STORYMIRROR

Jagannath Barik

Abstract

4  

Jagannath Barik

Abstract

ହେ ଈଶ୍ୱର ବିଚିତ୍ରକର୍ମା

ହେ ଈଶ୍ୱର ବିଚିତ୍ରକର୍ମା

1 min
468

ହେ ଈଶ୍ୱର ତୁମେତ ବିଚିତ୍ରକର୍ମା

ପୂରିଅଛ ଭୂମିଠାରୁ ଭୂମା

ଅଣୁ ଅନ୍ତରୀକ୍ଷ ସ୍ଫୁରେ ତୁମରି ମହିମା

ବେଦ କଳି ନପାରଇ ତୁମ ଗୁଣସୀମା ।।

ତୁମେ ନିର୍ବିଶେଷ ବ୍ରହ୍ମ ସତ୍ୟ ସନାତନ

ଅନନ୍ତ ଅକ୍ଷୟ ନିର୍ବିକଳ୍ପ ନିରଞ୍ଜନ

ତୁମେ ମୁନି ହଂସ ଧନ ପରମ ବନ୍ଦନ

ଅନ୍ତର୍ଗତେ କୋଟିଏ ନମନ ।।

ପୟର ପାତାଳ ତୁମ ମସ୍ତକ ଅମ୍ବର

ମାଳ ମାଳ ବିଶ୍ୱ ରାଜେ ତୁମର ଉଦର

ତୁମେ କାଳ ମହାକାଳ ସର୍ବ ଶକ୍ତିଧର 

ନିୟାମକ ସୃଷ୍ଟି ପ୍ରଳୟର ।।

ମହାକାଳୀ ମହାଲକ୍ଷ୍ମୀ ମହାସରସ୍ୱତୀ

ତୁମେହିଁ ପ୍ରକୃତି ନିଜ ଶରୀରୁ ଉତ୍ପତି

ବାଗୀଶା ବଦନେ ଲକ୍ଷ୍ମୀ ବକ୍ଷେ ନିବସତି 

ନଖ କୋଣେ ଗଙ୍ଗା ପୁଣ୍ୟବତୀ ।।

ଚାରିବେଦ ଅଷ୍ଟାଦଶ ପୁରାଣ ଯାହାର

ଗୁଣଗାନେ ଯୁଗେ ଯୁଗେ ରତ ନିରାଧାର

ମର୍ତ୍ତ୍ୟାମର୍ତ୍ତ୍ୟ ତଳାତଳ ଯାର ପରିଚାର

ହେ ଈଶ୍ୱର କୋଟି ନମସ୍କାର ।।

ଆତ୍ମା ରୂପେ ସର୍ବଘଟେ ତୁମେ ବିରାଜିତ

କର୍ମ ସୂତ୍ରେ ବାନ୍ଧି ଜୀବେ ସାକ୍ଷୀ ରୂପେ ସ୍ଥିତ

ବ୍ରହ୍ମାଣ୍ଡକୁ ମାୟାର୍ଣ୍ଣବେ କରି ନିମଜ୍ଜିତ

ଊର୍ଣ୍ଣନାଭ ବତ ବିକ୍ରୀଡ଼ିତ ।।

ତୁମେ ବିଶ୍ୱ କଳାକର ଅଦ୍ୱୈତ ନାୟକ

ଦିବାରାତ୍ର ଭଲମନ୍ଦ ସୁପୂଣ୍ୟ ପାତକ

ଜନ୍ମ ମୃତ୍ୟୁ ହାନିଲାଭ ମାରକ ତାରକ

ବୈପରୀତେ ଚାଳି ସୃଷ୍ଟି ଚକ୍ର ।।

ଦୁସ୍କୃତି ବିନାଶ ସନ୍ଥ ଜନ ପରିତ୍ରାଣ

ଅର୍ଥେ ଅବତର ଧରାଧାମେ ଧର୍ମରାଣ 

ସୃଷ୍ଟି କର ମଧୁମୟ ଆହେ ଆର୍ତ୍ତତ୍ରାଣ

ନିରାମୟ ହେଉ ବିଶ୍ୱପ୍ରାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract