ନିର୍ବାଣ ସୂର୍ଯ୍ୟର ଅଭିମୁଖେ
ନିର୍ବାଣ ସୂର୍ଯ୍ୟର ଅଭିମୁଖେ
ଆଉ କେତେ ଦିନ ମଣିଷ
ଏଇମିତି ହନ୍ତସନ୍ତ ହୋଇ ବଞ୍ଚିବ ?
କାହା ଠୁଁ ତୁ ଏ ଅସମାହିତ ପ୍ରଶ୍ନର
ଉତ୍ତର ଆଶା କରୁଛୁ ?
ସମାଜର ଏ ବିଜ୍ଞ ଆଉ କାଢ଼ୁଆଗଣ ସବୁ
ଜୀବନକୁ ଅଧିକ ଜଟିଳ କରିନାହାନ୍ତି କି ?
ସୁରକ୍ଷିତ ଜୀବନ ସନ୍ଧାନର ଅବିଶ୍ରାନ୍ତ ଦୌଡ଼ରେ
ସାଧାରଣ ମଣିଷର ସବୁ ସୁଖସମୃଦ୍ଧି ,
ସ୍ୱାଧୀନତା କେବେଠୁ ବନ୍ଧା ପଡ଼ିଯାଇଛି
ନିଜ କଳ୍ପିତ ଭଗବାନ , ନିର୍ବାଚିତ ରାଜା
ଆଉ ପାଷାଣ୍ଡ ପୂଜାରୀର ପାଦ ପଦ୍ମରେ ।
ଅନ୍ୟର ସ୍ୱାଧୀନତାକୁ ବନ୍ଧା ରଖି
ସମାଜର ଏ ମୁଣ୍ଡିଆଳ ସବୁ
ସଭ୍ୟତାର ସୁତ୍ରଧାର ସାଜନ୍ତି ।
କ୍ଷମତା ମୋହରେ ଅନ୍ଧ ହୋଇ
ନିଜକୁ ସର୍ବମୟ କର୍ତ୍ତା ବୋଲି ଧରିନେଇ
ନିଜ ମନମୁତାବକ ପ୍ରକୃତିର
ମଙ୍ଗ ମୋଡ଼ିବାକୁ ଦୁଃସାହସ କରନ୍ତି ।
ନିଜ ସ୍ୱାର୍ଥରେ ଯଜ୍ଞରେ ନିଃସଙ୍କୋଚ ଭାବେ
ଅଗଣିତ ନିରୀହଙ୍କ ବଳି ଚଢ଼ାଇ
ସହିଦ୍ ର ମିଛ ମେଡାଲ୍ ପିନ୍ଧାନ୍ତି ।
ମଣିଷକୁ ଅସହାୟ ଆଉ ଦୁର୍ବଳ କରି
ଏଇମାନେ ନିଜର ବେପାର ଜମାନ୍ତି ।
ଆଇନ୍ ର ଲାଲ୍ ମୋହର ଦେଇ
ନିଜ ସିଂହାସନକୁ ଚିରସ୍ଥାୟୀ କରିବାର
ସବୁ ବ୍ୟବସ୍ଥା ଲୁଚିଲୁଚି କରନ୍ତି ।
ଏଇମାନେ ପୁଣି ବିଦ୍ରୋହୀ
ଆଉ ବିପକ୍ଷ ଦଳର ମୁଖା ପିନ୍ଧି
କୁହୁଳୁ ଥିବା ବିପ୍ଳବର ନିଆଁରେ
ଲାଭ ଅନୁଯାୟୀ କେବେ ପ୍ରେଟୋଲ୍ ତ
ଆଉ କେବେ ପାଣି ଢ଼ାଳନ୍ତି ।
ବଡ଼ ପଣ୍ଡା ହୋଇ ଠାକୁରଙ୍କ ନାଁ ନେଇ
ଦାସିଆ ବାଉରୀର ସର୍ବସ୍ବ ଲୁଟନ୍ତି
ଶବରୀର ଖାଇ ମାଫିଆ ହୋଇ ବି
ନିଜକୁ ରାମଚନ୍ଦ୍ର ବୋଲାନ୍ତି ।
ନିଜକୁ ସଂସ୍କାରକ , ସମାଜ ସେବକ
ଆଉ ନେତା କହି ନିଷ୍ପେସିତଙ୍କ
କଙ୍କାଳ ହାଡ଼ରେ ନିଜ ସୁରକ୍ଷା ପାଇଁ
ବିଭାଜନର ଅଲଂଘ୍ଯ ପାଚେରୀ ତୋଳନ୍ତି ।
ବଡ଼ ହାକିମ ହୋଇ , ନିଜକୁ ପ୍ରଭୁ ବୋଲାଇ
ଆଇନ୍ ର ଗଳା ବାଟରେ
ଶାସନର ସରୁ ଷ୍ଟ୍ର ଯୋଗେ
ଭୋକିଲା ଶୋଷିଲାଙ୍କର ରକ୍ତ ଶୋଷନ୍ତି ।
ସୁରକ୍ଷା କର୍ମୀଙ୍କ ଖୋଳପାରେ
ଶାନ୍ତି ଶୃଙ୍ଖଳା ନାମରେ ଠେଙ୍ଗା ଦେଖେଇ
ପ୍ରେମୀଙ୍କ ହୃଦୟରେ କର୍ଫ୍ୟୁ ଲଗାନ୍ତି ।
ସ୍ୱଚ୍ଛ ନିରପେକ୍ଷ ସାମ୍ବାଦିକ ବେଶରେ
ଅନ୍ଧକାର ଆଉ ଆତଙ୍କର ଦଲାଲୀ କରନ୍ତି
ରଙ୍ଗରୂପ ଦେଇ ତୁଚ୍ଛ କୁ ପୁଣି
ରାତାରାତି ତାରକା କରନ୍ତି ।
ବିଚାରପତି ଆଉ ଓକିଲ ରୂପରେ
ଆଇନ ଆଖିରେ କଳା କନା ବାନ୍ଧି
କଳାକୁ ଧଳା ଆଉ ଧଳାକୁ କଳା କରନ୍ତି ।
ଶିକ୍ଷକ ଆଉ ଶିକ୍ଷାବିତ୍ ର ମୁଖା ପିନ୍ଧି
କଅଁଳିଆ ଉର୍ବର ମନରେ
ଅଜ୍ଞାନତାର , ଦାସତ୍ୱର ମଞ୍ଜି ବୁଣନ୍ତି ।
ଡାକ୍ତର ହୋଇ ଔଷଧ ନାଁରେ ବିଷ ଖୁଆଇ
ନିରୋଗ ଦେହ ମନକୁ ରୋଗିଣା କରନ୍ତି ।
ହେଲେ ଯେତେ ଚେଷ୍ଟା କଲେ ବି
ଦିନେ ନିଶ୍ଚୟ ବିସ୍ଫୋଟ ହେବ
ଭାଙ୍ଗିଯିବ ସବୁ ପ୍ରତିରୋଧ ର ଦୂର୍ଗ ।
ପାଉଁଶ ହେବ ଧର୍ମ , ନୀତିଶାସ୍ତ୍ର ନାମରେ
ଦମନ କରିବାର ତୁମର ସବୁ କଳା କୌଶଳ ।
ଆଉ ସେଇ ଧ୍ୱଂସର ତାଣ୍ଡବ ଗର୍ଭରୁ
ପୁଣି ଥରେ ନୂଆ କରି ଜନ୍ମ ନେବ
ଶିକୁଳି ବିହୀନ ସନ୍ତାନଟିଏ ।
ତଥାକଥିତ ସଭ୍ୟତାର ପାଉଁଶ ଗଦାରୁ
ଫିନିକ୍ସ ପକ୍ଷୀ ପରି ଡେଣା ଝାଡ଼ି ଉଡ଼ିବ ସେ
ଜୀବନ ଆକାଶରେ ନିର୍ବାଣ ସୂର୍ଯ୍ୟର ଅଭିମୁଖେ ।