STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜାଣେନା କାହିଁକି

ଜାଣେନା କାହିଁକି

1 min
391

ଜାଣେନା କାହିଁକି

ନିଜ ଯୁକ୍ତିରେ ମୋହର ମାରିବାକୁ

ଏତେ ଆତୁରତା

ସ୍ୱଭାବ ସଂକ୍ରମିତ ହୁଏ

ଜିତିବାର ପ୍ରଗଳ୍ଭତାରେ

ନିଜକୁ ଉଚିତ ପ୍ରମାଣିତ କରିବାକୁ

କାହିଁକି ଏ ପ୍ରତିଯୋଗିତା

କଣ ହାରିଗଲେ ସବୁ ସରିଯାଏ !

ନା ଜିତିଗଲେ ସବୁ ମିଳିଯାଏ !

ସାବ୍ୟସ୍ତ କରିବାର ନିଶାରେ

ହଜିଯାଏ ବାସ୍ତବତା

ବିଜ୍ଞାପିତ ହେବାର ଆକାଂକ୍ଷାରେ

ଲୁପ୍ତ ହୁଏ ଉତ୍କର୍ଷତା

କେଜାଣି କି ଖୁସି ମିଳେ

ସମ୍ମୁଖସ୍ଥ ଲୋକଟିର

ଦେଖିଲେ ନତଶିର

କାହାକୁ ଚୁପ କରିଦେବାର ପ୍ରୟାସରେ

କାହିଁକି ଏ ତୁଛା ଅହଙ୍କାର

ତଥାପି କେଜାଣି କାହିଁକି 

ମଣିଷଟିଏ ମଣିଷକୁ ଜିତିବାରେ

ଏପରି ଉତ୍କଣ୍ଠା

ଅମାନୁଷିକତାର ଏ ନୁହେଁ କି

ଏକ ରୁଗ୍ଣ ପରାକାଷ୍ଠା !

ଜାଣେନା କାହିଁକି

ଚିକଚିକ କରୁଥିବା ସୁଖର

ସେ ଜଳଛାୟା ପଛରେ ଏତେ ଭିଡ଼

ପ୍ରାପ୍ତିର ଅଭିଳାଷରେ ସେ

ଭାଙ୍ଗିବାକୁ ପଛାଏ ନାହିଁ ଅପରର ନୀଡ଼

ହାସଲ କରିବାର ନିଶାରେ

ସେ ଯେ ନିଜେ କେତେ କ୍ଷୟଗ୍ରସ୍ତ ହୁଏ

ବୁଝିବାର ଶକ୍ତି ତାର ଲୋପ ପାଇଯାଏ 

କଣ ପାଇଗଲେ ସବୁ ମିଳିଯାଏ !

ନା ଅନେକ କିଛି ବାକି ରହିଯାଏ !

ସୁଖର ସେ ସଂଜ୍ଞାହୀନ ଠିକଣାରେ

କେବେ କେହି ପହଞ୍ଚି ପାରେନା

କି ଆଶାର ଏ ଚକ୍ଷୁବନ୍ଧନର ପ୍ରଭାବ

କେବେ ବି ସରେନା

ତଥାପି କେଜାଣି କାହିଁକି

ଆକାଶ ଛୁଆଁ ନିଶୁଣିରେ ଆଜି

ଏତେ ସଂଖ୍ୟାରେ ଚଢାଳି

ମଣିଷର ଏ ନୁହେଁ କି ଅଜ୍ଞାନତାର ଏକ

ଦୁର୍ଭେଦ୍ୟ ଶିକୁଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract