ନିଜ ସମୟ ଆସିବ
ନିଜ ସମୟ ଆସିବ


ଦଶମ ପରୀକ୍ଷାଫଳ ବାହାରିଲା କାଲି
ସ୍କୁଲର ନୁହଁ ଜିଲ୍ଲାରେ ପ୍ରଥମ ହେଲି
ଫୁଲ ପ୍ୟାଣ୍ଟ ପିନ୍ଧିଲି ଲମ୍ବା ଦିଶିଲି
ପନ୍ଦର ବର୍ଷର ଭେଣ୍ଡିଆହେଲି କଲେଜ ଗଲି ହଲି ଦୋହଲି
ମନେ ମନେ ଭାବୁଥିଲି
ସତେକି-----ନିଜ ସମୟ ଆସିବ ଚାଲି ।
କୋଡିଏ ବର୍ଷର ହେଲି ଠେଲି ପେଲି
ନୂଆ ନୂଆ ନିଶ ହଳକ ଗଜୁରିଲା ମେଲି
ବାଣୀବିହାରରେ ଏଡମିଶନ ନେଲି
ହଷ୍ଟେଲ ସ୍ଵାଧୀନ ଜୀବନ ବିନ୍ଦାସ ଥିଲି
ଯୌବନ ଦୋଳି ଖେଳୁଥିଲା ହଲି ଦୋହଲି
କଡ଼ା ଇସ୍ତୀକରା ସାର୍ଟ ପ୍ୟାଣ୍ଟ ପିନ୍ଧିଲି ଡେଲି
ଆଇନା ଆଗରେ ବାଳ କୁଣ୍ଡେଇବା ହେଲା ଷ୍ଟାଇଲି
ମନେ ମନେ ଭାବୁଥିଲି
ସତେକି -- ନିଜ ସମୟ ଆସିବ କାଲି ।
ପଚିଶ ବର୍ଷର ଗଜା ଟୋକାଟେ ହେଲି
ଚାକିରୀ ପଛରେ ଗୋଡ଼େଇ ମଲି
ପ୍ରେମୀକା ପାଇଁ ପ୍ରେମ ଗୀତ ଲେଖିଲି
ବିବିଧଭାରତୀରୁ ଗଜଲ ଶୁଣିଲି ବେସୁରା ଗାଇଲି
ସିନେମା ଗୀତରେ ବର୍ଷା ନାଚରେ ପ୍ରେମ ଖୋଜିଲି
ମନେ ମନେ ଭାବୁଥିଲି
ସତେକି ----- ନିଜ ସମୟ ଆସିବ ବୋଲି ।
ତିରିଶ ବର୍ଷକୁ ଯୌବନ ଛୁଉଁଲା
ମନଲାଖି ଚାକିରୀ ବି ମିଳିଗଲା
ଝିଅ ଖୋଜା ଖୋଜି ଆସର ଜମିଲା
ବାପା ମାମୁଁ ଚାପରେ ହାତଗଣ୍ଠି ପଡି ଗଲା
ସ୍ଵପ୍ନର ଦିନ ସବୁ କଡ଼ ଲେଉଟିଲା
ମତୁଆଲା ରାତି ଛୋଟ ଲାଗୁଥିଲା
ମନେ ମନେ ଭାବୁଥିଲି
ସତେକି---- ନିଜ ସମୟ ଆସିବ ମେଲି ।
ଚାଳିଶ ବର୍ଷର ସରଣୀରେ ପାଦ ଥାପିଲି
ମେଘା-ଦୀପୁ ଆସିଲେ ଅଗଣା ମଖମଲି
ବାପା - ବୋଉ ଆରପାରିକୁ ଗଲେ ଚାଲି
କର୍ମ ଜଞ୍ଜାଳରେ ବ୍ୟସ୍ତ କୁତ୍ରାପି କଜାଲି
ବ୍ୟାଙ୍କରେ ହତେ ପଇସା ଗହଣା ଜମା କଲି
ମନେ ମନେ ଭାବୁଥିଲି
ସତେକି --- ନିଜ ସମୟ ଆସିବ ଡେଲି ।
ପଚାଶ ବର୍ଷ ପାର ହୋଇଗଲି
ପିଲାମାନେ ବଡ଼ ହୋଇଗଲେ
ନୂଆ ଫ୍ଲାଟରେ ବସା ବାନ୍ଧିଲି
ସହରୀ ଛୋଟ ପରିବାର ହେଲା
ସଉଦା ପରିବା ଫୁଲ କିଣା ହେଲା
ଅନ୍ ଲାଇନ ଡିଜିଟାଲରେ ସବୁ ମିଳିଲା
ସ୍କାର୍ଟ ସିଟିରେ ବସି ମୋବାଇଲି କେଞ୍ଚିଲି
ମନେ ମନେ ଭାବୁଥିଲି
ଆଶା କରୁଥିଲି
ସତେକି ---- ନିଜ ସମୟ ଆସିବ ଦୋହଲି ।
ଷାଠିଏ ବର୍ଷରେ ପଦାର୍ପଣ ହେଲି
ବର୍ଷା ବୈଶାଖ ବସନ୍ତ ଶୀତ ଦେଖିଲି
ଚାକିରୀରୁ ଅବସର ନେଇ ଘରେ ବସିଲି
ଆଣ୍ଠୁଗଣ୍ଠି ବାତରେ ବିମାରିଆ ହେଲି
ପୁଅ ଝିଅ ତାଙ୍କ ନୀଡ଼ ନେଇ ବ୍ୟସ୍ତ ଥିଲେ
ବୁଢ଼ା ବୁଢୀ ନିଃସଙ୍ଗ ଜୀବନ ଖାଲି
ନିଜ ସମୟ ତ କେବେ ଆସିଲାନି
ପୁଣି ଅଚାନକ ଦିନେ ଛାତିରେ ଯନ୍ତ୍ରଣା ଅନୁଭବ କଲି
ଆଉ ଆପୋଲୋ ହସପିଟାଲରେ
ଆଇସିଓରେ ଭର୍ତ୍ତି ହେଲି
ଆଉ ଡାକ୍ତର କହିଲେ
ବାବୁଙ୍କର ଶେଷ ସମୟ ଆସିଯାଇଛି ବୋଲି
ବଂଧୁ ବାନ୍ଧବ ମାନଙ୍କୁ ଡାକିଆଣ କାଲି
ମନେ ମନେ ଭାବୁଥିଲି
ସତେକି--- ନିଜ ସମୟ ଆସିବାର ଅପେକ୍ଷା କରନା ମିତ
ହସ କୌତୁକରେ ଖୁସି ମଉଜରେ
ଯିଇଁଯାଅ ହିତ
ଇଶ୍ୱରଙ୍କ ଡାକରା ଆସିବା ପର୍ଯ୍ୟନ୍ତ ।
କ୍ଷଣ କ୍ଷଣ ଚାଲିଯାଏ
ଦିନ ମାସ ବର୍ଷ ବିତିଯାଏ
ଅତୀତ ଚାଲିଗଲା ଲୀଳାଖେଳା ସାରି
ଭବିଷ୍ୟତ ଆସୁଛି ଅମା ଅନ୍ଧାର ଚିରି
ବର୍ତ୍ତମାନ ଭଲ ତ ଶ୍ରଦ୍ଧା ସବୁରୀ ।
ଆସିବା ଯିବା ତ ସଂସାର ନିୟମ
କିଏ ଜାଣେ କେତେବେଳେ ଆସିଯିବ ଯମ
ସବୁ କ୍ଷଣ ଖୁସିରେ ହେଉ ଆତଯାତ
ମିଠା ବଚନରେ ପର ଆପଣା ଆପ୍କୁତ
ମନେ ମନେ ଭାବୁଥାଏ
ସତେକି ---- ନିଜ ସମୟ ଆସିବ ସତ !
ଭେଳିକି ଭଉଁରୀ ପଛରେ
ମିଥ୍ୟା ମରୀଚିକା ଚକ୍ରରେ
ସୁନ୍ଦର ଯାତ୍ରା ନ ହେଉ କଣ୍ଟକିତ ।
ଶେଷ ସମୟ ଆସିବା ପୂର୍ବରୁ
ମୃତ୍ୟୁ ଦୂତ ଆସି ଯିବା ପୂର୍ବରୁ
ଅନେକ ଦିନ ମାସ ବର୍ଷ ସମୟ ଆଗରୁ
ବହୁତ ଆଗରୁ ଜିତ ।
ରଚନା - ପଞ୍ଚାନନ ଜେନା
ତାରିଖ - ୨୭-୮-୨୦୨୦