STORYMIRROR

Prasanta Beuria

Abstract

3  

Prasanta Beuria

Abstract

ପାଶବଦ୍ଧ ସତ୍ଯ ଓ ଚିନ୍ମୟ ଆନନ୍ଦ

ପାଶବଦ୍ଧ ସତ୍ଯ ଓ ଚିନ୍ମୟ ଆନନ୍ଦ

2 mins
23

ବିଷ୍ଣୁ ରୁ କୃଷ୍ଣ , କୃଷ୍ଣ ରୁ ନୀଳମାଧଵ ଓ ନୀଳମାଧଵ ରୁ ଦାରୁ 

ଆଉ ଏବେ ଦାରୁ ରୁ ତୁମେ ଜଗନ୍ନାଥ।

ଜରାଶବର ରୁ ବିଶ୍ୱାବସୁ , ବିଶ୍ୱାବସୁ ରୁ ବିଦ୍ୟାପତି  

ବିଦ୍ୟାପତି ରୁ ଇନ୍ଦ୍ରଦୁମ୍ନ , ଇନ୍ଦ୍ରଦୁମ୍ନ ରୁ ଗଜପତି।

ନେଳିଆ କୃଷ୍ଣ ରୁ ନୀଳ ମାଧବ 

ନୀଳମାଧଵ ରୁ କାଳିଆ ସାଆନ୍ତ।

 

ଗଛ : କାଠ : ଦାରୁ : 

ପ୍ରକୃତି : ପ୍ରତିକୃତି : ମୂର୍ତ୍ତି :

ଶକ୍ତି : ଆତ୍ମା : ପରମାତ୍ମା :

ବିଶ୍ୱାବସୁ : ବିଶ୍ୱକର୍ମା : ବାଡ଼ଗ୍ରାହୀ :


କୋଷ ରେ କାରୁକୀର୍ତ୍ତି ଏବଂ କାରୁକୀର୍ତ୍ତିରେ ଜୀବନ୍ୟାସ 

ସୃଷ୍ଟି ହୁଏ ମଣିଷ କିମ୍ବା ଠାକୁର।

ଶରୀର ଭିତରେ ବ୍ରହ୍ମ , ଦାରୁ ଭିତରେ ବ୍ରହ୍ମ। 

ତୁମେ ତମରି ଭିତରେ , ତୁମରି ଭିତରେ ତମେ 

ପରମ ପ୍ରେମରେ : ଆନନ୍ଦରେ : ମହାନନ୍ଦରେ।

 

ସଂଲଗ୍ନ : ବିଲଗ୍ନ : ନଗ୍ନ 

ତୁମେ ତମରି ଭିତରେ ତଲ୍ଲୀନ। 

କାଳ : ମହାକାଳ : ପଞ୍ଚଭୂତ : ମହାନ ମୁହୂର୍ତ୍ତ

ଇହ ଓ ପର : ମୁଁ ତୁମର 

ମୋ’ରି ମଧ୍ୟରେ ତୁମେ ମୋ'ର ।


କବଳିତ ଅବୟବ ଭିତରେ ଅଣନିଶ୍ୱାସୀ ଏ ଜୀବ ।

ପ୍ରତିଟି ମୁହୂର୍ତ୍ତ ଯେ ଈର୍ଷା, ହିଂସା ଓ ପ୍ରତିହିଂସା 

ଅଧରରେ ଜଗନ୍ନାଥି ହସ ଓ ଆଖିରେ କୁମ୍ଭୀରର ଶୋକ !


ଏକା ଏକା ଏଠି, ତୁଠ ଅତୁଠ; ଭେଟ ନାଟ ଘାଟ,

ଏକା ଏକା ଏକାଠି ଏଠି ଶ୍ମଶାନ : ସିଂହାସନ : ସ୍ପନ୍ଦନ ।  

ସଂସାର ଏଠି -

ବଂଶୀସ୍ଵନ ପରି ଲୋଭନୀୟ ଓ ବନସି୍ କଣ୍ଟା ପରି ଆକର୍ଷକ।

 

ନଗ୍ନ ନାଚରେ ମଗ୍ନ ସଂସାରୀ, ଥିବା ଯାଏଁ ସଶରୀରୀ

ମହାବାହୁ ବଂଚିବା ଅଧିକାର ଅକ୍ଷୁର୍ଣ୍ଣ ରହୁ

ପଞ୍ଚ ଭୂତରେ ପଞ୍ଚାମୃତ ସଦା ଲେସି ହୋଇ ରହିଥାଉ।


ଜନ୍ମ ଲଗ୍ନରୁ ଶ୍ମଶାନ ଦୁଆର ପର୍ଯ୍ୟନ୍ତ ଶୁଭୁଥାଏ, 

ମାଟିଆ ଚିଲର ଚିତ୍କାର, 

ଅନାହତ ଧ୍ୱନି !

ଜୀବନ କାହାକୁ କହିବା - 

ତଳେ ଘୁରୁଥିବା ନଟୁ ? 

ନା' ନଟେଇରୁ କଟି ଯାଇଥିବା ଗୁଡ଼ି ?


କେଉଁଠି ସାଇତିଵି ଜୀବନର ଆଲୁଅ ଓ ଅନ୍ଧାର 

କିଏ ଏଠି ଚିରକାଳ ?

ଆଜି ଏଠି ଜଣେ ତ କାଲିକୁ 

ଆଉ କାହାର ପାଳି। 

ସଜଡା ସାଇତା ପାଇଁ, ନିମିଷକ ପାଇଁ 

ଅଟକି ପାରିବ କି ମହାକାଳ ?


ଉଡ଼ାଅ ଅବିର ଖଇ ଖୁଚୁରା ଯିଏ ଯା'ର

ନାଚନ୍ତୁ , ନାଚୁଥାନ୍ତୁ ଉଦଣ୍ଡ ଦାଣ୍ଡିଆ ସ୍ୱର୍ଗଦ୍ୱାର ରାସ୍ତାଯାକ। 

ଜଗନ୍ନାଥେ ! ସଶରୀରେ ଥିଲା ଯାଏଁ ହସୁଥାଅ ରଥେ 

କଣିକାଏ ନିର୍ମାଲ୍ୟ ପ୍ରୀତିର ପ୍ରତୀକ୍ଷାରେ ଏ ପାତାଳି ସଂସାରୀ।

 

ବୁକୁତଳେ ମୁଠାଏ ସ୍ୱପ୍ନ : ବଡଦାଣ୍ଡ 

କାଣିଚାଏ ଆଶ୍ୱାସ : ସ୍ୱର୍ଗଦ୍ୱାର 

ଆଞ୍ଜୁଳାଏ ପାଣି : ମହୋଦଧି 

ହଂସା ଉଡିଲା ବେଳେ :

ତୁମ ସହ ମୁଁ ଶୁନ୍ୟରେ ଥିବା ନା ପୂର୍ଣ୍ଣରେ ଥିବି ? 

ନା ଏକ ବାହାର ଇଲାକାରେ ଏକା ଏକା ବଳକା ?

 

ମୁକ୍ତି ନୁହେଁ ମୁକ୍ତ ହେବାକୁ ଚାହେଁ 

ବାରମ୍ବାର ଚାଲିବାକୁ ବଡ଼ଦାଣ୍ଡ ,

ଚଢ଼ିବାକୁ ବାଇଶି ପାହାଚ, 

ଏବଂ ବୁହା ହେବାକୁ ସ୍ୱର୍ଗଦ୍ୱାର 

ବାରମ୍ବାର ଆବାହନ, ସଂସ୍ଥାପନ, ସମାର୍ଚ୍ଚନା  

ଉପାସନା ଓ ପୁନଶ୍ଚ ବିସର୍ଜନ।

ଯୋଜନ ଯୋଜନ ଜରାୟୁରୁ କର ମତେ ବନ୍ଧନ ମୁକ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract