ଏ ଦୁନିଆ ଏକ ଖୋଲା ମଞ୍ଚ
ଏ ଦୁନିଆ ଏକ ଖୋଲା ମଞ୍ଚ


ବିନା ପରଦାରେ କାହିଁ କେତେ କାଳୁ
ଏ ଦୁନିଆ ଏକ ଖୋଲା ମଞ୍ଚ
ଆହା ! କି ସୁନ୍ଦର ରୂପଟି ତାହାର
ଚେତନ ମନରେ କେତେ ପାଞ୍ଚ !
କେତେବେଳେ କେଉଁ ବେଶକୁ ଧରଇ
ସ୍ବ ସ୍ବାର୍ଥେ ହେଉ ବା ଆନ ପାଇଁ
ଦେଖି ଶୁଣି ଅନୁକରଣ କରନ୍ତି
ପିଢ଼ି ପରେ ପିଢ଼ି ଭାବ ବହି ।
ପ୍ରାକୃତିକଠାରୁ କୃତ୍ରିମ ପର୍ଯ୍ୟନ୍ତ
କେଉଁ ଦୃଶ୍ୟ ନାହିଁ ଏ ମଞ୍ଚରେ ?
ସକଳ ନୟନ ହୁଅଇ ତାଟକା
ଘୂରାଇ ଆଣିଲେ ହରଷରେ ।
ସମୟ ଗତିରେ ଶୀତ, ଉଷ୍ଣ ସହ
ଖାପଖୁଆଇ ସେ ଚାଲୁଥାଏ
ଅଭିନୟ ତା'ର ବାସ୍ତବ ସତ୍ୟ
ସେଥିରେ ଲୁଚାଛପା ନଥାଏ ।
କିଏ କେଉଁ ପରି ଫୁଟାଇ ପାରିଲା
ସାଜି ଏ ମଞ୍ଚର ଅଭିନେତା
ସକଳେ ଦେଖନ୍ତି ବୁଝନ୍ତି ବି ସବୁ
ଅଭିନୟର ସେ ଗୁଣବତ୍ତା ।
କେ ଖଳନାୟକ କିଏ ସେ ନାୟକ
ତାହା ପ୍ରତିଭାତ କରମରେ
କେ କେତେ ସଫଳ ଅଥବା ବିଫଳ
ଜଣାପଡ଼େ ବି ଆନ ଆଖିରେ ।
ସତ୍ତ୍ବ, ରଜ, ତମ ତିନୋଟି ଗୁଣରେ
ଯେଝା ଅଭିନୟ ଅନୁସାରେ
ଫଳ ଭୁଞ୍ଜି ନିତି ପଡ଼ି ରହିଥାନ୍ତି
ଜୀବନ ଥିବାଯାଏ ଦେହରେ ।
ପରଖି ପରଖି ବିଶ୍ବ କାରିଗର
ଚାଲିଥାନ୍ତି ଦେଇ ନିର୍ଦ୍ଦେଶନା
ଯେ ବୁଝି ବିଚାରି କରେ ଅଭିନୟ
କିଛିକୁ ନଥାଏ ତା' ଶୋଚନା ।
ଆନେ ସୁଖ ଦେଇ ନିଜେ ଖୁସି ପିଇ
ଲଭେ ଜୀବନର ସାର୍ଥକତା
ମରତମଣ୍ଡଳୁ ନିଅଇ ବିଦାୟ
ସାଜି ଜଣେ ଶ୍ରେଷ୍ଠ ଅଭିନେତା ।
ଅବୁଝା ବାଇଆ ବାଳୁଳା ମନଟି
ଦୁଃଖ ଦୈନ୍ୟେ ସଢ଼ି ଭୋଗେ କଷ୍ଟ
ଅରଜିଲା କର୍ମ ତାକୁ ଭାରୀ ପଡ଼େ
ହରାଇ ନିଜର ଗୁଣ ଶିଷ୍ଟ ।