ଅଧା ଜୀବନର ଭୋକ
ଅଧା ଜୀବନର ଭୋକ


ଗୋଟିଏ ରାତିରେ, ଯେତେବେଳେ
ଅଧା ଜୀବନ ମୋ ପାଖରେ ଶୋଇଥିଲା,
ଯେହେତୁ, ମୃତ୍ୟୁର ଶୀତଳ ହାତ
ବାକି ଅଧକୁ କାଖେଇ ଧରି ବୁଲୁଥିଲା ।
ବୟସ ସହ ହଜେଇ ଦେଇଥିବା
ସୁଦୂର ସିଧା ରାସ୍ତା ମାନଙ୍କୁ ଖୋଜିଲି ।
ଅତୀତର ଗଭୀର ଅନ୍ଧକାର ମଧ୍ୟରେ
କେବଳ ଅଂକାବଂକା ମୋଡ ରାସ୍ତାମାନେ ଦିଶିଲେ ।
ସେହି ଅନ୍ଧାରକୁ ଦେଖିବା ପାଇଁ
ଛୋଟିଆ ତାରାଟିଏ ବି ମୁଣ୍ଡ ଉପରେ ନଥିଲା ।
ଅଧା ଜୀବନର ଭୟଙ୍କରତା ଭିତରେ ଅନୁଭବ କଲି,
ଏକ ଅବରୁଦ୍ଧ ପଥ ନିକଟରେ ଛିଡା଼ରହିଛି
ଏବଂ ପାଇଲି କିଛି ହାଲୁକା ମୁହୂର୍ତ୍ତ ।
ଜୀବନର କାହାଣୀକୁ ପରବର୍ତ୍ତୀ ଘଟଣାରେ
ପରିଣତ କରିବାକୁ ଚେଷ୍ଟା କଲି ।
ଯେତେବେଳେ ପ୍ରଭାତ ଖୋଲିଲା, ଏବଂ ରାତି ନଥିଲା,
ବାକି ରହିଥିବା ଅଧା ଜୀବନର ଆବର୍ଜନା ଗୁଡ଼ିକୁ ଧରି,
ସଙ୍କୋଚ ମନରେ ଈଶ୍ୱରଙ୍କ ଖୋଲା ଦ୍ୱାର ନିକଟରେ,
ପତଳା ହୋଇ ଛିଡା ହୋଇଗଲି ।
ଅନ୍ଧକାର ଭିତରୁ ଦେଖି ପାରିଲି,
ଅନ୍ଧ କରିଦେଲାଭଳି ଏକ ଯଜୁଲ୍ୟ ଦୀପ୍ତି ।
ଉଷ୍ମ ହୋଇଗଲା ମୋର ଭିତରର ନିଶ୍ୱାସ,
ନିମ୍ନଗାମୀ ନର୍କରୁ ହାତ ଧରି ଟାଣୁଥିଲା ଅର୍ଦ୍ଧେକ ଜୀବନ ।
ଏବଂ ବିସ୍ତୃତ ସର୍ବୋଚ୍ଚ ଶିଖରରୁ ପ୍ରଭାତର ଉଜ୍ଜଳ ପୁରୁଷ
ସମାନ ଭାବରେ ଟାଣୁ ଥିଲା ବାକି ଅଧା ଜୀବନ ।
ଶୋଇବା ସହିତ ବ୍ୟସ୍ତ ରହି ,
ମୁଁ କିପରି ସେହି ପଥରେ ପ୍ରବେଶ କଲି,
ମୁଁ ଜାଣେ ନାହିଁ ।
କେବଳ ଏତିକି ମୁଁ ଜାଣେ,
ଯେତେବେଳେ ମୋର ପାଦ ଗଭୀର ଅନ୍ଧକାରରୁ,
ଏକ ଆଲୋକିତ ରାସ୍ତାକୁ ଖୋଜିଲା,
ମୁଁ ପଛକୁ ଚାହିଁଲି, ଲାଗିଲା -
ଯେପରି ଗଭୀର ସମୁଦ୍ରର ଶକ୍ତିଶାଳୀ ଜୁଆରରେ ବୁଡ଼ି ଯାଉଥିବା ବେଳେ
ମୁଁ ବିସ୍ମିତ ହୋଇ ନିଜକୁ ମିଛ କହୁଛି !
ପ୍ରସସ୍ଥ ବର୍ଜ୍ୟବସ୍ତୁ ମାନଙ୍କୁ ଧରି ସଂସାର କୂଳରେ
ପୁଣି ପହଂଚିବାକୁ ଆଖି ବୁଜି ଚେଷ୍ଟା କରୁଛି ।
ଯେତେବେଳେ ମୋର ଆଖି,
ସେହି ଭୟର ସର୍ବେକ୍ଷଣ ଆରମ୍ଭ କଲା,
ସେତେବେଳେ ମୋର କ୍ଳାନ୍ତ ଅବୟବ ବିଶ୍ରାମ ଖୋଜିଲା ।
ଏବଂ ସର୍ବଦା ଧାବମାନ ମୋ ହୃଦୟ ଶାନ୍ତ ହୋଇ ଆସିଲା !
ମୁକ୍ତି ପାଇଁ ଦୌଡିବାକୁ ଯେବେ ଚାହିଁଲି,
ପାଦ ଦୁଇଟିକୁ ଜୀବନ୍ତ ପାଇଲି ନାହିଁ ।
ମୁଁ ସ୍ଥିର କଲି ମୋର ଅଗ୍ରଗାମୀ ପଦକ୍ଷେପ ହେବ –
ନର୍କର ଗର୍ତ୍ତକୁ ଏଡ଼ାଇବା ।
ମୋର ଡାହାଣ ପାଦ ନର୍କରେ ଥାଇ ବି,
ମୁଁ ସ୍ୱର୍ଗର ଈଶ୍ୱରଙ୍କୁ ପାଇଯିବି ବୋଲି ଦାବି କରୁଥିଲି !
ନିମ୍ନକୁ ମୁଁ ଆଉ ଚାହିଁଲି ନାହିଁ , ଚତୁର୍ଦ୍ଦିଗରେ ଚୋରା ବାଲିର ଖାଲ ।
ଚଳପ୍ରଚଳ ହେଉଥିବା ଅଳ୍ପ ଜୀବନକୁ ,
କ୍ଷମା ଦେବା ପାଇଁ ଉଭୟ ହାତ ପରସ୍ପରକୁ ଜାବୁଡି ଧରିଲେ !
ସକାଳ ଏବଂ ବସନ୍ତର ନିଶ୍ୱାସ ସହ ସ୍ୱଳ୍ପ ଜୀବନ,
ବିସ୍ତାରିତ ଆଲୋକକୁ ଚାହିଁଲା ।
ମେଷ ରାଶିର ସୂର୍ଯ୍ୟ ସହିତ ତାରକାମାନଙ୍କ ଈଶ୍ୱରୀୟ ପ୍ରେମ ,
ଦେଲା କିଛି ହାଲୁକା ଭରସା; କିଛି ହାଲୁକା ଆଶା ।
ମନେ ପଡିଗଲା ଯେତେବେଳେ ମୁଣ୍ଡ ଝୁଲା ହୋଇ
ତଳକୁ ଓହ୍ଲାଇ ଥିଲି ସେଦିନ !
ଏବଂ ପଛେ ପଛେ ଆସିଥିଲା ପୁରା ମଣିଷଟା,
ଏକ ଗୁମ୍ଫାର ପାଟିରୁ ନାଲି ରଙ୍ଗ ବୋଳି !
ଆସୁ ଆସୁ ପେଟର ନିୟୁତ ଭୋକ ସିଂହଗର୍ଜନ ପରି କାନ୍ଦିଥିଲେ !
ଏ ପର୍ଯ୍ୟନ୍ତ ବି ସେ ଭୋକ ମେଣ୍ଟିଲା ନାହିଁ !
ଉପର ଉଡ଼ାଣ ନେବାକୁ ଓ ପରବର୍ତ୍ତୀ ରାସ୍ତା ପାଇଁ
ଯେତେବେଳେ ହୃଦୟର ନିଶ୍ୱାସ ପ୍ରସ୍ତୁତ ହେଲା ;
ମୋର ଚିନ୍ତିତ ଆଖି ଅନୁସନ୍ଧାନ କଲା ମୋ ପ୍ରଥମ ଆଵିର୍ଭାଵର ମୁହୂର୍ତ୍ତକୁ ।
ଏକ ଗଧିଆ ପରି ଶୋଇରହି ଛାତିର ସେଇ ପତଳା ଚମକୁ ଚାଟୁଥିଲି,
ଏବଂ ଅପେକ୍ଷା କରିଥିଲି ଈଶ୍ୱରଙ୍କୁ ,
କିନ୍ତୁ ସେ ଥିଲେ ନିର୍ଦ୍ଦୟ ଯାହାଙ୍କୁ ଦେଖି ମୁଁ ଥରି ଉଠିଲି ।
କାରଣ ସେ ମୋ ହାଡ଼ ମଧ୍ୟରେ ଭରି ଦେଇଥିଲେ ଶୋଇ ରହିଥିବା
ପୂର୍ବ ପ୍ରସ୍ତୁତ ଅସଂଖ୍ୟ ଦୁଃଖ, ସମସ୍ତ ଚିନ୍ତା ।
ଏକ ସୂର୍ଯ୍ୟହୀନ ରାତିରେ ସେଦିନ ଭୟଭୀତ ହୋଇ
ନିଜକୁ ନିଜ ଛାଇ ସହ ଦୌଡିବାକୁ ଚାହିଁଲି ।
କିନ୍ତୁ ଯେତେବେଳେ ମୁଁ ତାଙ୍କ ସହ ମୁହାଁମୁହିଁ ହୋଇଗଲି,
ମତେ ସେ ବାଧା ଦେଲେ ଏବଂ ନୀରବତା ଠାରୁ ଦୁର୍ବଳ ସ୍ୱରରେ କହିଲେ -
"ଏଠାରୁ ଯାଇ ତୁମେ କେଉଁଠାକୁ ଯିବ? ଯେଉଁଠାକୁ ଯାଅ,
ଧ୍ୟାନ ଦିଅ। ତୁମ୍ଭେ ପୁଣି ଏଠାକୁ ଫେରିବ !
ମୁଁ କାନ୍ଦିଲି ଓ କହିଲି , "ମତେ ଦୟା କର!
ଏହି ଉଷ୍ମ ପୃଥିବୀକୁ ଆସି ,ପୁଣି ମର୍ତ୍ତ୍ୟର
ଆବଶ୍ୟକତା ଅନୁଯାୟୀ କବର ନେବାକୁ ମୁଁ ଚାହୁଁ ନାହିଁ । "
ସେ ଉତ୍ତର ଦେଲେ - "ମୁଁ ଛାଇ, ମୁଁ ବି ଦିନେ ମଣିଷ ଥିଲି ;
ଏବେ ବି ଦ୍ୱାରକାର ଅଜ୍ଞାତ ସମୁଦ୍ର ମତେ ଖୋଜୁଛି !
ଆଗକୁ ତୁମର ଆଶାର ପର୍ବତ
ତୁମ ମନୋନୀତ ଜିନିଷ ତୁମେ ଏଠାରେ ପାଇପାରିବ । "
ଫେରିବାକୁ ବସିଲିଣି କିନ୍ତୁ, ଏବେ ବି ମୁଁ ଚାହିଁଛି ମୋ ଇପ୍ସିତକୁ ।।