STORYMIRROR

Pratap Swain

Abstract

4.6  

Pratap Swain

Abstract

ମୋ ଗାଁ ରେ ରାମଲୀଳା

ମୋ ଗାଁ ରେ ରାମଲୀଳା

2 mins
376



ପ୍ରତିବର୍ଷ ମୋ ଗାଁରେ ରାମ ନବମୀରେ

ରାମଲୀଳା ଅଭିନୟ ଚାଲେ ଆନନ୍ଦରେ।

ପ୍ରତି ଘରେ କଳାକାର ମାନେ ଖାଇଥାନ୍ତି

ରାତିହେଲେ ଅଭିନୟ ମଞ୍ଚରେ କରନ୍ତି।

ପିଲାବେଳେ ସବୁରାତି ରାମାୟଣ ଦେଖି

ଚାଟଶାଳୀ ସକାଳକୁ ଯାଉଥିଲୁ ନିତି।

ଶିକ୍ଷକ ପଢାନ୍ତି ଯେବେ ମିଶାଣ ଫେଡାଣ

ମୋ ଆଖିରେ ସେତେବେଳେ ନିଦ୍ରା ଭଣଭଣ।

କରୁକରୁ ମିଶାଣ ମୁଁ ପଡିଥିଲି ଶୋଇ

ବେତ୍ରାଘାତେ ଉଠି ପୁଣି ଲେଖିଥିଲି ମୁହିଁ ।

ଶିକ୍ଷକ ଆକଟ କଲେ ଯାତ୍ରା ନଯିବାକୁ

ନିର୍ଭର ପ୍ରତିଶୃତି ମୁଁ ଦେଲି ଯେ ତାହାଙ୍କୁ ।

ପୁଣି କିନ୍ତୁ ଯାଇଥିଲି ଯାତ୍ରା ଦେଖିବାକୁ

ଶିକ୍ଷକ କିଏ ସେ ଯାତ୍ରା ଦେଖା ରୋକିବାକୁ।

ଏମିତି ସାଙ୍ଗମାନଙ୍କ ଅକାଟ୍ୟ ବଚନ

ଲାଗୁଥାଏ ଆମେ ଆହା କେତେ ଯେ ସ୍ବାଧୀନ ।

ସେଦିନ ନାଟକ ଥିଲା ରାମ ବନବାସ

ଭରପୁର ଥିଲା ଦର୍ଶକରେ ଯାତ୍ରା ମଞ୍ଚ।

ଧିରେ ଧିରେ ନାଟକଟି ଅଗ୍ରଗତି କଲା

ରାମ ବନବାସ ଦୃଶ୍ଯ ଆସି ପହଞ୍ଚିଲା ।

ମଞ୍ଚ ଚାରିପାଖେ ଯେବେ ଦେଖୁଥିଲୁ ଆମେ

କାନ୍ଦୁଥିଲେ ଦର୍ଶକ ଯେ ବସି ନିଜସ୍ଥାନେ।

ଲାଗୁଥିଲା ଏ ଦର୍ଶକ ଅଯୋଧ୍ୟା ର ପ୍ରଜା

ଏମାନଙ୍କ ଇଚ୍ଛା ଥିଲା ରାମ ହେଉ ରାଜା।

ମନ୍ଥରା ଓ କୈକେୟୀ ଙ୍କୁ ଗାଳି ପଡୁଥାଏ

ମଝିରେ ମଝିରେ କିଏ ମୁହଁ ମୋଡୁଥାଏ।

ତାହାର ସୁଯୋଗ ନେଇ ଆମେ କେତେଜଣ

ମନ୍ଥରା ଓ କୈକେୟୀଙ୍କୁ ମାରିଥିଲୁ ପାନ।

ପାନରେ ଭରିଥିଲୁ ଯେ ଶୁଷ୍କ ଧଳାବାଲି

ମନ୍ଥରା ଆଖିରେ ବାଲି ପଶିଗଲା ପୁଣି।

ଆମ ସାଙ୍ଗ ଭାବୁଥିଲା ସେ ଜିତିଛି ଗଡ

ଏହି ସମୟରେ କିଛି ହେଲା ଗଡବଡ।

ପିଠିରୁ ତା ଶୁଭୁଥିଲା ଘଡଘଡ ନାଦ

ସତେକି ଘଡଘଡି ର ଅଦ୍ଭୁତ ସେ ଶଦ୍ଦ ।

ତାର

ମାଡ ଦେଖି ଆମେ ଧାଇଁଲୁ ଘରକୁ

ରାମବନବାସ ଯାତ୍ରା ପକାଇ ପଛକୁ।

ସକାଳକୁ ଗାଆଁ ରେ ଯେ ସେହି ଆଲୋଚନା

ପିଲାଙ୍କ ଯାତ୍ରା ଦେଖାରେ ହେବ କଟକଣା।

ମନ ଦୁଃଖ ଭାରି ହେଲା ଶୁଣି ଏ ନିଷ୍ପତ୍ତି

ଯାତ୍ରା ଦେଖା ଆମର ଯେ ହୋଇବ କେମିତି।

ପୋଖରୀ ତୁଠକୁ ଗଲୁ ଗାଧୋଇବା ପାଇଁ

ଶାଶୁ ବୋହୁ କଳି ଏଠି କାଲି ଯାତ୍ରା ନେଇ।

ରାମ ବନବାସ କାଲି ଦେଖିନାହିଁ ଶାଶୁ

ପଡିଥିଲା ଘୁମେଇ ସେ ଦୃଶ୍ୟ ଆସୁ ଆସୁ।

ବୋହୂ ଉପରେ ଆରୋପ ଶାଶୁ ଯେ ଲଗାଇ

ଚଉଦ ପୁରୁଷ ତାର ଉଦ୍ଧାର କରଇ।

ମରିବା ବୟସ ତାର ଶାଶୁ ଯେ କହଇ

ବନବାସ ଦେଖିଥିଲେ ମୁକ୍ତି ଥାନ୍ତା ହୋଇ।

କେଉଁଠୁ ଆଣିଲି ମୁଁ ଏ ପୋଇଲି ଛୁଆ

ହିଂସା ରେ ଭର୍ତ୍ତି ତା ମନ କରୁଛି କଜିଆ।

ଦେଖିଲୁ ଯେ କଳି ଏଠି ଛିଡିବାର ନାହିଁ

ଅନ୍ଯ ମାଇପେ ଶାଶୁକୁ ଦେଲେ ଉସୁକାଇ।

ଲାଗୁଥିଲା ସତେ ଆଜି ରାମ ଓ ରାବଣ

ଯୁଝୁଛନ୍ତି ନିଜ ମଧ୍ଯେ ଧରି ଯେଝା ସୈନ୍ଯ।

ଉପାୟ ଗୋଟିଏ ପାଞ୍ଚି ଗଲୁ ବୁଢି ପାଶ।

କହିଲୁ ଆଜି ବି ହେବ ରାମ ବନବାସ।

ଶାଶୁ ବୋହୂଙ୍କର ଏବେ ଛିଡିଗଲା କଳି

ଘରକୁ ଗଲେ ସେମାନେ ଭାଗ୍ଯ ଦୋଷ ଧରି।

ଅନ୍ଯ ରମଣୀ ମାନଙ୍କ ମନ ଦୁଃଖ ହେଲା

ଯେହେତୁ ଛିଡିଲା ଶାଶୁ ବୋହୂର ଝାମେଲା।

ଆମକୁ ଦେଲେ ଯେ ଗାଳି କହିବାରୁ ମିଛ

ନିଶ୍ଚୟ ବୁଢି ତୁମକୁ ଦେବ ଅଭିଶାପ।

ଅଭିଶାପ ଦେଉ ପଛେ ଆମକୁ ସେ ବୁଢି

ଗର୍ବ କରୁଥିଲୁ ଶାଶୁ ବୋହୂ କଳି ଟାଳି।

ସେ ଦିନର ରାମଲୀଳା ଆଜି ଆଉ ନାହିଁ

ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି।

ଫୁଙ୍ଗୁଳା ନାଚରେ ଫାଟେ ତିନିଖଣ୍ଡ ଗାଁ

କେହି ଧରୁନାହିଁ ଆଉ ରାମଲୀଳା ନାଆଁ ।


 



Rate this content
Log in

Similar oriya poem from Abstract