ଧୂମମୟ ଦୁନିଆ
ଧୂମମୟ ଦୁନିଆ


ବଣଜଙ୍ଗଲରେ ଥିଲା ପରିପୂର୍ଣ୍ଣ
ମାଟି ମାଆ କୋଳ ଆଗ କାଳରେ
ସ୍ବାର୍ଥାନ୍ବେଷୀଗଣ କାଟି ପଦା କଲେ
କ୍ଷୟକ୍ଷତିକୁ କି କେ ରୋକିପାରେ !
ହଜିଲା ଶଗଡ଼, ସାଇକେଲ, ରିକ୍ସା
ଯନ୍ତ୍ରଯାନ ଭିଡ ଗାଆଁ ସହର
ଧୂଆଁକୁ ଛୁଟାଇ ଆଗକୁ ମାଡ଼ଇ
ଖୁସିରେ ନଚାଇ ସକଳ ନର ।
ସୁଖସୁବିଧାର ଉପଭୋଗ ପାଇଁ
କଳକାରଖାନାମାନଙ୍କୁ ଗଢ଼ି
ଚାଲଇ ମଣିଷ ଛାତିକୁ ଫୁଲାଇ
ବିଜ୍ଞାନ ଯୁଗରେ ଆଗକୁ ବଢ଼ି ।
ବାଣକୁ ଫୁଟାଇ ସିନା ଖୁସି ହୋନ୍ତି
ଦୀପାବଳି ଅବା ଅନ୍ୟ ଉତ୍ସବେ
ତା'ର ପରିଣତି କେତେ ଭୟାବହ
ଚେତିବା ନୁହେଁ କି ଆମେ ସରବେ ?
ଏସବୁରୁ ଯେତେ ନିର୍ଗତ ଧୂଆଁ
ବାୟୁମଣ୍ଡଳକୁ କରେ ବିଷାକ୍ତ
ସେ ବାୟୁକୁ ଶୋଷି ଛଟପଟ ଅଜି
ରୋଗ ଯନ୍ତ୍ରଣାରେ ପ୍ରଣୀ ଜଗତ ।
ଧ
ୂମମୟ ଦିଶେ ସାରା ଦୁନିଆଟା
ଶ୍ବାସ ପ୍ରଶ୍ବାସ ହୁଅଇ ରୁନ୍ଧି
ତଥାପି ଚେତନା କା'ଠାରେ ଜାଗେନା
ସୁଖବଳୟରେ ସଭିଏଁ ବନ୍ଦୀ ।
ଜେଜେ ଅଜା ଯେଉଁ ବୃକ୍ଷ ରୋପିଥିଲେ
ନାହିଁ ତାହା ଆଉ ଗାଆଁ ଭୂଇଁରେ
ସହରର କଥା କି ଅବା କହିବା
ପୂର୍ଣ୍ଣ ଘରଦ୍ବାର ରାସ୍ତାଘାଟରେ ।
ଶୋଷି ନେଇ ଗଛ ଯେତେ ବିଷ ବାଷ୍ପ
ଆମ ପରିବେଶ କରେ ବିଶୁଦ୍ଧ
ବାୟୁମଣ୍ଡଳର ଭାରସାମ୍ୟ ରକ୍ଷା
ଜୀବ ଦେହେ ଖୁସି ଉପଲବ୍ଧ ।
ବରତିବା ପାଇଁ ଧୂମକୁଣ୍ଡଳୀରୁ
ସକଳେ ପାଦପେ ଯେବେ ଆଦର
ପୋତି ନବ ନବ ବଢ଼ାଇ ଅସଂଖ୍ୟ
ଲାଭ କରୁଥିବା ସୁଖ ଅପାର ।
ହୋଇ ଆଚ୍ଛାଦିତ ରହିଥିଲେ ମଧ୍ୟ
ଧୂମମୟ ଦୁନିଆ ଆସ୍ତରଣ
ଆପେଆପେ ସ୍ତର ଯିବରେ ଆଡ଼େଇ
ତୋଫା ସ୍ବଚ୍ଛ ଆଲୋକର ଦର୍ଶନ ।