STORYMIRROR

Prashantam Bapu

Inspirational Others

4  

Prashantam Bapu

Inspirational Others

ବଞ୍ଚି ରହିବାକୁ...

ବଞ୍ଚି ରହିବାକୁ...

1 min
14





ଯେତେ ସବୁ ଝଡ଼ିବେ ଝଡ଼ିବେ ହେଉଥିଲେ
ହେଲେ ମୋହ ବନ୍ଧନକୁ ଛାଡ଼ି ପାରୁ ନଥିଲେ 
କାଳ ବୈଶାଖୀଟିଏ ଆସି ତାଙ୍କୁ ଧରାଶାୟୀ କଲା

ଏବେ ଚାରି ଆଡ଼େ 
ନୂଆ କଁଅଳ ସବୁଜଙ୍କ ଆଧିପତ୍ୟ
ମାଟି ସାଇତିଥିବା ଇତିହାସରୁ 
ସାହସ ପ୍ରେରଣା ନେଇ 
ର୍ନିଦ୍ଦୟୀ ନିଦାଘର 
ଆକ୍ରମଣକୁ ପ୍ରତିରୋଧ କରିବାକୁ
ସଭିଏଁ ଯେମିତି ଏକ ହୋଇ 
ଅଣ୍ଟା ଭିଡ଼ୁଛନ୍ତି ମେଳି ବାନ୍ଧୁଛନ୍ତି   

ପ୍ରଖର ତେଜ ବିରୁଦ୍ଧରେ 
ନିଜ କୋମଳତାକୁ ସବୁଜିମାକୁ
ଟାଣ ଗାଢ଼ ଢାଲ କରିଦେବେ ପଛେ
ଜାବୁଡ଼ି ଧରିଥିବା ମାଟି ମାଆକୁ 
ବନ୍ଧ୍ୟା ହେବାକୁ ଦେବେନି 

ଚଢ଼େଇଙ୍କ ମଧ୍ୟେ ବିବାଦ ଲାଗିଛି 
କିଛି ସ୍ଥିର ହେଇ ପାରୁନି
କି ଏଥର କିଏ କେଉଁଠି 
କେତେ ଉପରେ ବସା ବାନ୍ଧିବେ 
ବିଜ୍ଞ ବିଶେଷଜ୍ଞ ପୁରୁଖା ପୁରୁଖା ଚଢ଼େଇ ଗୁଡ଼ାକ ବି 
କମେଇ ଥିବା ଅନୁଭବ ବଂଶାନୁଗତ ଜ୍ଞାନ ଖଟେଇ 
ଠିକ୍ ଠିକ୍ କରି କଳି ପାରୁ ନାହାଁନ୍ତି 
ଏସନ ବର୍ଷା କେତେ ଆଉ କେବେ ହେବ
ପୁଣି ଯେଉଁ ଡାଳରେ ବସା ବାନ୍ଧିବେ 
ସେ ଯେ ଘଡ଼ିଏ ପରେ ହଣା ନଖାଇବ 
ସେଇଟା ବା କିଏ ଭରସା ଦେବ ?  

ଗ୍ରୀଷ୍ମର ଅସହ୍ଯ ବେଦନାକୁ ସହିଯିବାର 
ରଣକୌଶଳ ତା'ର ଅଛି ସିନା 
ଆସୁରିକତାର ନୃଶଂସତାର ଜବାବ୍ ନାହିଁ 
ନିଇତି ବେଲଗାମ ତା'ର ସଂହାର ହୁଏ 
ହାତଗୋଡ଼ ଗଣ୍ଡି କାଟିନିଆ ଯାଏ
ନିଇତି ଅସଂଖ୍ୟ ମୂଳରୁ ହଣା ଖାଆନ୍ତି 
ନିଇତି ତା'ର ରାଜ୍ଯ ସ୍ୱପ୍ନ ଧ୍ୱଂସ ହୁଏ
ନିରବ ଦ୍ରଷ୍ଟା ହେବା ଛଡ଼ା 
କାହା ପାଖେ କ'ଣ ଗତି ଅଛି ?

ତାକୁ କୋଳରେ ଜାବୁଡ଼ି ଧରିଥିବା ମା'ର 
ତାର ସବୁ ସନ୍ତାନର ଏକମାତ୍ର 
ଜୀବନ ଧାରା ସିଏ ପ୍ରଶ୍ୱାସ ସିଏ 
ହେଲେ ଏ ପରାଙ୍ଗପୁଷ୍ଟଙ୍କ ଭୋକ ଅସୁମାର
ସବୁ ଖାଇଯିବେ ଚରିଯିବେ ଏଗୁଡ଼ାକ 
ଏମାନଙ୍କ ଜ୍ଞାନ ବିଜ୍ଞାନ ପ୍ରଯୁକ୍ତି ଶାସ୍ତ୍ର ସବୁ ଯେମିତି 
ତା ବିରୁଦ୍ଧରେ ଚରମ ବର୍ବରତା କେବଳ
 
ନିଜେ ନିଜକୁ ଶ୍ରେଷ୍ଠ କରିଥିବା 
ଏ ସର୍ବଭକ୍ଷ ରାକ୍ଷସଙ୍କ ଔରସରୁ 
ଦିନେ ନୂଆ ପ୍ରହଲ୍ଲାଦ ନିଶ୍ଚୟ ଜନ୍ମ ନେବ  
ଏଇ କ୍ଷଣିକ ଆଶା ବିଶ୍ୱାସ ଅଛି ବୋଲି 
ନିରନ୍ତର ଅବିଶ୍ରାନ୍ତ ସଂଗ୍ରାମ କରିଚାଲିଛି ସେ
କେବଳ ବଞ୍ଚି ରହିବାକୁ ....
.



୧୯/୦୪/୨୦୨୫ , କରଞ୍ଜିଆ , ମୟୁରଭଞ୍ଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational