ବଞ୍ଚି ରହିବାକୁ...
ବଞ୍ଚି ରହିବାକୁ...
ଯେତେ ସବୁ ଝଡ଼ିବେ ଝଡ଼ିବେ ହେଉଥିଲେ
ହେଲେ ମୋହ ବନ୍ଧନକୁ ଛାଡ଼ି ପାରୁ ନଥିଲେ
କାଳ ବୈଶାଖୀଟିଏ ଆସି ତାଙ୍କୁ ଧରାଶାୟୀ କଲା
ଏବେ ଚାରି ଆଡ଼େ
ନୂଆ କଁଅଳ ସବୁଜଙ୍କ ଆଧିପତ୍ୟ
ମାଟି ସାଇତିଥିବା ଇତିହାସରୁ
ସାହସ ପ୍ରେରଣା ନେଇ
ର୍ନିଦ୍ଦୟୀ ନିଦାଘର
ଆକ୍ରମଣକୁ ପ୍ରତିରୋଧ କରିବାକୁ
ସଭିଏଁ ଯେମିତି ଏକ ହୋଇ
ଅଣ୍ଟା ଭିଡ଼ୁଛନ୍ତି ମେଳି ବାନ୍ଧୁଛନ୍ତି
ପ୍ରଖର ତେଜ ବିରୁଦ୍ଧରେ
ନିଜ କୋମଳତାକୁ ସବୁଜିମାକୁ
ଟାଣ ଗାଢ଼ ଢାଲ କରିଦେବେ ପଛେ
ଜାବୁଡ଼ି ଧରିଥିବା ମାଟି ମାଆକୁ
ବନ୍ଧ୍ୟା ହେବାକୁ ଦେବେନି
ଚଢ଼େଇଙ୍କ ମଧ୍ୟେ ବିବାଦ ଲାଗିଛି
କିଛି ସ୍ଥିର ହେଇ ପାରୁନି
କି ଏଥର କିଏ କେଉଁଠି
କେତେ ଉପରେ ବସା ବାନ୍ଧିବେ
ବିଜ୍ଞ ବିଶେଷଜ୍ଞ ପୁରୁଖା ପୁରୁଖା ଚଢ଼େଇ ଗୁଡ଼ାକ ବି
କମେଇ ଥିବା ଅନୁଭବ ବଂଶାନୁଗତ ଜ୍ଞାନ ଖଟେଇ
ଠିକ୍ ଠିକ୍ କରି କଳି ପାରୁ ନାହାଁନ୍ତି
ଏସନ ବର୍ଷା କେତେ ଆଉ କେବେ ହେବ
ପୁଣି ଯେଉଁ ଡାଳରେ ବସା ବାନ୍ଧିବେ
ସେ ଯେ ଘଡ଼ିଏ ପରେ ହଣା ନଖାଇବ
ସେଇଟା ବା କିଏ ଭରସା ଦେବ ?
ଗ୍ରୀଷ୍ମର ଅସହ୍ଯ ବେଦନାକୁ ସହିଯିବାର
ରଣକୌଶଳ ତା'ର ଅଛି ସିନା
ଆସୁରିକତାର ନୃଶଂସତାର ଜବାବ୍ ନାହିଁ
ନିଇତି ବେଲଗାମ ତା'ର ସଂହାର ହୁଏ
ହାତଗୋଡ଼ ଗଣ୍ଡି କାଟିନିଆ ଯାଏ
ନିଇତି ଅସଂଖ୍ୟ ମୂଳରୁ ହଣା ଖାଆନ୍ତି
ନିଇତି ତା'ର ରାଜ୍ଯ ସ୍ୱପ୍ନ ଧ୍ୱଂସ ହୁଏ
ନିରବ ଦ୍ରଷ୍ଟା ହେବା ଛଡ଼ା
କାହା ପାଖେ କ'ଣ ଗତି ଅଛି ?
ତାକୁ କୋଳରେ ଜାବୁଡ଼ି ଧରିଥିବା ମା'ର
ତାର ସବୁ ସନ୍ତାନର ଏକମାତ୍ର
ଜୀବନ ଧାରା ସିଏ ପ୍ରଶ୍ୱାସ ସିଏ
ହେଲେ ଏ ପରାଙ୍ଗପୁଷ୍ଟଙ୍କ ଭୋକ ଅସୁମାର
ସବୁ ଖାଇଯିବେ ଚରିଯିବେ ଏଗୁଡ଼ାକ
ଏମାନଙ୍କ ଜ୍ଞାନ ବିଜ୍ଞାନ ପ୍ରଯୁକ୍ତି ଶାସ୍ତ୍ର ସବୁ ଯେମିତି
ତା ବିରୁଦ୍ଧରେ ଚରମ ବର୍ବରତା କେବଳ
ନିଜେ ନିଜକୁ ଶ୍ରେଷ୍ଠ କରିଥିବା
ଏ ସର୍ବଭକ୍ଷ ରାକ୍ଷସଙ୍କ ଔରସରୁ
ଦିନେ ନୂଆ ପ୍ରହଲ୍ଲାଦ ନିଶ୍ଚୟ ଜନ୍ମ ନେବ
ଏଇ କ୍ଷଣିକ ଆଶା ବିଶ୍ୱାସ ଅଛି ବୋଲି
ନିରନ୍ତର ଅବିଶ୍ରାନ୍ତ ସଂଗ୍ରାମ କରିଚାଲିଛି ସେ
କେବଳ ବଞ୍ଚି ରହିବାକୁ ....
.
୧୯/୦୪/୨୦୨୫ , କରଞ୍ଜିଆ , ମୟୁରଭଞ୍ଜ ।
