ମିଛ ମଣିଷ
ମିଛ ମଣିଷ
ମିଛଦୁନିଆରେ ସତ ତ ଗୋଟିଏ
ପୂର୍ଣ୍ଣବ୍ରହ୍ମ ପରା ସିଏ,
ଆଉ ସବୁ ମିଛ ମାୟା ମରୀଚିକା
ଭ୍ରମ ସୃଷ୍ଟି କରୁଥାଏ |
ଦୁନିଆକୁ ସତ ଭାବି ଯେ ମଣିଷ
କରୁଛି ସ୍ୱାଧୀନେ ନାଟ,
ମିଛ ସ୍ଵାର୍ଥପାଇଁ ମିଛ ଅଭିନୟେ
ହେଉଛି ସେ କଳୁଷିତ |
ସଂସାର ମାୟାରେ ଛନ୍ଦିତ ଜୀବନ
ହେଉଛି ସେ ସ୍ୱାର୍ଥନ୍ଵେଷି,
ଭୁଲୁଛି ମମତା ପ୍ରିୟ ପରିଜନେ
ଖୋଜେ ନିଜ ପାଇଁ ଖୁସି |
ମିଛର ପ୍ରଲେପ ବୋଳି ସେ ଦେହରେ
ପ୍ରକାଶେ ନିଜକୁ ଭଲ,
ଆଦର୍ଶର କଥା ବଖାଣେ ଲୋକଙ୍କୁ
ସତେ କି ଦେବତା ତୁଲ୍ୟ |
ଭଲ ମଣିଷର ମୁଖାତଳେ ତାର
ଇର୍ଷା ଅସୂୟା ଯେ ଭରା,
ସାଧୁ ବେଶ ଧରି ରାତି ଅନ୍ଧାରରେ
କାରବାର ଚାଲେ ଚୋରା |
କ୍ଷମତା ଲୋଭରେ କେତେ ମିଛ ହସ
ବୁଣେ ଭୁଲାଇବା ପାଇଁ,
ମାଛ ତେଲେ ମାଛ ଭାଜେ ସିଏ ପରା
କଥାରେ ନିଜର ହୋଇ |
ସାଧୁବାଣୀ କହେ ମାଳିକା ବି ଗାଏ
କରେ କିନ୍ତୁ ଲୁଚି ପାପ,
ଦୁର୍ବଳତା ତାର କଳୁଷିତ ମନେ
ନାରୀ ମାଂସେ ହୁଏ ତୃପ୍ତ |
ମିଛ ମଣିଷର କଥାରେ ଛଳନା
ଆଖିରେ ମିଥ୍ୟାର ଲୁହ,
ନର ହତ୍ୟା କରି ସମବେଦନାରେ
ତା ହୃଦୟେ ମିଥ୍ୟା କୋହ |
ଆଜି ଦୁନିଆରେ ଶଠତା ଭରିଛି
ମିଛ ମଣିଷ ତ ବେଶି,
ସତ୍ୟତା ହାରୁଛି, ମିଛ ପାଇଁ କିନ୍ତୁ
ସମର୍ଥନ ମିଳୁଅଛି ||