STORYMIRROR

Manas Ranjan Nayak

Inspirational

4.0  

Manas Ranjan Nayak

Inspirational

ହୁସିଆର୍ ମଣିଷ

ହୁସିଆର୍ ମଣିଷ

1 min
215

ଡିଜିଟାଲ୍ ଏବେ ସ୍ୱକୀୟ ସଭ୍ୟତାର ଆଭୂଷଣ

ହେଉ କବିତା ପଢା ଅବା ଧାନ ଫସଲ ବେଉଷଣ


ଦୂରତା ଏବେ ଆଙ୍ଗୁଳି ଟିପରେ ଅଚିରେ ପରାହତ

ମୋବାଇଲ୍ ପଢ଼ି ହାଣ୍ଡିଶାଳେ ବନେ ଚାଇନିଜ୍ ଭାତ। 


ଜୀବନ ପରଦାରେ ଏକକ ଅଭିନୟରେ ପୋଖତ୍

ହିସାବ ଖାତାରେ ନାଲି କାଳିରେ ଟିପିନିଏ ମୋଫତ୍


ଦେବତ୍ୱ ଦାନବତ୍ୱର ପଶାପାଲିରେ ଗଡାଏ ଗୋଟି

ଗର୍ଭଗୃହେ ମୋକ୍ଷ ଭିକ୍ଷା ମିଳେନାହିଁ ଦାଦନକୁ ରୁଟି। 


ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା

ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ତୃଷ୍ଣା


ଭିଆଁଣେ ଅମଲାତନ୍ତ୍ର ପୁଣି କେତେ ଅନ୍ଧାରି ଷଡଯନ୍ତ୍ର

ଶୁଭେ ନିତି ଜୟଗାନ ହେଉ ରାଜତନ୍ତ୍ର କି ଗଣତନ୍ତ୍ର। 


ହେୟ ମଣେ ବୌଦ୍ଧତ୍ୱର କାମନା ପରିତ୍ୟକ୍ତ ନିର୍ବାଣ

କାମନା ପରିତୃପ୍ତିରେ ହିଁ ସଶ୍ରଦ୍ଧ ପୂର୍ଣ୍ଣ ସମର୍ପଣ


ସମ୍ପର୍କରେ ନାହିଁ ସେ ନିଃସର୍ତ୍ତ ଅନାବିଳ ଆକର୍ଷଣ

ସଶକ୍ତିକରଣେ ଏଠି ଦାମ୍ପତ୍ୟରେ ସଗର୍ବ ବିକର୍ଷଣ। 


ପୁନର୍ଜନ୍ମ ବା ବିବର୍ତ୍ତନ ଦ୍ୱନ୍ଦ୍ୱରେ ନୁହେଁ ସେ ଆଚ୍ଛନ୍ନ

ବିଜ୍ଞାନର ସୁଉଚ୍ଚ ଉଡାଣେ ତା' ଉପଲବ୍ଧି ପ୍ରଚ୍ଛନ୍ନ


କର୍ମ କାମ୍ୟରେ ଅକ୍ଷୁର୍ଣ୍ଣ ତ୍ୟାଗ ଭୋଗର ସାବଲୀଳତା

ଆଧ୍ୟାତ୍ମ ଭାବବୋଧେ ସମୁଜ୍ଜ୍ଵଳ ଚେତନା ମନସ୍କତା। 


ନଶ୍ୱର ଶରୀରେ ଅହର୍ନିଶି ସହିଛି ସେ ଦହଗଞ୍ଜ

ଜୀବନ ମହାମନ୍ତ୍ରେ ବିତିଛି ଅୟୁତ ଉଦାସୀ ସଞ୍ଜ


ଜାଣେ ଦିନେ ଅନ୍ଧକାର କୃଷ୍ଣ ଗର୍ତ୍ତେ ସରିବ ମୁହୂର୍ତ୍ତ

ଅମୃତ ଆଶ୍ଳେଷ ପାଇଁ ବାଛିଛି ସମର୍ପଣ ନିଃସର୍ତ୍ତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational