ବାର ବରଷର ସହିଦ
ବାର ବରଷର ସହିଦ
ସରିନଥିଲା ଯେ ବାଲିଘର ଖେଳ
ବାଲ୍ୟମନ ଚପଳତା,
ଵୁଝିବା ଆଗରୁ ଜୀବନର ଅର୍ଥ
ଜଳିଲେ ହୋଇ ସଳିତା ।
ପିଲାଟି ଦିନରୁ ବାପ ଛେଉଣ୍ଡ ସେ
ନାମ ବାଜିଆ ରାଉତ,
ଦେଶ ସ୍ୱାଧୀନତା ଆନ୍ଦୋଳନେ ଥିଲେ
ସିଏ ସବୁଠାରୁ ଛୋଟ ।
ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର
ଗ୍ରାମେ ହୋଇଥିଲେ ଜନ୍ମ,
ପିତାଙ୍କର ନାମ ହରି ରାଉତ ଯେ
ରାଣିଆ ମାତାଙ୍କ ନାମ ।
ଉଣେଇଶି ଶହ ଛବିଶି ମସିହା
ଅଟେ ଜନମ ବରଷ,
ଅକ୍ଟୋବର ମାସ ପାଞ୍ଚ ତାରିଖରେ
ହୋଇଥିଲେ ସେ ଭୂମିଷ୍ଠ ।
ପରଘରେ କାମ କରି ତାଙ୍କ ମାଆ
ଦୁଃଖେ ଦିନ କାଟୁଥିଲେ,
ଅତି ଅଲିଅଳ ବାଜିଆ ମୁହଁରେ
ହସ ବୋଳି ଦେଉଥିଲେ ।
ଢେଙ୍କାନାଳ ରାଜା ଶଙ୍କର ପ୍ରତାପ
ଥିଲେ ବହୁ ଅତ୍ୟାଚାରୀ,
ସାରଙ୍ଗଧରଙ୍କ ଆହ୍ୱାନେ ହୋଇଲା
ପ୍ରଜା ଆନ୍ଦୋଳନ ଜାରି ।
ଭୟଙ୍କର ଭାବେ ବଢ଼ି ଚାଲିଥିଲା
ଗଡଜାତ ଆନ୍ଦୋଳନ,
ଫିରିଙ୍ଗି ସଇନେ ରକ୍ତମୁଖା ହୋଇ
କଲେ ବିପ୍ଲବ ଦମନ ।
ଭୂବନ ଗ୍ରାମକୁ ଯିବା ଉଦ୍ଦେଶ୍ୟରେ
ଫିରିଙ୍ଗି ସୈନିକବଳ,
ବ୍ରାହ୍ମଣୀ ନଦୀର ମନ୍ଦାର ଘାଟରେ
ପହଞ୍ଚିଲେ ହୋଇ କାଳ ।
ଭୂବନ ପାର୍ଶ୍ୱରେ ଡ଼ଙ୍ଗା ବାନ୍ଧିଥିଲେ
ବାଳକ ବାଜି ରାଉତ,
ଫିରିଙ୍ଗି ନିର୍ଦ୍ଦେଶେ ଡ଼ଙ୍ଗା ନେଲେନାହିଁ
କରିଥିଲେ ପ୍ରତ୍ୟାକ୍ଷାତ ।
କ୍ରୋଧରେ ସେମାନେ ଗୁଳି ଚଳାଇଲେ
ବାଜିଆ ପଡିଲେ ଟଳି,
ଭାରତର ମାଟି କାନ୍ଦିଲା ସେଦିନ
ଶିଶୁ ରକ୍ତ ହୋଇ ବୋଳି ।
ଉଣେଇଶି ଶହ ଅଠତିରିଶିର
ଅକ୍ଟୋବର ଏଗାରରେ,
ମାଟିର ପିଣ୍ଡଟା ବିପ୍ଳବର ବହ୍ନି
ଜାଳି ମିଶିଲା ମାଟିରେ ।
ଭାରତର ମୁକ୍ତି ସ୍ୱାଧୀନତା ଯୁଦ୍ଧେ
ବାନରସେନା ସେ ହୋଇ,
ବାର ବରଷରେ ସହିଦ ହୋଇଲେ
ଜାତିପାଇଁ ପ୍ରାଣ ଦେଇ ।