ଜୀବନକୁ ପ୍ରଶ୍ନ
ଜୀବନକୁ ପ୍ରଶ୍ନ
ମା' ପେଟରୁ ଥରେ ବାହାରି ଆସିଲା ପରେ
ପୁଣି ସେଠାକୁ ଫେରି ହୁଏ ନାହିଁ ।
ଜୀବନଟା ବଢେ , ବଡ ହୁଏ,
ବଢି ବଢି ଦିନେ, ଜୀବନଟା
ପିଲାଦିନ ଜାମା ପରି, ନିହାତି ସଂକୀର୍ଣ୍ଣ ହୋଇଯାଏ
ଖାଇ ସାରିଥିବା ଅଇଁଠା ପତରରେ,
ଲାଗିଥିବା କିଛି ଭାତ ପରି,
ଅର୍ଥଶୂନ୍ୟ ଲାଗେ ଜୀବନ ।
ଅବ୍ୟକ୍ତ କିଛି ଯନ୍ତ୍ରଣା ଉଠ୍ ବସ୍ ହୁଏ
ନିଜଠାରୁ ମୁକ୍ତ ହେବାକୁ ।
କାହିଁକି ନା ନିଜ ଗଢା ଦୁନିଆରେ
ନିଜେ ପୋତି ହୋଇ ଯାଇଥାଏ ।
ଦର୍ପଣ ସାମ୍ନାରେ ନିଜକୁ ଦେଖିଲେ,
ଜଣାପଡେ, ଶତ୍ରୁ ପାଲଟି ଯାଇଛି, ସମୟ ।
ଯେଉଁ ଡାଳରେ ବସିଥାଏ, ସେଇ ଡାଳକୁ କାଟେ ଜୀବନ,
କାରଣ, ସବୁ ସ୍ୱପ୍ନର ଶେଷରେ ଥାଏ ସୂର୍ଯ୍ୟାସ୍ତ,
ସବୁ ବାଙ୍କର ଶେଷରେ ଥାଏ ପାଉଁଶ ।
ଆବେଗର ଆନ୍ଦୋଳନ ସରିଯାଏ,
ଚିତା କାଠ ଜଳିଗଲା ପରି ;
ଜୀବନ ଚାରିପାଖେ ଗଡୁଥାନ୍ତି
ତା' କର୍ମର ଭଙ୍ଗା ହାଣ୍ଡି ।
ଦେଖ୍ ଜୀବନ !
ଚାରିପଟେ ଲାଗିଲାଣି ପୋଷ୍ଟର୍, ତୋ' ପ୍ରସ୍ଥାନର,
ପ୍ରିୟଜନ ମାନଙ୍କର ଓଠରେ ଭାସିଲାଣି,
ଅଦମ୍ୟ ଭାଷା : ତୋ' ବିଦାୟର ।
ତଥାପି, ତୋ ପାଇଁ କେତେ ରଙ୍ଗୀନ, ଏ ଦିଗ୍ ବଳୟ !
କେତେ ଶୋଭାବନ୍ତ, ଏ ଦୁରନ୍ତ ପାହାଡ଼ !
ସୌଖିନ ମାୟାରେ ଚିତ୍ରିତ ଇନ୍ଦ୍ରଧନୁ ।
ଜୀବନ ରେ ! ମୋ ଧନ ! ନିରେଖି ଦେଖେ,
ମାଂସ ଦୋକାନରେ ଛାଡଖାଇ ଭିଡ଼ ପରି,
ଏବେ ବି ଆଶା ମାନେ
ବେଢ଼ି ରହିଛନ୍ତି ତୋ' ଚାରିପାଖରେ ।
କହିଲୁ ଦେଖି -
ପକ୍ଷୀ କ'ଣ ନେଇପାରେ ନିଜ ନୀଡ଼
ଉଡ଼ିଗଲା ବେଳେ ?