ମାଟି ମାଟି ବୋଲି
ମାଟି ମାଟି ବୋଲି
ମାଟି ମାଟି ବୋଲି ତଣ୍ଟି ଫାଟିଯାଏ
ହେଲେ ମାଟିରେ ନ ଥାଏ ଦରଦ
ପାର୍ଟି ପାର୍ଟି ହୋଇ ପେଟ ପୂରେ ନାହିଁ
ଲୋକଙ୍କୁ ଦିଅଉ ଦରଜ ।
ମା' ମାଟି ପାଇଁ ନାହିଁ ଆମ ଚିନ୍ତା
ଚିନ୍ତା ଖାଲି ବ୍ୟକ୍ତି ସ୍ଵାର୍ଥର
ଦେଶ ଜାତି ପାଇଁ ଦରଦ ଯେ ନାହିଁ
ଆମ ଚିନ୍ତା ଖାଲି
କ୍ଷମତା ଚଉକି ଓ ଅର୍ଥ ରୋଜଗାର ।
ନେତାଏ ହୁଡନ୍ତି ନୀତି ଆଦର୍ଶର
ଜନତା ଭୁଲନ୍ତି ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ
କବି ଲେଖକ ସ୍ୱାର୍ଥକୁ ଦେଖନ୍ତି
ଭୁଲି ସାମାଜିକ ସଚେତନତାର ସାହିତ୍ୟ ।
ସଭିଏଁ ସାଜିଛେ ଆମେ ଆଜି
ଅର୍ଥ ଓ କ୍ଷମତା ଲୋଭୀ
ଲାଭ ଲୋଭର ବଶବର୍ତ୍ତୀ ହୋଇ
ସ୍ଵାଭିମାନ ଆତ୍ମସମ୍ମାନରେ
ପକାଇ ଦେଉଛେ ଆମେ ଚାବି ।
ଶିକ୍ଷାଶିକ୍ଷା, ସ୍ଵାସ୍ଥ୍ୟ ନାମେ
ଚାଲେ ବ୍ୟବସାୟ
ଜନମଙ୍ଗଳ ରାଷ୍ଟ୍ରର
ଆୟୁଧ ଏ ଦୁଇ
ହେଲେ ଏ ଦୁହିଁଙ୍କୁ ନେଇ
ଚାଲେ ଆମ ଭଲ ବ୍ୟବସାୟ
ଆମ ମାନବ ସମ୍ବଳ ବିକାଶ ପାଇଁ
ଆମ ମଧ୍ୟେ କା'ର ସମବେଦନା ହିଁ ନାହିଁ ।
ତଣ୍ଟି କାଟିବାକୁ ଜନତାଙ୍କୁ ଲୁଟିବାକୁ
ଶସ୍ତା ଯୋଜନା ହୁଅଇ ମାଳ ମାଳ
ବିଭାଗ ବିଭାଗ ମଧ୍ୟେ ସମନ୍ଵୟ ରୁହେନି
ନେତା ନେତା ଓ ପ୍ରଶାସନିକ
ଅଧିକାରୀଙ୍କ ମଧ୍ୟେ ନ ରୁହେ ତାଳମେଳ ।
ଭୋଟ ସର୍ବସ୍ବ ରାଜନୀତି ଚାଲେ
ଚାଲେ ମାଗଣା ଯୋଗାଣରେ ପ୍ରତିଯୋଗିତା
ଜନତା ବାପୁଡା ଭକୁଆ ହୁଅଇ
ଧରି ସରକାରୀ ଛତା ଜୋତା
ଆମ୍ବେଡା ଦେଖାଇ ଆମ୍ବ ନେବାରେ
ଓସ୍ତାଦ୍ ଅଟନ୍ତି ଆମ ନେତା ।
କଳକାରଖାନା କ୍ଷତିରେ ଚାଲଇ
ସରକାରୀ କଳରେ ଲାଗଇ କଳଙ୍କ
ବେସରକାରୀ ସଂସ୍ଥା ମାନଙ୍କର
ଉତ୍ଥାନ ଘଟଇ
କର୍ପୋରେଟ ସଂସ୍ଥା ସାଜନ୍ତି ଦେଶର ମାଲିକ ।
ଖଟିଖିଆ ଏଠି ଖଟି ଖଟି ମରେ
ପାଏନି ମୂଲ ତା ଶ୍ରମର
କୃଷକ ଶ୍ରମିକ ହୁଅନ୍ତି ଶୋଷିତ
ପୁଞ୍ଜିପତି ବନାନ୍ତି ସେମାନଙ୍କୁ
ପାଗଳ ଭ୍ରମର
ନିଶ୍ଚିତତା ନ ଥାଏ ତାଙ୍କ ମୂଲ ମଜୁରୀର
ନିଶ୍ଚିତ ନ ଥାଏ ତାଙ୍କ କର୍ମର ।
କୁମ୍ଭୀର କାନ୍ଦଣା କରନ୍ତି ନେତାଏ
ବାଣ୍ଟନ୍ତି ଶସ୍ତା ଭତ୍ତା
ବଞ୍ଚାଇ ରଖିବାକୁ ତାଙ୍କ ଗାଦି ଓ ସତ୍ତା
ଶସ୍ତା ଯୋଜନାକୁ ଶସ୍ତା ଲୋକପ୍ରିୟତାକୁ
ରାଜନୀତି ତାଙ୍କ ଶସ୍ତା ।
ନିର୍ବାଚନ ପର୍ବ ଆସିଲେ ପାଖେଇ
ସବୁ ଦରଦାମ୍ ଯାଏ କମି
କ୍ଷମତା ଗାଦିକୁ ଆସିଗଲା ପରେ
ସବୁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୁଏ
ସତେ ସେ ଆକାଶକୁ ଦେବ ଚୁମି ।
ଆମ ନେତାଙ୍କର
ମାଟି ମାଟି ବୋଲି ତଣ୍ଟି ଫାଟିଯାଏ
ହେଲେ ମାଟିରେ ନ ଥାଏ ଦରଦ
ପାର୍ଟି ପାର୍ଟି ହୋଇ ପେଟ ପୂରେ ନାହିଁ
ଲୋକଙ୍କୁ ଦିଅନ୍ତି ଦରଜ ।
