ହିରଣ୍ମୟ ପୁଲକ
ହିରଣ୍ମୟ ପୁଲକ
ନିର୍ବାସ : ମୁକୁଳା : ନଙ୍ଗଳା :
ହୋଇପାରେ ଫୁଙ୍ଗୁଳା ନାରୀଟିଏ ।
ଦେହକୁ ତା'ର ଗୁଡେଇ ରହିଛି ଆକାଶର ଶୂନ୍ୟତା
ଚାରିପଟେ ପରସ୍ତ ପରସ୍ତ ଅନ୍ଧାରର ପ୍ରାବଲ୍ୟତା ।
ପାଦ ନଖରୁ ମସ୍ତକର କେଶାଗ୍ର
ତା' ସମଗ୍ର ଶରୀର ସମ୍ପଦରେ ଭରପୁର ।
ଅଥଚ ତାକୁ ଦେଖିଲେ ଲାଗୁଛି ଭୋକିଲା କାଶୀପୁର
ସେ ଭୋଗ କରୁନାହିଁ କେବଳ ଭୋଗେଇ ହେଉଛି ।
କାମଂ ହିରଣ୍ମୟଃ ......... ଅତ୍ରାୟଂ ପୁରୁଷଃ ।
ଖସି ପଡେ ଖଟ ତଳେ ବକ୍ଷ - ବସ୍ତ୍ର ଏକ ହଂସ ।
ସ୍ଵାହା ରୁ ସ୍ଵା ହଟିଯାଇ ହାଃ ଟିଏ ହୁଏ ଉସ୍ଥାପିତ ।
ଏକ ସ୍ୟୈଷ ........ ଅମୃତ ! ଅମୃତ ! ଉତ୍କଟ ଆନନ୍ଦ !
ଭାବ : ବିଭାବ : ନିଶ୍ଚିହ୍ନ :
ଦୃଶ୍ୟ : ଦର୍ଶନ : ବିବର୍ଣ୍ଣ :
ସମ୍ଭୋଗ ପ୍ରକ୍ରିୟାରେ ବାସନାର ଉପାସନା ପାଇଁ;
ସେ ନିର୍ବାକ : ନିର୍ଭୋକ : ନିଶ୍ଚଳ :
ନିଡର : ନିଜଡ଼ : ଥର ଥର :
ତଥାପି ଚମ୍ପକ ଚେତନା ପାଇଁ ଅପୂର୍ଣ୍ଣ ତା' ଶୁଷ୍କ ଓଷ୍ଠ ।
କେଉଁ ଲମ୍ପଟ ଚୋଷୁଥାଏ ନିର୍ବିକାର
ଥାନ : ଅଥାନ : ଥନ : ଆନଖ କେଶାଗ୍ରର
ଅବିରତ ନିର୍ଝରିତ ଅମୃତ, ଦେଇ ଜଗନ୍ନାଥି ହସ ।
ଉନ୍ମାଦ : ପ୍ରମତ୍ତ : ବିଦୀର୍ଣ୍ଣ : ବିମନ :
ବିମୁକ୍ତ ହଂସ କରେ ଉଲଗ୍ନ ଅଚ୍ୟୁତ ରାସ ।
ତା' ଦେହରେ ଗମ୍ ଗମ୍ ମେଘ, ହାଉଁ ହାଉଁ ବାଘ,
ସତେକି ଜୀବନ ବଂଚେ, ବଜାଇ ମୃଦଙ୍ଗ ହଟାଇ ମୁର୍ଦ୍ଦାର ।
ହାଃ କି ଆନନ୍ଦ .......
ଉଲଗ୍ନ କୁ ଉଲଗ୍ନ କରିବାରେ !
ଚିତ୍ କଣା ମସୃଣ ତ୍ଵକ୍ କୁ ଚର୍ବିଳ ଚଳୋର୍ମି
ବୈଶାଖ ଝାଞ୍ଜିରେ ଆଉଟାଏ ସତ୍ତା ।
ତା' ପାଇଁ ଧୂ ଧୂ ଖରାବେଳ - ଜ୍ୟୋତ୍ସ୍ନାଲୋକ
ଜହ୍ନର ଧାସରେ ସତେ ଅବା ଜଳେ ତା' ଶରୀର ।
କାମନାର ଚିକ୍ ଚିକ୍ ଇଲିସି ଛାଟି ପିଟି ହୁଏ
ବାସନାର ବାସ ପିନ୍ଧି ନାଚେ ଓ ନଚାଏ କାଳିସୀ ।
କଙ୍କାଳ : ପାଲିଙ୍କି : ପଲଙ୍କ : କଳଙ୍କ :
ପାରିଧି ଓ ମୃଗୟାର ମୋହରେ ବ୍ୟର୍ଥ ହୁଏ
ମହାରାସର ଏକାଦଶ ଅଧ୍ୟାୟ ।
ଜଞ୍ଜାଳରୁ ଜଡତା ନା ଜଡତାରୁ ଜଂଜାଳ ?
ଅନ୍ଧାରକୁ କାନିରେ ବାନ୍ଧି ଅଣ୍ଟିରେ ଖୋସଣୀ କରି
ଜିଇଁବାକୁ ପଡେ ପୋଛି ଦେଇ ବିନ୍ଦୁ ବିନ୍ଦୁ ସ୍ଵେଦ କିମ୍ବା ଅଶ୍ରୁ ।
ନିବିଡ଼ ଆଶ୍ଳେଷ : ନିଘଞ୍ଚ ସାନ୍ନିଧ୍ୟ :
ଅବୋଧ୍ୟ ଅବୋଧ : ନିବଦ୍ଧ ଆରାଧ୍ୟ :
ଅଥଚ -
ନିର୍ଲିପ୍ତ ନିର୍ଲେପ୍ୟ : ଆଲେଖ୍ୟ ଅଲେଖ !
ଚଲାଅ ହେ ପାର୍ଥ , ରଥଚକା
କେତେକ୍ଷଣ କିଏ କାହାର ସହିତ ?
ପ୍ରଣୟରୁ ସମର୍ପଣକୁ ବିଲୀନ ଯାଏଁ,
ଶରୀର ଗୋଟାକ ଯାକ ଝାଞ୍ଜ ମୃଦଙ୍ଗ ।
ଝୁଲଣରେ ଝୁଲି ଝୁଲି ଚାଲିଥାଉ ଝାମୁଯାତ୍ରା ।