ପ୍ରଣାମ ଘେନ ହେ ପ୍ରିୟ
ପ୍ରଣାମ ଘେନ ହେ ପ୍ରିୟ
ତୁମେ ହିଁ ସୃଷ୍ଟିର ଧାରକ ପାଳକ
ରକ୍ଷକ ସଂହାର କର୍ତ୍ତା
ଭରିଅଛ ପ୍ରାଣଶକ୍ତି ଜୀବ ଦେହେ
ମାନବଠାରେ ଧିମତା
ତୁମରି ନିର୍ଦ୍ଦେଶରେ
ସୂର୍ଯ୍ୟ ଚନ୍ଦ୍ର ତାରା ହୋନ୍ତି ଆତଯାତ
ପରା ମର୍ତ୍ତ୍ୟମଣ୍ଡଳରେ
ତୁମେ ଅଛ ପ୍ରତି ଶରୀରରେ ।
ଚେତନ କେବଳ ଅନୁଭବି ପାରେ
ତୁମରି ସକଳ ମାୟା
ଯେତେ ଦୂର ଯାଏ ପ୍ରସରି ରହିଛି
ଦିଗନ୍ତ ବିସ୍ତାରି କାୟା
ସେହି ଲୀଳା ଅମୃତ
ଜୀବ ଥିବାଯାଏ ପାନ କରି କରି
ଜୀବନ ତୃପ୍ତ ଅତୃପ୍ତ
କାଳ ହୁଅଇ ତା'ର ସମାପ୍ତ ।
ପିତା ମାତା ପୁତ୍ର ବନ୍ଧୁ ପରିବାର
ଲୋଡ଼ା ଦେହସୁଖ ପାଇଁ
ସାତ୍ତ୍ଵିକ ସୁଖ ତ ତୁମଠି ନିହିତ
ଜ୍ଞାନୀର ଧ୍ୟାନରେ ଥାଇ
ଅଜ୍ଞାନ ନ ବୁଝଇ
କେବଳ ତୁମରି କରୁଣା ଆଶିଷେ
ପଙ୍ଗୁ ବି ଗିରି ଲଙ୍ଘଇ
ତା'ର ଜୀବନ ଧନ୍ୟ ହୁଅଇ ।
ଯାହା ପାଇଁ ଯାହା ଲୋଡ଼ା ଖଞ୍ଜିଅଛ
ଦୟାନିଧି ନାମ ବହି
ସଭିଏଁ ତୁମର ପ୍ରିୟ ଏ ମରତେ
ତୁମେ ବି ସଭିଙ୍କ ପାଇଁ
ଭକ୍ତ ତୁମର ଜୟ
ଧ୍ୱନି ତୋଳି ତୁଣ୍ଡେ ବିନତି କରଇ
ପ୍ରଣାମ ଘେନ ହେ ପ୍ରିୟ
ଛୁଟୁ ଥାଉ ଆଶିଷର ସୁଅ ।