ଅନନ୍ତ ଧ୍ବନି
ଅନନ୍ତ ଧ୍ବନି
ସ୍ମୁତି କେବଳ ଅତୀତର ଛାଇ ନୁହେଁ,
ଜୀବନର ଘଟିଥିବା ଘଟଣା ମାନଙ୍କର ସଂସ୍କରଣ ।
ଗଢା ଯାଇଥିବା ମୂର୍ତ୍ତି ମାନେ,
ସମୟ ସହିତ କେବଳ ଭଗ୍ନାବଶେଷ ପାଲଟି ଯାଆନ୍ତି ।
କିନ୍ତୁ ତାଙ୍କ ସ୍ମୁତି ଗୁଞ୍ଜନ କରେ ସଦାବେଳେ, ମନ ଭିତରେ ।
ପଢ଼ିଥିଲି କେଉଁ ଧର୍ମଗ୍ରନ୍ଥରେ, ଶବ୍ଦ ହିଁ ବ୍ରହ୍ମ ଅଟେ ,
ମାତ୍ର, ଜୀବନ ଶିଖାଇଲା ଅନ୍ନ ହିଁ ବ୍ରହ୍ମ ।
କିନ୍ତୁ, ଅସଲରେ ବ୍ରହ୍ମ କେବଳ ଏକ ଯନ୍ତ୍ରଣା ।
ସୃଷ୍ଟିର ସବୁଠୁଁ ମଧୁର ମୁହୂର୍ତ୍ତର,
ଉନ୍ନୟନ ହୋଇଥାଏ ଯନ୍ତ୍ରଣାରେ ।
ଈଶ୍ୱର ନାମକ ଏକ କଳ୍ପନା ହିଁ,
ଉପହାର ରୂପେ ଦେଇଥାଏ ଯନ୍ତ୍ରଣା ।
ସର୍ବଦା ତାଙ୍କୁ ମନେପକାଇବାକୁ,
ଆଉ ନିଜ ମୁକ୍ତିର ମନ୍ତ୍ର ଜପ କରିବାକୁ ।
ସ୍ମୁତି ଅଟେ ଜୀବନର ଇତିହାସ ।
ଯମ ବା ଚିତ୍ରଗୁପ୍ତଙ୍କୁ ଲେଖିବାକୁ ପଡେ ନାହିଁ ପାଞ୍ଜି ।
ଚୟନ କରିବାକୁ ପଡେ ନିଜ ସ୍ୱର୍ଗ କିମ୍ବା ନର୍କ, ସ୍ମୁତି ଭିତରୁ ।
ଆକାଶରୁ ଗୋଟିଏ ତାରା ବାଛିନେଲା ପରେ,
ଆକାଶକୁ ଭାଙ୍ଗି ଚଉତି,
ଗୋଟେ କଣରେ ଫିଙ୍ଗି ଦେବାକୁ ପଡେ ।
କିନ୍ତୁ ଚୟନ ହୋଇଥିବା ତାରା,
ଯେତେବେଳେ ଧୂମକେତୁ ହୋଇଯାଇ,
ନିଜ ଉର୍ଜାରୁ ସୃଷ୍ଟି ହୁଏ ଅସଂଖ୍ୟ ଜ୍ୱଳନ୍ତ ଇଛା ।
ସେତେବେଳେ ହସ ମାନେ,
ଅଟ୍ଟହାସ ହୋଇ ନିଜକୁ ହତ୍ୟା କରନ୍ତି ।
ଯେମିତି ଛିନ୍ନମସ୍ତା ହସିଥିଲେ,
ନିଜ କଟା ମୁଣ୍ଡ ନିଜ ହାତରେ ଧରି ।
ଗ୍ରୀଷ୍ମ, ଶରତ , ଶିଶିର ,ହେମନ୍ତ ମଧ୍ୟରେ,
ଏମିତି ବି ଏକ ଋତୁ ଆସେ,
ଯେଉଁଥିରେ, ଖାଇବା, ପିଇବା, ବଂଚିବା ଅସମ୍ଭବ ଲାଗେ ।
ବିରକ୍ତି ଓ ନିରାଶାର ରକ୍ତ ପ୍ରବାହିତ ହୁଏ ଦେହରେ ।
ନିଦରୁ ଉଠିବା କ୍ଷଣି ହତାଶା କାନ୍ଧ ଉପରେ ବସିପଡ଼େ ।
ପ୍ରେମ, ପ୍ରଣୟ, ଦର୍ଶନ, ବେଦ, ପୁରାଣ,
ସବୁକିଛି ଅରୁଚିକର ଲାଗେ ।
ଯଜ୍ଞର ଧୂଆଁ ପରି, କଣ୍ଠରେ, ନେତ୍ରରେ,
ପ୍ରାଣରେ ଏହି ଋତୁର ଜ୍ୱଳନ ଭରିଥାଏ ।
ଦେହ କଣ ମରିଯାଏ , ଯେବେ ମରିଯାଏ ଆତ୍ମା ?
ଜୀବିତ ରହିବା କଣ କେବଳ ଶ୍ୱାସ କ୍ରିୟା କରିବା ?
କେତେ ଧୁନ୍, କେତେ ରାଗ ଯାହା ସଂଗୀତ ହୋଇ
ଜୀବନରେ ଦିନେ ଉଠିଥିଲା,
ତାହାର ସ୍ୱର କେଉଁଠି ହଜିଯାଏ ?
ପ୍ରଣୟ ଭାଙ୍ଗି ଆସିଲେ କଣ ସାଗର ବି ଶୁଖିଯାଏ ?
ପ୍ରେମକୁ ଓ ଦେହକୁ ଅଲଗା ଅଲଗା ଭାଷା ପଢିବାକୁ ପଡେ ।
ସ୍ପର୍ଶର ଭାଷା ଅଲଗା ଓ ଲୁହର ଭାଷା ଅଲଗା ହୋଇଯାଏ ।
ଜୀବନ କେବଳ କିଛି ପ୍ରତିକ୍ଷାର ରୁଦ୍ଧଶ୍ୱାସ ହୋଇ ରୁହେ ।
ସବୁ ପ୍ରଶ୍ନର ଉତ୍ତର ପ୍ରତୀକ୍ଷାରେ ଥାଏ,
ପ୍ରତୀକ୍ଷା ଯେବେ ପୂର୍ଣ୍ଣ ହୁଏ ସେ ମୁହୂର୍ତ୍ତକୁ ଫାଙ୍କି ହୁଏନା ।
ପ୍ରେମ ତା ମାର୍ଗରେ ବିଚଳିତ ବିଘଟିତ ହୋଇଯାଇ,
ଅନ୍ତରୀକ୍ଷର ମଥାରେ ଗୋଲ୍ ବିନ୍ଦି ପରି,
ନାଲିଆ ସୂର୍ଯ୍ୟ ହୋଇ ଝଟକୁଥାଏ ପ୍ରସ୍ଥାନ ପର୍ଯ୍ଯନ୍ତ ।
ସଂସାରର ସବୁ ଯୁଦ୍ଧ ଲଢ଼ା ହୋଇଛି,
କୌଣସି ସ୍ତ୍ରୀର ଶୂନ୍ୟ ଆଖିର ଉତ୍ତୁଙ୍ଗ ନୃତ୍ୟ ପାଇଁ ।
ତା ଦେହର ମାପଚିତ୍ର ଓ ନକ୍ସା ପଛରେ ଘୁରିବୁଲେ,
ଅସଂଖ୍ୟ ପାଣିଚିଆ ଆଖି ।
ଟ୍ରୟ ର ଇତିହାସ ଲେଖା ହୋଇଥିଲା ହେଲେନ୍ ଆଖିରେ ।
କ୍ଲିୟପାର୍ଟାର ଗର୍ବ ପାଇଁ ଇଜିପ୍ଟ ଓ
ଦ୍ରୌପଦୀର ଅଭିମାନ ପାଇଁ ମହାଭାରତ ।
ସେବେଠାରୁ ଦୁନିଆର ସବୁ ଯୁଦ୍ଧର କାରଣ ସ୍ତ୍ରୀ ହିଁ ରହିଆସିଛି,
ତା ଦେହ ପ୍ରସ୍ତୁତ ହୋଇସାରିଛି ଅନନ୍ତ ଯୁଦ୍ଧସ୍ଥଳ ।
ସ୍ୱର୍ଗର ଦ୍ୱାର ନିକଟରେ ପ୍ରଶ୍ୱାସହୀନ ଦେହର,
ପ୍ରଜ୍ୱଳିତ ପୂର୍ବର ଶୂନ୍ୟ ଆକାଶକୁ, ସ୍ଥିର ଦୃଷ୍ଟି ।
ରୋମନ୍ଥନ ହୋଇଯାଏ ଜୀବନ ଦର୍ଶନ,
ଯେତେବେଳେ -
ଗୋଟିଏ ପିଣ୍ଡିରେ ହୁତ୍ ହୁତ୍ ହୋଇ ଜଳୁଥିବା ଶବ,
ଆଉ ଗୋଟେ ପିଣ୍ଡିରେ ସଜା ହେଉଥିବା
ଯୁଇର କାଠ ଉପରକୁ,
ଧଳାଲୁଗା, ଗେଣ୍ଡୁମାଳା ପିନ୍ଧିଥିବା ଅନ୍ୟ ଏକ ଶବକୁ
ନିମନ୍ତ୍ରଣ କରେ,
ସାଥିହୋଇ ଜଳିଯିବା ପାଇଁ !