ବନ୍ଧୁ
ବନ୍ଧୁ


ଆସିବାର ବେଳେ ଫୁଙ୍ଗୁଳା ତ ପୁଣି
ଗଲାବେଳେ ଯାଏ ଏକା ।
ଏ ଧରାଧାମରେ ବଞ୍ଚିବାକୁ ହେଲେ
ଲୋଡାଥାଏ ବନ୍ଧୁ-ସଖା ॥
ସୁଖ ଅବା ଦୁଃଖ, ବିପଦ ସମ୍ପଦ,
ମାନ ପୁଣି ଅପମାନ ।
ବନ୍ଧୁ ଥିଲେ ସାଥେ, ଦୂର ବି ନିକଟ
ସବୁ ଯେ ଏକ ସମାନ ॥
ଗୁରୁ ପରି କେବେ ଦିଏ ଉପଦେଶ,
କେବେ ପୁଣି ପିତୃ ସ୍ନେହ ।
ଆଉ କେବେ ଦିଏ ମାଆର ମମତା,
ଭାତୃଭଗ୍ନୀ ପ୍ରୀତିମୋହ ॥
ରୁଧିର ସମ୍ପର୍କ ନ ହେଲେ ବି ସେତ
ଅନ୍ତରଙ୍ଗ ମଧୁମୟ ।
ପରମ ଈଶ୍ୱର ଅଭିନବ ସୃଷ୍ଟି
ସର୍ବରଙ୍ଗ ସମନ୍ୱୟ ॥
ସାଗର ଦେହରେ ମିଶିବାକୁ ନଦୀ
ନିମ୍ନେ ସଦା ବହମାନ ।
ଶିଖାର ବିହୁନେ ରହି କି ପାରିବ
ଜ୍ୱଳମାନ ହୁତାଶନ ॥
ବିଶାଳ ଆକାଶ କିପରି ରହିବ
ମାଟି ବିନା ସ୍ପର୍ଶ କରି ।
ଶାଖାହୀନ ତରୁ କିପରି ସହିବ
ପବନ ମାଡଟି ଧରି ॥
ସଖା ଦେଖେ ନାହିଁ ଧନୀ କି ନିର୍ଦ୍ଧନ
ଧରିରଖେ ହୃଦୟରେ ।
ମହାପ୍ରଭୁ କୃଷ୍ଣ ସୁଦାମା ଚରଣ
ଧୋଇଥିଲେ ସସ୍ନେହରେ ॥
ସଖା ପାଇଁ ସଖା ପରାଣ ଉତ୍ସର୍ଗେ
କରେ ନାହିଁ ଅବଶୋଷ ।
ମାନୀ ଦୁର୍ଯ୍ୟୋଧନ ପାଇଁ ଦାନୀ କର୍ଣ୍ଣ
ଜୀବନକୁ କଲା ଶେଷ ॥
ମାଧବ ଶରଣେ ଧନଞ୍ଜୟ ପାର୍ଥ
ମହାଯୁଦ୍ଧେ ମହାବୀର ।
ସୂର୍ଯ୍ୟଙ୍କ କିରଣେ ଚନ୍ଦ୍ରମା ଯେସନ
ଅନ୍ଧକାର କରେ ଦୂର ॥
ବନ୍ଧୁହୀନ ଜନ ପାଷାଣ ସମାନ
ଜୀବନେ ନ ଥାଏ ସୁଖ ।
ମଧୁର ବିହୁନେ ପାଗଳ ମଧୁପ
ମେଣ୍ଟିକି ପାରଇ ଭୋକ ॥
ଉତ୍ସବ ବ୍ୟସନ କିବା ରାଜସୁଖ
ଧନ ସମ୍ପତ୍ତିର ମୋହ ।
ଅଭାବର ବେଳେ ସ୍ୱଭାବ ବଦଳେ
ସଖା କେବେ ସିଏ ନୁହଁ ॥
ବନ୍ଧୁତ୍ୱ ସମ୍ପର୍କ ଅତି ଅନାବିଳ
କ୍ଷୀର-ନୀର ପରି ଜାଣ ।
ଉତପ୍ତ ପାବକେ ଦୁହେଁ ଆଗଭର
ବର୍ତ୍ତିବାକୁ ଅନ୍ୟ ପ୍ରାଣ ॥
ବନ୍ଧୁ ଯେ ଦର୍ପଣ ବନ୍ଧୁ ଯେ ତର୍ପଣ
ଲକ୍ଷେ ପୂଣ୍ୟଫଳ ବନ୍ଧୁ ।
ବନ୍ଧୁର ତାରଣେ ବନ୍ଧୁର କାରଣେ
ପଙ୍ଗୁ ଲଙ୍ଘେ ସପ୍ତସିନ୍ଧୁ ॥
ବନ୍ଧୁ ଯେ ଇନ୍ଦ୍ରିୟ ବନ୍ଧୁ ଯେ ଆତ୍ମୀୟ
ବନ୍ଧୁ ଶତ ଜନ୍ମ ଆୟ ।
ବନ୍ଧୁ ଯେ ଔଷଧ ବନ୍ଧୁ ଯେ ଆୟୁଧ
ବନ୍ଧୁ ଥିଲେ ନାହିଁ ଭୟ ॥