ମାଆ ଓ ମମତା
ମାଆ ଓ ମମତା
ମାଆ ସଙ୍ଗେ ଯୋଡା ମମତା ଶବ୍ଦଟି
ମମତାରେ ମଧୁ ଝରେ
ମମତା ସ୍ରୋତଟି ସ୍ରୋତସ୍ବିନୀ ହୋଇ
ବହୁଥାଏ ରକତରେ ।
ମମତା ଶବ୍ଦରେ ପ୍ରୀତି ଫୁଲ ଝରେ
ମମତା ସ୍ପର୍ଶ ଔଷଧି
ମାଆର ମମତା ଝରାଏ ମୁକୁତା
ଲୁହରେ ଫୁଟାଏ ମୋତି ।
ମମତା ବୋଳା ତା ମଧୁର ଆଳାପେ
କେତେ ଯେ ଗଳପ ଲେଖା
ସେ ଗଳ୍ପ କଳ୍ପରେ ଜୀବନ ବନ୍ଧିତ
ପୋଛି ଥାଏ ଦୁଃଖ ରେଖା ।
ମାଆର ମମତା ସମତାର ଝର
ତ୍ୟାଗର ମନ୍ତ୍ର ଉଚ୍ଚାରେ
ମମତା କ୍ଷମତା ସବୁ ବିପଦରେ
ନିର୍ଭୟତା ମନେ ଭରେ ।
ମାଆ ମମତାର ପ୍ରତିଟି ପତରେ
ସନ୍ତାନର ସ୍ୱପ୍ନ ଲେଖା
ମାଆ ର ମମତା ଧୈର୍ଯ୍ୟର ସଂହିତା
ସହନଶୀଳତା ଶିଖା ।
ମାଆ ର ମମତା ଶାନ୍ତ କଲ୍ଲୋଳିନୀ
ବିପଦେ ଦିଅଇ ରାହା
ମମତା ଛନ୍ଦରେ ମାତା ଛନ୍ଦାୟିତ
ନିଜ ସୁଖ କରେ ସ୍ୱାହା ।
ମାଆର ମମତା ସଂସ୍କାରର ବାର୍ତ୍ତା
ଦିଏ ଶିକ୍ଷା ର ଆଲୋକ
ମମତା ଆବେଶେ ମାଆ ପାଶୋରଇ
ଅସହ୍ୟ ପ୍ରସବ ଦୁଃଖ ।
ମାଆ ଅନ୍ତରର ଜଞ୍ଜାଳ ସାଗରେ
ମମତା ଶୀତଳ ଧାରା
ମାଆର ମମତା ଅସରା ପୁଲକ
ନିରୁତା ତାର ସାହାରା ।
ମାଆର ମମତା ପୁଣ୍ୟ ସ୍ରୋତଟିଏ
ସନ୍ତାନକୁ କରେ ଧନ୍ୟ
ଭୋକ ର ଭୂଗୋଳେ ହସର ଲହରୀ
ସନ୍ତାନ ପାଇଁ ମହାନ ।
ମମତା ମଧୁକୁ ଅକ୍ଷୟ ରଖି ସେ
ବିପଦକୁ ବରି ନିଏ
ମମତା ମୟୀ ସେ ଚ଼ିର ବନ୍ଦନୀୟା
ସନ୍ତାନ ପାଇଁ ଯେ ଜୀଏଁ ।
ମମତା ଆବେଶେ ସନ୍ତାନ ବିପଦେ
ନିଜେ ବରି ନେଇ ଥାଏ
ଜୀବନକୁ ବାଜି ଲଗାଇ ମାଆଟି
ମମତାର ଟେକ ରଖେ ।
ମମତା ଆଶ୍ଳେଷ ନିରୁଦ୍ଦିଷ୍ଟ କରେ
ଯେତେ ବ୍ୟଥା ପ୍ରତିଲିପି
ତା କୋଳ ତକିଆ ହାଲୁକା କରଇ
ବ୍ୟଥା ଭରା ସ୍ୱରଲିପି ।
ମାଆ ମମତାର ପ୍ରୀତି ଝରଣାରେ
ଅଗଣା ଗାଧୋଉ ଥାଏ
ମମତା ମୋତିର ଚମକରେ ଘର
ମାଟିର ବୈକୁଣ୍ଠ ହୁଏ ।
ପ୍ରତିଟି ମାଆର ଜୀବନ ସାର୍ଥକ
ମମତାର ଦିବ୍ୟ ଦାନେ
ଜୀବନର ପ୍ରତି ପୃଷ୍ଠା ବିମଣ୍ଡିତ
ମମତାର ମଧୁ ସ୍ୱନେ ।
ମାଆର ମମତା ନିରାଶାରେ ଆଶା
ବିପଦେ ସାହସ ସ୍ରୋତ
ମରୁବାଲି ପରେ ତାତିଲା ବାଲିରେ
ମରୁଝର ଭଳି ପ୍ରୀତ ।
ମାଆ ଲେଖିଦିଏ ମମତା କଲମେ
ମାଟି କାନ୍ଥେ ଶାନ୍ତି ବାର୍ତ୍ତା
ଛିଣ୍ଡା ପଣତରେ ମମତା କହଇ
ପବିତ୍ର ନେତର କଥା ।
ମମତା ଛାଉଣୀ ମାଆର ନୀଡଟି
ନିର୍ଭୟ ମନ୍ଦିର ଟିଏ
ଆଶ୍ୱାସ, ବିଶ୍ୱାସ, ଭରସାର ସ୍ପର୍ଶେ
ସଦା ମହୀୟାନ ସିଏ ।
ମାଆର ମମତା ଧୈର୍ଯ୍ୟର ଶିଳାଟେ
ଝଡ଼ ଝଞ୍ଜାକୁ ସମ୍ଭାଳେ
ମମତା ସ୍ରୋତରେ ନିଜକୁ ଡୁବାଇ
ପ୍ରୟାସ ଯଜ୍ଞରେ ଜଳେ ।
ମାଆର ମମତା ଅଟେ ଚିରସ୍ରୋତା
ସ୍ୱଚ୍ଛଳ ନିର୍ମଳ ଗତି
ମମତା ଦାନରେ ମାତା ଆନନ୍ଦିତ
ସନ୍ତାନ ସର୍ବସ୍ୱ ମତି ।
ମମତାର ମୂଲ କିଏ ବା ସୁଝିବ
ଦୁର୍ମୁଲ୍ୟ ମାଣିକ ସିଏ
ମାଆର ମମତା ସଦା ଯେ ପ୍ରଣମ୍ୟ
ମାଆକୁ ପ୍ରଣାମ ଦିଏ ।
