ମୁଁ ପଳାଶ , ମୁଁ ବିଦ୍ରୋହ, ମୁଁ ଜୀବନ
ମୁଁ ପଳାଶ , ମୁଁ ବିଦ୍ରୋହ, ମୁଁ ଜୀବନ
ବର୍ଷ ତମାମ ସାଇତା ନୀରବ ଗୁପ୍ତ ସାଧନାର ସିଦ୍ଧିକୁ
ଏ ବସନ୍ତରେ ଥରୁଟିଏ ବୁକୁ ଫଟେଇ ପ୍ରକାଶି ଦିଏ ବୋଲି
ମୋର ଉପସ୍ଥିତି ମୋର ବୈରାଗ୍ୟ ବିଦ୍ରୋହର ବହ୍ନି
ତୁମକୁ ଜୋରରେ ଚମକେଇ ଚେତେଇ ଦିଏ ବୋଲି
ବାସନ୍ଦ କରିଛ କି ମୋତେ ତୁମ ବାଡ଼ି ବଗିଚା ସଂସାରରୁ ?
ତୁମ ବଜାର ବେପାରୀ ଚାହିଦା ଅନୁଯାୟୀ
ଉତ୍ତେଜକ ମନମତାଣିଆ ମହକ ରଖି ନାହିଁ ବୋଲି
ତୁମ ଅସରନ୍ତି ଆବଶ୍ୟକତା ଚକ୍ରରେ ମୁଁ ଅନୁପଯୁକ୍ତ ବୋଲି
ତୁମ ମନଗଢ଼ା କାହାଣୀ କିମ୍ବଦନ୍ତୀ ସବୁରେ
ଶାସ୍ତି ସ୍ୱରୂପ ଅଭିଯୁକ୍ତ ନିନ୍ଦିତ ଅଭିଶପ୍ତ କରିଛ କି
ଖାସ୍ ଏଇଥି ପାଇଁ କି ମୋ ପ୍ରତି ଏଡ଼େ ଅସହ୍ୟ ନୃଶଂସ
ମୋ ପୃଥିବୀରୁ ମୋତେ ନିଶ୍ଚିହ୍ନ କରିବାକୁ ଏତେ ଷଡ଼ଯନ୍ତ୍ର ?
ତୁମ ଭଳି ତୁମ ହିସାବୀ ଦେବତାଙ୍କ ପାଦେ ସମର୍ପିତ ହେବାକୁ
ମୁଁ ତ କେବେ ରଖି ନାହିଁ କିଞ୍ଚିତ ଆକାଂକ୍ଷା କି ଅଭିଳାଷା
ତ କାହିଁକି ରଟୁଛ ପ୍ରଚାରୁଛ ମୋ ବିରୁଦ୍ଧରେ
ନିନ୍ଦା ଅପବାଦର ଏତେ କାହାଣୀ କବିତା କିମ୍ବଦନ୍ତୀ ସବୁ ?
କ'ଣ ଉଦାହରଣ ଦେବାକୁ ଭୟବିତ କରିବାକୁ ପରପିଢ଼ିକୁ
ତୁମ ଡାହାଣୀ ଆଖିରେ ଅଲୋଡ଼ା ଅଯୋଗ୍ୟ ହେବାଟା
ଯେ କେଡ଼େ ବଡ଼ ଅକ୍ଷମଣୀୟ ଅପରାଧ ହୋଇପାରେ !
ତୁମେ ତ ନିଜେ ନିଜକୁ ସଜେଇଛ
ସଭିଙ୍କ ବାବୁ ମାଲିକ ସରକାର ଇଶ୍ଵର ବେଶରେ
ଲାଭ ହାନି ଠିକ୍ ଭୁଲ୍ ଦରକାରୀ ଅଦରକାରୀ ର
କ୍ଷୁଦ୍ର ସୀମିତ ପରିଧି ମଧ୍ୟରେ ରହି
ତୁମେ ସ୍ଥିର କରିନେଇଛ କିଏ ବଞ୍ଚିବ କିଏ ମରିବ
ତ କାଟି ଦିଅ ସବୁ କଟନ୍ତୁ ପଛେ ମୋର ସବୁ ବଂଶଧର
ସତରେ ଆଉ ଆଗ୍ରହ ନାହିଁ ଫେରିବାକୁ
ପୁଣି ଥରେ ସେହି ବୈରାଗ୍ୟ ବିଦ୍ରୋହର ବହ୍ନି ଧରି
ତୁମ ଦେଇ ଦୂଷିତା ପ୍ରଦୁଷୀତା କଳୁଷିତା ଧର୍ଷିତା ଏ ଧରାକୁ
ଚାହେଁନି ଆଉ ଚେତେଇବାକୁ ଦୂରେଇବାକୁ ତୁମ ତନ୍ଦ୍ରା
ମାତୁଥାଅ ଯେତେ ଇଚ୍ଛା ସ୍ୱେଚ୍ଛାଚାରେ ଭୋଗ ବିଳାସରେ
ଡାଇନୋସର ପରି ସମ୍ପୂର୍ଣ୍ଣ ଲୋପ ପାଇବା ଯାଏଁ
କିମ୍ବା ଗୃହ ଯୁଦ୍ଧ ବିଶ୍ୱଯୁଦ୍ଧ ଲଗେଇ ପରମାଣୁ ପକେଇ
ଭାଇରସ୍ ଛାଡ଼ି ଧ୍ୱଂସ କରିଦିଅ ସବୁକିଛି
ନରହେ ମୁଁ ନରହୁ ପଛେ ପିଲାଙ୍କ ବହିରେ ବି
ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତର ଚିହ୍ନବର୍ଣ୍ଣ
କରିଦିଅ ପୃଥିବୀ ପାଣି ଆକାଶକୁ କଳା ଧଳା ଧୂସର
ସତରେ ଆଉ ଆଗ୍ରହ ନାହିଁ ଫେରିବାକୁ ଆସନ୍ତା ବସନ୍ତକୁ ।
