ସିନ୍ଧୁସୁତା ପତି ହେ ଜଗନ୍ନାଥ
ସିନ୍ଧୁସୁତା ପତି ହେ ଜଗନ୍ନାଥ


ଦୁର୍ବାସା ଶାପରେ ଇନ୍ଦ୍ର ଲକ୍ଷ୍ମୀଛଡ଼ା
ମାଆ ବାସ ପିତା ବରୁଣ ପୁର
ଦେବ ଦାନବଙ୍କ ସମୁଦ୍ର ମନ୍ଥନେ
ଲକ୍ଷ୍ମୀ ସାଗରରୁ ହୋଇ ବାହାର
ବରି ନାରାୟଣ ସ୍ବାମୀ ପଦରେ
ଦେବଙ୍କ ସୌଭାଗ୍ୟ ଆଣିଲେ ଫେରାଇ
ପୌରାଣିକ ଗାଥା ବର୍ଣ୍ଣନା କରେ ।
ନାରାୟଣଙ୍କର ଅଂଶ ହିଁ ଶ୍ରୀକୃଷ୍ଣ
ଧର୍ମ ସଂସ୍ଥାପନ ଅର୍ଥରେ ମହୀ
ବୈକୁଣ୍ଠପୁରରୁ ଅବତରି ଆସି
ଅସୁର, ଅଧର୍ମୀ ବିନାଶି ଦେଇ
ମର୍ତ୍ତ୍ୟପୁରୁ ସିନା ଗଲେ ବାହୁଡ଼ି
ହେଲେ ବ୍ରହ୍ମ ଶିରୀଜଗନ୍ନାଥ ନାମେ
ଉତ୍କଳ ଶ୍ରୀକ୍ଷେତ୍ରେ ଭକତେ ରଡ଼ି ।
ଯେତେ ବଡ଼ପଣ କରି ସେ ଧାରଣ
ଭାଇଭଉଣୀଙ୍କୁ ସଙ୍ଗତେ ଧରି
ବିଜେ ହୋଇଛନ୍ତି ରତ୍ନସିଂହାସନ
ଭକତ ନୟନ ଉଠଇ ପୂରି
ଦିନଯାକ ହୁଅନ୍ତି ନାନା ବେଶ
ବରଷକେ ଥରେ ରଥଯାତରାରେ
ନନ୍ଦିଘୋଷେ ବିଜେ ଜଗତ
ଈଶ ।
ପତିତଜନଙ୍କ ମୁକତି ପାଇଁଁକି
ମହାପ୍ରଭୁଙ୍କର ରଥଯାତରା
ଜାତି ଧର୍ମ ବର୍ଣ୍ଣ ଯେତେକ ଭକତ
ଲୋଡ଼ିଥାନ୍ତି ଶ୍ରୀପରେ ଆଶରା
ଚର୍ମଚକ୍ଷୁ କରିବାକୁ ପାବନ
ରୁଣ୍ଡ ହୋଇ ଶିରୀକ୍ଷେତର ଧାମରେ
ତିନି ଦିଅଁଙ୍କୁ କରନ୍ତି ଦର୍ଶନ ।
ଭକ୍ତ ଗହଣରେ ବାମନ ବେଶରେ
ବାଙ୍କ ଚାହାଣିରେ ଭକ୍ତେ ଅନାଇ
ଜନମବେଦିରେ କରନ୍ତି ବିଜୟ
ମାଆ ଗୁଣ୍ଡିଚାର କୋଳେ କି ଯାଇ
ଜଗତର ମାତା ପଞ୍ଚମ ଦିନ
ରୋଷ ଭରେ ଭେଟି ଜଗଦୀଶ୍ବରଙ୍କୁ
ଫେରିବାକୁ ଦେଇଥାନ୍ତି ଆହ୍ବାନ ।
ଆଷାଢ଼ ଶୁକଳ ଦ୍ବିତୀୟା ତିଥିରୁ
ନବଦିନାନ୍ତକ ଯାତରା ସାରି
ବାହୁଡ଼ି ଆସନ୍ତି ଦଶମୀ ତିଥିରେ
ଭକତ ହୃଦୟେ ଭକ୍ତି ଲହରୀ
ପଚାରିଆଥାନ୍ତି କେତେ ଊଷତ
ତରିବୁ କି ସତେ ମାନବ ଜନ୍ମରୁ
ସିନ୍ଧୁସୁତା ପତି ହେ ଜଗନ୍ନାଥ !