STORYMIRROR

Sudruma Panda

Abstract

3  

Sudruma Panda

Abstract

ଋତୁରାଜ ଉପଗତ

ଋତୁରାଜ ଉପଗତ

1 min
222

ଋତୁରାଜ ଉପଗତ ରଙ୍ଗେ ପୁରିଲା ଜଗତ

  ଧରଣୀ ହସିଲା ହୋଇ ବିଚିତ୍ର ବର୍ଣ୍ଣା

ନବ କିଶଳୟ ଶୋଭା ଦିଶେ ଅତି ମନଲୋଭା

  ସରୋବରେ ବିକାଶ ଲଭିଲେ ସୁପର୍ଣ୍ଣା

     ଉପବନେ ଫୁଟି ସୁମନ,

ମଧୁ ବାସ ବିତରଣେ ମୋହିଲେ ମନ ।। ୧


ବଉଳ ସୁବାସ ନେଇ  ମରୁତ ମଳୟ ବହି

    ପୂରାଇଲା ଦିଗ ସୁଗନ୍ଧିତ ସୁଗନ୍ଧେ,

କି°ଶୁକ ହସେ ସୁରଙ୍ଗେ ମାଳତୀ ଅଳସ ଭାଙ୍ଗେ

   ମଲ୍ଲିକା ହସରେ ଭୃଙ୍ଗ ନାଚଇ ଛନ୍ଦେ

    ପୁଷ୍ପ ବାସ ରେ ପ୍ରଲୋଭିତ

  ମଧୁପ ମଧୁ ଆସ୍ବାଦେ ହୁଅଇ ମତ୍ତ ।। ୨

 

 ମଧୂକ ପେନ୍ଥି ସୁଷମ ସୃଜଇ ମୁକୁତା ଭ୍ରମ

  ଚାର କେରି କେରି ଦୋଳେ ମର୍କତ ବର୍ଣ୍ଣେ,  

କୋକିଳ ମଧୁ କୂଜନ ହିଲ୍ଲୋଳିତ କରି ମନ

  ମଧୁ ବରଷାଇ ମଧୁ ବୋଳଇ କର୍ଣ୍ଣେ ।।

     କୁମ୍ଭାଟୁଆ ପତ୍ର ଗହଳେ,

ମଉକା ନିରେଖି ନୃତ୍ୟ କରଇ ତାଳେ ।। ୩


ଫଗୁଣ ଶେଷକୁ ଦୋଳ  ରାଧା ମାଧବଙ୍କ ମେଳ

 ରଙ୍ଗ ବେରଙ୍ଗ ଅବିର ଉଡେ ଗଗନେ,

ବିମାନେ ଦୋଳଗୋବିନ୍ଦ  ଝରେ କୃପା ମକରନ୍ଦ

  ବିଭୋରେ ନାଚନ୍ତି ଭକ୍ତ ଆନନ୍ଦ ମନେ,

     ଭକ୍ତି ରସେ କରି ସ୍ନାହାନ,

  ସାର୍ଥକ କରନ୍ତି ପ୍ରାଣ ଲଭି କଲ୍ଯାଣ ।। ୪



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract