କଳା ଶ୍ରୀମୁଖ
କଳା ଶ୍ରୀମୁଖ


କେଡ଼େ ମନୋହର ମନୋମୁଗ୍ଧକର
ନୟନରେ ମୋର କଳା ଶ୍ରୀମୁଖ
ଦଣ୍ଡେ ନଦେଖିଲେ ହୁଅଇ ବିକଳ
ହଜଇ ଯେମିତି ସକଳ ସୁଖ ।
ଲବଣୀ ଚୋରେଇ ଖାଇଥାଉ ଅବା
ଭାଙ୍ଗିଥାଉ ପଛେ ମୋ ଦଧିଭାଣ୍ଡ
ରହିଗଲେ ଟିକେ ଆଖି ଆଡ଼ୁଆଳେ
ଶରୀର ମୋ ସତେ କି ମୃତପିଣ୍ଡ !
ଯେବେ ତା' ମୁରଲୀ ମୋର ନାମ ଧରି
ଛାଡ଼ୁଥାଏ ଡାକ ଆସ ଗୋ ସଖୀ
ଯମୁନା କୂଳରେ ଅଛି ଅପେକ୍ଷାରେ
ଦେଖିଯାଅ ମୋତେ ନହୋଇ ଦୁଃଖୀ ।
ମନ ଉନ୍ମାଦିତ ତନୁ ପୁଲକିତ
ଘରକରଣାକୁ ପଛେ ପକାଇ
ନମାନି ଧାମଇଁ ବାଟ ଅବାଟକୁ
ଜୀବଜୀବନ କି କଳା କହ୍ନେଇ !
ଯଶୋମତୀ କୋ
ଳେ ତାକୁ ଦେଖିଦେଲେ
କ୍ଷୀର ପେଇବାକୁ ହେବାରୁ ଇଚ୍ଛା
ଗୋପର ବାଳକ, ବତ୍ସା ରୂପ ଧରି
ପୂରାଇଲା ତେଣୁ ମୋ ମନୋବାଞ୍ଛା ।
ବାଳକ, ଗୋବତ୍ସା ହରି ନେଇ ବ୍ରହ୍ମା
ଏକ ବର୍ଷ ଯାଏ କମଣ୍ଡଳୁରେ
ରଖିଥିଲେ ବୋଲି ନିଜେ ବିଭାଜିତ
ହୋଇ ବ୍ରହ୍ମଦେବଙ୍କୁ ଶିକ୍ଷା ଦେଲେ ।
ବାଙ୍କଚୂଳିଆର ଶ୍ରୀମୁଖେ ସତରେ
ଲାଖି ରହିଥାଏ କି ସମ୍ମୋହନ
ନୀଳକାନ୍ତି ରୂପ ଆହା ! କି ଚମକ
ବିଭୋରିତ କରାଏ ତନମନ ।
ଗୋପାବାସୀଗଣ ସରବେ ମୋହିତ
କଳା ଶ୍ରୀମୁଖର ଗୁଣ କର୍ମରେ
ମୁଁ ଛାର ଗୋପିକା ନୁହଁଇ ଅନ୍ତର
ରହିଥାଉ ଧ୍ୟାନ ଶିରୀପୟରେ ।