କବିତା ଗୋ ତମକୁ ଲେଖିଲା ବେଳେ
କବିତା ଗୋ ତମକୁ ଲେଖିଲା ବେଳେ
କବିତା ଗୋ
ତମକୁ ଲେଖିଲା ବେଳେ
ସମୟ ଅଟକି ପଢିବାକୁ ବସେ
ଜୀବନ ଗୋଧୂଳି ତୀରେ।
ଭିଜା ନୟନର ନାରଙ୍ଗୀ ତଟରେ
ଭାବ ଢଳ ଢଳ ତମେ,
ମନ ମୁକୁରରେ ଢେଉ ଖେଳୁଥିବା
ଋତୁ ଛଳ ଛଳ ତମେ।
କବିତା ଗୋ
ତମକୁ ଲେଖିଲା ବେଳେ
ଶ୍ରାବଣ ଫଗୁଣ କଳହ କରନ୍ତି
ସ୍ଥାନ ପାଇଁ ଶବ୍ଦ ମେଳେ।
ମେଘ ଭର୍ତ୍ତି ଆକାଶର ଛାତି ପରେ
ଘନ ନୀରବତା ତମେ,
ଶ୍ୟାମଳ ଧରଣୀ ରଙ୍ଗ ପସରାରେ
ଗାଢ଼ ପ୍ରଗଳ୍ଭତା ତମେ।
କବିତା ଗୋ
ତମକୁ ଲେଖିଲା ବେଳେ
ଦୂର ଦିଗନ୍ତରେ ଲୁଚି ଲୁଚି ଧରା
ପ୍ରଣୟ ପ୍ରଦୀପ ଜାଳେ।
ପୂର୍ଣ୍ଣମୀର ବେପରୁଆ ପ୍ରହରରେ
ରୌପ୍ୟ ରଶ୍ମିଧାରା ତମେ
ଉଆଁସ ରାତିର ବହଳ ଅନ୍ଧାରେ
ଖଦ୍ୟୋତର ମେଳା ତମେ।
କବିତା ଗୋ
ତମକୁ ଲେଖିଲା ବେଳେ
ପରୀଏ ଓହ୍ଲାଇ ଆସନ୍ତି ଉଲ୍ଲାସେ
ଚୁନା ତାରା ଫୁଲ ମେଳେ।
ଭାବର ଭୀଷଣ ଝଡ଼ ତୋଫାନରେ
ବିଶ୍ୱାସୀ ଆଶ୍ରୟ ତମେ
ବନ୍ଦୀ ଭାବନାର ମୁଦା ମନ୍ଦିରରେ
ଏକାନ୍ତ ପ୍ରଶ୍ରୟ ତମେ
କବିତା ଗୋ
ତମକୁ ଲେଖିଲା ବେଳେ
ଭଙ୍ଗା ହୃଦୟର ଟାଙ୍ଗରା ଭୂଇଁରେ
ଆଶାର ଝରଣା ଝରେ।
ପ୍ରେମର ପ୍ରଲୁବ୍ଧ ପ୍ଲାବନରେ କେବେ
ରାଧା କେବେ ମୀରା ତମେ
ସମ୍ବେଦନା ଭରା କଳସୀଟେ କେବେ
ଅଧା କେବେ ପୁରା ତମେ
କବିତା ଗୋ
ତମକୁ ଲେଖିଲା ବେଳେ
ବାଜିଉଠେ ବଂଶୀ ମୋହିନୀ ରାଗରେ
ଶବ୍ଦକୁଞ୍ଜ ମଧୁପୁରେ।
