STORYMIRROR

Manas Ranjan Nayak

Drama Classics Inspirational

4  

Manas Ranjan Nayak

Drama Classics Inspirational

ବଦଳିଛି ମୋ ଗାଁ ପାଗ

ବଦଳିଛି ମୋ ଗାଁ ପାଗ

1 min
284

ଏଇ ଦୁଇ ତିନି ଦଶନ୍ଧି ପୂର୍ବର ଗାଁ ମୋର, ଏବେ ଲାଗେ ଖୁବ୍ ବଦଳା ବଦଳା

ଅବୁଝା ବିକାଶ ନାଟକର ଚାଲିଛି ପ୍ରଚାର, ଯୋଜନା ସବୁ ମୂଳରୁ ହୁଗୁଳା

ଏ ସାଲ ବି ନିଅଣ୍ଟିଆ ବର୍ଷା ଦାଉ ସାଜିଛି, ସୁନା କିଆରିରୁ ଅମଳ ଦୁର୍ଯୋଗ

ଗାଁ ଛକରେ ବଢୁଛି ବିଦେଶୀ ବଜାର, ବିତର୍କର ବିଷୟ ରହେ ନିର୍ବାଚନ ପାଗ। 


ମୁହଁ ଅନ୍ଧାରରୁ ହଳ ଯୋଖିୁଥିବା ଶଶିଆ କକା, ଏବେ କରେ ସୂର୍ଯ୍ଯନମସ୍କାର

ବାସି ପଖାଳ ଲୁଣି ଶୁକୁଆ ଚଳେନି ଏବେ, ବୋହୂ ରାନ୍ଧୁଛି ମଉରାଳି ବେସର

ଶୁଭୁନି ଆଜି ନେତ'ର ହମ୍ବାରଡି, ଗାଁଟା ଯାକ ବୋଲାନ୍ତିି ଓମଫେଡର ଗରାଖ

ଗୁହାଳ ବିଲୁପ୍ତ, ହେଲେ ଛକ ବଏଲର ଝୁମ୍ପୁଡି ମେଣ୍ଟାଏ ନିତିଦିନ ଖୋରାକ । 


ପ୍ରଗତିର କେତନ ସାଜି ମଝିଦାଣ୍ଡରେ ଲମ୍ବିଛି ପ୍ରଧାନମନ୍ତ୍ରୀ ପକ୍କା ସଡକ 

ପାଣି କାଦୁଅ ଧୂଳି ଧୂସର ଖେଳ ନାହିଁ, ଘର ଆଗେ କୁକୁର ଜଗିଛି ଫାଟକ

ଶୂନ୍ଯ ଲମ୍ବା ଦାଣ୍ଡପିଣ୍ଡା, ସାହି ପଡିଶା ଗପସପ ସତେକି କର୍ଫ୍ଯୁ ପ୍ରତିବନ୍ଧିତ

ଆତ୍ମୀୟତା ତ ଦୂର, ସ୍ବାର୍ଥ ରହିତ ସୌଜନ୍ଯତା ଟିକକ ବି ନିରୁତା ପ୍ରତୀକ୍ଷିତ। 


ଆବେଗର ଫଗୁ ହୋଇ ଉଡୁଥିଲା ଦିନେ ଗାଁ ମୁରବୀଙ୍କ ମୁଣ୍ଡଛୁଆଁ ଆଶୀର୍ବାଦ

ପର ପିଢିର ବୟଜ୍ୟଷ୍ଠ ଏବେ ସତେକି ଓଜାଡନ୍ତି ଔପଚାରିକ ସାଧୁବାଦ

ବଡମା' ମୋର ନିର୍ଦ୍ବନ୍ଦରେ ପଡିଶାଘରୁ ମାଗିଆଣୁଥିଲା ତେଲ ଲୁଣ କି ଜାଇ

ସ୍ବାଭିମାନର ପାଚେରୀ ଉଠିଛି ଆଜି, ଆମନ୍ତ୍ରଣ ରଖନ୍ତିନି ନିଜ ସାହି ଭାଇ। 


ଗାଁ ଅଷ୍ଟପ୍ରହରୀ, ଭୋଜି, ମଉଛୁକରେ ପଂଗତ ସାଜିଛି ବୁଢୀମା'ର ଗପ ପେଡି

ଅବହେଳିତ ଗ୍ରାମଦେବତୀ, ଘର ଭବ୍ୟ ମନ୍ଦିରରେ ଦେବା ଦେବୀ ଧାଡି କି ଧାଡି

ଏକତା ସହଭାଗିତାର ଗୁଞ୍ଜରଣରେ ଦିନେ ଶିହରୁଥିଲା ମୋ ଗାଁ ମଝିଦାଣ୍ଡ

ଘରଡିହ ଭାଙ୍ଗି ଆଜି ଭାଗ ଭାଗ, ଭାଇ ଭାଇ କଳହ ନିତି ସାଜୁଛି ଉଦଣ୍ଡ। 


ଦୂରଦର୍ଶନରେ ଶୁଭେନ୍ଦୁଙ୍କ ପାଣିପାଗ ସୂଚନାକୁ କାନଡେରୁଥିଲେ ଗାଁ ଚାଷୀ

ଫି ନିର୍ବାଚନ ବୁଣେ ମାଗଣା ଯୋଜନାର ବିହନ, ଚାଷ କମ୍ ଏବେ କିଣା ବେଶୀ

ଆଜିବି ସେଦିନ ପରି କ୍ଯାଲେଣ୍ଡର୍ ଦେଖି ମୋ ଗାଁରେ ଆସୁଛି ବର୍ଷା ଝଡି

ବଦଳିନି ପାଣିପାଗ, ଖାଲି ଯାହା ବେଉଷଣର ମନବୃତ୍ତି ଯାଉଛି ବିଗିଡି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama