ବର୍ଷା
ବର୍ଷା
କାଳି ଗାଈ ପହ୍ନା ପରି
ଆକାଶ ଛାତିରୁ ଝୁଲିପଡେ
ଓଦା ଓଦା ପାଗରେ, ବର୍ଷାଋତୁ ।
ନୂଆ ବୋହୂଟିଏ ପରି
ମଥାରେ ବଉଦ ଓଢଣା ଟାଣି
ଥିରି ଥିରି ଆସେ ବର୍ଷାରାଣୀ ।
ଧାନଖଳା ମନ୍ଦାର ମୂଳରେ
କୁଟାଛତୁ ଫୁଟେ
ବତୁରା ଚେହେରାରେ ।
କଞ୍ଚା ଦୁବ ସଜାଇ
ଭଜା ବିରି ପରି ମାଟିର ଦେହ ବାସେ ।
ଝରକାର ରେଲିଂ ଡେଇଁ
ତରାଟର ଧଳା ଗାଲ ଦିଶେ ।
ଆଷାଢ଼ର ବର୍ଷା ସୁନ୍ଦରୀଙ୍କୁ ଦେଖି ,
ଜ୍ୟେଷ୍ଠର ଡହ ଡହ ତାତିଲା ଖରାରେ
କୃଷ୍ଣଚୂଡ଼ାର ଟହ ଟହ ଲାଲ ହସ ଲିଭିଯାଏ।
ଯିଏ ଦିନେ ଧୁ ଧୁ ଖରାରେ ଜଳି ଜଳି ହସୁଥିଲା
ସତେ ଯେମିତି କହୁଥିଲା -
ବଂଚିବାକୁ ଚାହଁ ଯଦି
ବଂଚ ମୋ ଭଳି ।
ଜୀବନର ପ୍ରଚଣ୍ଡ ତାତିରେ
ନିଜର ଦୁଃଖକୁ ଜାଳି
ହସିବାକୁ ଚାହଁ ଯଦି;
ହସ ମୋ ଭଳି :
ପ୍ରାଣ ଖୋଲି ଅସରନ୍ତି ଲାଲ ହସ ।
ଶ୍ରାବଣର ମେଘକୁ କିଏ
କିପରି ବିଶ୍ୱାସ କରିବ ?
କେତେବେଳେ ସେ ହଠାତ୍
ଅଦିନ କୁଣିଆ ଭଳି ପହଂଚିଯିବ
କାହା ମନ ଅଗଣାରେ ।
ପୁଣି, ଘରର ଝରକା ଠେଲି
ଭିଜେଇ ଦେବ କାହାର ସ୍ମୁତିକୁ ।
ଭୁଲି ଆସୁଥିବା କ୍ଷତକୁ
ଉଖାରି, ପୁଣି ମନେ ପକାଇଦେବ
ହାରିବାର ଅନ୍ତରଙ୍ଗ ଯନ୍ତ୍ରଣା ।
ଶ୍ରାବଣର ବର୍ଷା -
ଏକ କ୍ଷତ ଓ କ୍ଷତିର ଋତୁ
ରିକ୍ତ ଓ ରକ୍ତାକ୍ତ ହେବାର ଋତୁ ।
ଶ୍ରାବଣର ସ୍ୱର -
ପୁଞ୍ଜିଭୂତ ବେଦନାର
ସମ୍ମିଳିତ ଏକ ଦୀର୍ଘଶ୍ଵାସ ।
ଝରକାର ଆରପାଖେ
ଜଳେ, ଅନାସକ୍ତ ବର୍ଷାର ଅଶାନ୍ତ ଶ୍ରାବଣ,
ଯୋଗୀର ଚାତୁର୍ମାସ୍ୟ ଏକାନ୍ତ ଇଛାର ଋତୁ ।
ବର୍ଷାର ନିଆଁରେ ଜଳିବାର ଯନ୍ତ୍ରଣା ;
କାନ୍ଦ କାନ୍ଦ ଆଖିର ଦର୍ପଣରେ,
ଗାଁ ପାଖ ନଈ ପରି -
ଦୁଃଖ ବହୁତ ଚିହ୍ନା ଚିହ୍ନା ଲାଗେ ।
ବର୍ଷା ଆସିବ ଏବଂ
ବିଦା ହୋଇଯିବ
ନିଷ୍ଠୁର ପ୍ରେମିକ ଭଳି
ଆପେ ଆପେ
ଉପହାର ଦେଇଯିବ ଶୋକ ଓ ସଂତାପ ।
ତା'ର ପ୍ରତ୍ୟାବର୍ତ୍ତନରେ
ଆମେ କେବଳ କାଗଜ ଡଙ୍ଗାଟି ପରି
ଭାସୁଥିବା ତା' ବିରହରେ ।
