STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ନଭେମ୍ବର ମୋହ

ନଭେମ୍ବର ମୋହ

1 min
256

ନଭେମ୍ବର ନଭେ ଘୁମନ୍ତ ସୂରୁଜ

ମଉଳି ମଉଳି ଯାଏ,

ସଞ୍ଜ ଦେହ ଛୁଇଁ ଶୀତ ଆସି ଧୀରେ

ଶିହରଣ ଭରି ଦିଏ। 


ରାତିର ଅନ୍ଧାର ଭୟ ଭରିଦେଇ

ଶୀତ ସହ ବସେ ମିତ,

ଶୀତବସ୍ତ୍ର ଭୋଗେ ହିମ ଷଡ଼ଯନ୍ତ୍ର

ବିଛଣାଟା ହୁଏ କ୍ଳାନ୍ତ। 


କାକର ଟୋପାରେ ଗଢ଼ିଦିଏ କେହି

ବିନ୍ଦୁ ବିନ୍ଦୁ ମୋତି ଝରା

ସେ ମୋତି ମୋହରେ ମଉଳି ଯାଏ କି

ନୟନ ଝଲସା ଖରା। 


ଅଳସ ସକାଳ ଆଖି ମଳି ମଳି

କୁଣ୍ଠିତ ଚିତ୍ତରେ ଉଠେ,

ଥର ଥର ହୋଇ ତରାଟ ବିଚରା

ବିଳମ୍ବରେ ବହୁ ଫୁଟେ। 


ଜୀବନ ହିଁ ସାଜେ ଜୀବନ ବଇରୀ

କାକ ସ୍ନାନେ ସରେ କର୍ମ,

ମଧ୍ୟାହ୍ନର ତାପ ପିଠି ଥାପୁଡ଼ାଇ

ଉଷ୍ମତାରେ ଭରେ ମର୍ମ। 


ଜୀବନୀ ସଞ୍ଚାରେ ଚା କପେ ଅଙ୍ଗେ

ନିଇତି ଅତିଥି ସାଜି,

ଦେହ, ବସ୍ତ୍ର ମଧ୍ୟେ ନିବିଡ଼ ସମ୍ପର୍କ

ପାରେନାହିଁ କେହି ଭାଜି। 


ଆଜିକାଲି ଶୀତ ଭାଙ୍ଗେ ନାହିଁ ହାଡ଼

ବାଘ ପରି ନାହିଁ ଭୟ,

ତଥାପି ଏ ଶୀତ ନିଶିଥେ ସଞ୍ଚରେ

ଅଙ୍ଗେ ଅଙ୍ଗେ ହିମ ଭୟ। 


ଲେଖିବସେ ଯେବେ ହେମନ୍ତ ବାରତା

କାକରକୁ ସ୍ୟାହି କରି

ଚାଦର ତଳୁ ସେ ଶୀତ ତନୁ ମନ

ନିଏ ସବୁ କ୍ଳାନ୍ତି ହରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract