
ଶୀତଳତା ଯେ ପରଶେ
ଜୀବନ ମରୁର ସବୁଜ ବାଟିକା
ସପନ ରାଇଜେ ଭାସେ ।
ଚାହାଣୀରେ ଲେଖା କେତେ ଯେ କାହାଣୀ
ନିଜ ସ୍ୱପ୍ନ ଦିଗ ହରା
ଅନ୍ୟ ସପନ କୁ ବୁକୁରେ ଆଙ୍କି ସେ
ଶାନ୍ତି ସ୍ରୋତେ ହରା ଭରା ।
ଭାବ ସମର୍ପଣ ସେବା ତା ଅନନ୍ୟ
ଧୈର୍ଯ୍ୟ ଶିଳା ପରେ ଉଭା
ଭଗ୍ନ ଶିଳା ପରେ ଲଗ୍ନ ସ୍ଥାପୁଥାଏ
ପ୍ରୀତି ଫୁଲ ନେଇ ଉଭା ।
ଦଗ୍ଧ ବାଟିକାର ଲବ୍ଧ ସୌନ୍ଦର୍ଯ୍ୟ ସେ
ସ୍ନେହ ଛଳ ଛଳ ନଈ
ଇଶ୍ଵର ସୃଷ୍ଟିର ଦିବ୍ୟ ଶିଳ୍ପୀ ଟିଏ
ମଣିଷ ଗଢ଼ା ବଢ଼େଇ ।
ପଣତରେ ଭରା ଅସରା ଜଞ୍ଜାଳ
ମୁଖେ ସନ୍ତୋଷର ଲିପି
ଜୀବନ ପଥ ର ସ୍ନିଗ୍ଧ ସ୍ରୋତସ୍ବିନୀ
ଅପାଶୋରା ଅଭିଲିପି ।
