ନିଜର କିଏ
ନିଜର କିଏ


ଅଳୀକ ସଂସାର ସର୍ବେ ମୋରମୋର
କହି କି ପାରିବା ନିଜର କିଏ ?
ବାଟୋଇ ପରିକା ନେଇଥାନ୍ତି ଆଶ୍ରା
ଯେ ଯାହାର ବୃକ୍ଷ ମୂଳେ ସଭିଏଁ ।
ସମୟ ସରିଲେ ବାହୁଡି଼ ଯାଆନ୍ତି
ନିଜ ନିଜ ବାଟ ଧରିଧରିକା
କେହି ବି କାହାକୁ ମନେ ରଖନ୍ତିନି
କର୍ମେ ଫେରି ଆସି ଜଣଜଣକା ।
କର୍ମରେ ଜିଅଁଇ ପାର୍ଥିବ ଶରୀର
ଏ ବିଜ୍ଞାନ ଯୁଗେ ଫଟୋ ଚିତ୍ରରେ
ହେଲେ ଜୀବାତ୍ମାଟି କି ରୂପ ଧରିଛି
ଏକଥାକୁ କେହି ଜାଣି ନ ପାରେ ।
ଯେଉଁ ବାଟେ ହେଉ ଜୀବନତମାମ
ଅର୍ଜିଛନ୍ତି ଯେତେ ସୁଖସମ୍ପଦ
ତାହା ବି କାହାର ସାଥିରେ ଯାଏନି
ଗଲାବେଳେ ସର୍ବେ ଶୂନ୍ୟ ହାତ ।
ସ୍ତ୍ରୀ ପୁତ୍ର କନ୍ୟା ବନ୍ଧୁ ସହୋଦର
କେହି ଯାଆନ୍ତିନି ସାଥିରେ କା’ର
ରହନ୍ତି ସଭିଏଁ କିଛି ଦିନ ଭାଳି
ପଞ୍ଚଭୂତ ଦେହ ଭାବି ନିଜର ।
p>
ମିଶିଯାଏ ଆମ ପାଉଁଶ ମୁଠାରେ
ଗର୍ବ ସ୍ବାର୍ଥ ଲୋଭ ଯେତେ ଦୁର୍ଗୁଣ
ହୃଦୟଗ୍ରାହୀର ମୁଖରେ କେବଳ
ମହମହ ବାସେ ଯେତେ ସୁଗୁଣ ।
ବଖାଣନ୍ତି ଦୁଇ ଅବା ତିନି ପିଢ଼ି
କଥାରେ କଥାରେ ଉଭୟ ଗୁଣ
ଏଇ ତ ଜୀବନ କ୍ଷଣକ୍ଷଣ ଆନ
କେ କାହା ନିଜର ନୁହଁନ୍ତି ଜାଣ ।
ଦୁଃଖ ବିପଦରେ ଡାକି ଭଗବାନ
ନିଜର ମନକୁ ଦେଉ ଆଶ୍ବସ୍ତି
ପୂର୍ଣ୍ଣ ସମର୍ପିତ ଭାବ ଥିଲେ ହୃଦେ
ପ୍ରଭୁ ପରମାଦୁ ମୁକ୍ତ କରନ୍ତି ।
ଅଜାମିଳ ପାପୀ ଲଭିଲା ମୁକତି
ନିଜ ପୁତ୍ର ନାମ ମୁଖରେ ଧରି
କେଡେ ଦୟାବାନ ପ୍ରଭୁ ନାରାୟଣ
ନେଲେ ବିଷ୍ଣୁଲୋକ କୃପାଳୁ ପରି ।
ଯେତେ ନରନାରୀ ଜନମିଛେ ମର୍ତ୍ତ୍ୟେ
ବୁଝିବା ଉଚିତ କିଏ ନିଜର
ସେହି ଅନୁସାରେ ଧାଇଁ କର୍ମ ସାଥେ
ତରି ଯିବା ଆମେ ଭବସାଗର ।